ଏମିତି କ'ଣ ଥିଲା ସ୍ୱର୍ଗତ ଅର୍ଜୁନ ସେଠୀଙ୍କ ପାଖରେ ? ତୁହାକୁ ତୁହା ଜନସମର୍ଥନ ହାସଲ କରୁଥିଲେ କିପରି ? ୧୦ ଥର ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହେବା କିଛି କମ୍ କଥା ନୁହେଁ । ଏହା ଏକ ଜଲୱା ।
Trending Photos
)
ବିବେକାନନ୍ଦ ସାମଲ, ଭଦ୍ରକ: ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା କଂଗ୍ରେସରୁ । ପରେ ଜନତା ଦଳ, ବିଜୁ ଜନତା ଦଳ ଏବଂ ଶେଷ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଥରେ କି ଦୁଇ ଥର ନୁହେଁ, ୮ ଥର ଲୋକସଭାକୁ ନିର୍ବାଚିତ ହେବା ତାଙ୍କ ଲୋକପ୍ରିୟତାର ବଳିଷ୍ଠ ଉଦାହରଣ । ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀର ଦାୟିତ୍ୱ । ୨ ଥର ବିଧାୟକ ମଧ୍ୟ ରହିଥିଲେ । ଭଦ୍ରକବାସୀଙ୍କ ମନ କିଣିବାରେ ସେ ଥିଲେ ସଫଳ ରାଜନେତା । ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତିରେ ହୋଇଛି ଏକ ଅପୂରଣୀୟ କ୍ଷତି । ଏକଥା ଆମେ କହୁନୁ, ଅର୍ଜୁନ ସେଠୀଙ୍କ ବିୟୋଗରେ ବହୁ ବରିଷ୍ଠ ନେତା ନିଜ ଶୋକବାର୍ତ୍ତାରେ ଏକଥା କହିଛନ୍ତି । ଓଡ଼ିଶାର ରାଜନୈତିକ ଇତିହାସରେ 'ଅର୍ଜୁନ' ସବୁଦିନ ପାଇଁ ଅମର ହୋଇ ରହିବେ । ଆଉ ଆଜି ତାଙ୍କୁ ବିଦାୟ ଦେଉଛି ଭଦ୍ରକ ।
ଏମିତି କ'ଣ ଥିଲା ସ୍ୱର୍ଗତ ଅର୍ଜୁନ ସେଠୀଙ୍କ ପାଖରେ ? ତୁହାକୁ ତୁହା ଜନସମର୍ଥନ ହାସଲ କରୁଥିଲେ କିପରି ? 'ଅର୍ଜୁନ'ଙ୍କ ଲୋକପ୍ରିୟତା ସତରେ ବେଶ ଚମତ୍କାର । ୧୦ ଥର ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହେବା କିଛି କମ୍ କଥା ନୁହେଁ । ଏହା ଏକ ଜଲୱା । ଭଦ୍ରକବାସୀଙ୍କ ପାଇଁ ସେ ଥିଲେ ଅଦ୍ୱିତୀୟ ନେତା । ସେଇଥିପାଇଁ ତ, ଶୋକବାର୍ତ୍ତାରେ ତାଙ୍କ କାର୍ଯ୍ୟାକାଳ ଗରିମାମୟ ଥିଲା ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ନିର୍ବିବାଦୀୟ ନେତା ଭାବେ ଅଭିହିତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଜଣେ ଦକ୍ଷ ସଂଗଠନ ଥିଲେ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । 'ଅର୍ଜୁନ'ଙ୍କ ସମାଜସେବାକୁ ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

୧୯୪୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ଅବିଭକ୍ତ ବାଲେଶ୍ଵର ଜିଲ୍ଲାର ବନ୍ତ ବ୍ଲକ ଓଢ଼ଙ୍ଗ ଗ୍ରାମରେ ଶ୍ରୀ ସେଠୀଙ୍କ ଜନ୍ମ । ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ ଓ ବାଣୀବିହାରରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ଶିକ୍ଷକତାକୁ ବୃତ୍ତି ଭାବେ ବାଛି ନେଇଥିଲେ । ତେବେ ୧୯୭୦ ମସିହାରେ 'ଅର୍ଜୁନ'ଙ୍କ ଜୀବନର ମୋଡ଼ ବଦଳିଥାଏ । ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦିଅନ୍ତି । ଆଉ ଏହାପରେ ଆରମ୍ଭ ହୁଏ ତାଙ୍କ ରାଜନୈତିକ ସଫଳ ଯାତ୍ରା । ୧୯୭୧ରେ ପ୍ରଥମ ଥର ପାଇଁ ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୁଅନ୍ତି । ସେହିପରି ୧୯୮୦ରେ ଦ୍ୱିତୀୟ ଥର ସାଂସଦ ହୋଇଥିଲେ । ତେବେ ୧୯୯୦ରେ କଂଗ୍ରେସ ଛାଡ଼ି ଜନତା ଦଳରେ ସାମିଲ ହୁଅନ୍ତି ସ୍ୱର୍ଗତ ସେଠୀ । ୧୯୯୧ରେ ତୃତୀୟ ଥର ପାଇଁ ସାଂସଦ ହୁଅନ୍ତି ।
ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୁଅନ୍ତି ସ୍ୱର୍ଗତ ଅର୍ଜୁନ ସେଠୀ । ଲଗାତାର ୫ଥର(୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪) ସେ ସଂସଦକୁ ନିର୍ବାଚିତ ହୋଇଥିଲେ । ସେହିପରି ୧୯୯୦ ଏବଂ ୧୯୯୫ରେ ଜନତା ଦଳ ପକ୍ଷରୁ ସେ ଦୁଇ ଥର ବିଧାୟକ ମଧ୍ୟ ହୋଇଥିଲେ । ଉଭୟ ଥର ଭଣ୍ଟାରୀପୋଖରୀ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ସ୍ୱର୍ଗତ ସେଠୀ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଜୁନ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ l ଏହା ସହ ନିଜେ ନିର୍ବାଚନ ନ ଲଢ଼ି ପୁଅ ଅଭିମନ୍ୟୁଙ୍କୁ ମୈଦାନକୁ ଛାଡିଥିଲେ । l ହେଲେ ସେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଲଙ୍କ ଠାରୁ ପରାସ୍ତ ହୋଇଥିଲେ ।
କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ
୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବାଜପେୟୀ ସରକାରରେ ସେ ଥିଲେ ଜଳସମ୍ପଦ ମନ୍ତ୍ରୀ ।
ଦଳୀୟ ଦାୟିତ୍ୱ
୧୯୭୫ - ୧୯୭୮ ପର୍ଯ୍ୟନ୍ତ ଅବିଭକ୍ତ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ ସ୍ୱର୍ଗତ ଅର୍ଜୁନ ସେଠୀ ।
୨୦୦୫-୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ।
ନିଜର ସଚ୍ଚୋଟ ପଣିଆ ଏବଂ ସ୍ପଷ୍ଟବାଦିତା ପାଇଁ ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ଭଦ୍ରକବାସୀଙ୍କ ଭିତରେ ସେ ସବୁବେଳେ ସ୍ମରଣୀୟ ହୋଇରହିବେ । ନେତା ଆସନ୍ତି, ଯାଆନ୍ତି । କିନ୍ତୁ 'ଅର୍ଜୁନ'ଙ୍କୁ ହରାଇ ଆଜି ଝୁରୁଛି ଭଦ୍ରକ । ଅବିଭକ୍ତ ବାଲେଶ୍ୱରର ଜନତା ମଧ୍ୟ ଆଜି ଝୁରୁଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ''ଅର୍ଜୁନ ସେଠୀ ଅମର ରହେ'' । ଆଉ ତାଙ୍କ ଗାଁର ମାହୋଲ ତ ଅତି ଅବେଗପୂର୍ଣ୍ଣ । ଓଢ଼ଙ୍ଗ ଗ୍ରାମବାସୀଙ୍କ ଆଖିରୁ ଲୁହ ଝରିପଡ଼ୁଛି ।