ରାଜଧାନୀ ମୁହାଁ ହେଲା ନରହନ୍ତା ଦନ୍ତା !
Advertisement

ରାଜଧାନୀ ମୁହାଁ ହେଲା ନରହନ୍ତା ଦନ୍ତା !

ଚନ୍ଦକା ଘଉଡ଼ାଇବାକୁ ବନ ବିଭାଗର ୪୦ ଅଧିକାରୀ

ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟରେ ଏକ ଦନ୍ତାହାତୀ ଠାବ ହୋଇଛି । ହାତୀଟି ମେଡିସନାଲ ଗାର୍ଡେନ ଭିତରେ ପଶି ରହିଛି । ହାତୀ ହାବୁଡ଼ରେ ପଡ଼ି ସ୍ଥାନୀୟ ଫୁଲେଶ୍ୱରୀ ବସ୍ତିର ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ପିପିଲିରେ ଲୋକଙ୍କୁ ମାରିଥିବା ଦନ୍ତା ଏ ନୁହେଁ ତ ? ସେନେଇ କିଛି ସ୍ପଷ୍ଟ ହୋଇ ନ ଥିବା ବନ ବିଭାଗ ଅଧିକାରୀ କହିଛନ୍ତି । ହାତୀଟି ଚନ୍ଦକା ଜଙ୍ଗଲରୁ ଯାଇଥିବା ବେଳେ ଭୁବନେଶ୍ୱର ଦେଇ ପୁଣି ଚନ୍ଦକାକୁ ଯିବାକୁ ଚେଷ୍ଟା କରୁଥାଇପାରେ ବୋଲି କହିଛନ୍ତି ବନ ଅଧିକାରୀ ।

ପୁଣି ସ୍ମାର୍ଟ ସିଟିରେ ମାତିଛି ଜଙ୍ଗଲୀ ଦନ୍ତା । ପିପିଲିରେ ମୃତ୍ୟୁର ତାଣ୍ଡବ ଖେଳାଇବା ପରେ ସେହି ହାତୀଟି ଭୁବନେଶ୍ୱର ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ପିପିଲିରୁ ହାତୀ ପାତ୍ରପଡ଼ା ଦେଇ ଚନ୍ଦକା ଯିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । ସୋମବାର ଭୋର ସମୟରେ ହାତୀଟିକୁ ପାତ୍ରପଡ଼ା ସ୍ଥିତ ମେଡିସନାଲ ଗାର୍ଡେନ ଭିତରେ ଥିବା ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଶୌଚ କରିବାକୁ ଯିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜଣେ ମହିଳା ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ରବିବାର ଆତଙ୍କ ଖେଳାଇଥିବା ହାତୀ ରାତିରେ ଦନ୍ତା କଣ୍ଟି ଦୟାନଦୀ ବ୍ରିଜ୍ ପାର୍ ହୋଇ ଜଟଣୀ ଅଞ୍ଚଳରେ ପ୍ରବେଶ କରିଥିଲା ।  ରବିବାର ସକାଳୁ ଘନ କୁହୁଡ଼ି ଯୋଗୁ ଦନ୍ତାର ପତ୍ତା ପାଉନି ବନ ବିଭାଗ। ତଥାପି ହାତୀଟି ଘଞ୍ଚ ବୁଦା ଭିତରେ ଲୁଚୁ ରହିଥିବା ଅନୁମାନ କରାଯାଉଛି । ଗତକାଲି ଦନ୍ତା ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ହାତୀର ଏଭଳି ଆକ୍ରମଣ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପିପିଲିରେ ମାତିଥିବା ଦନ୍ତାକୁ ଘଉଡ଼ାଇବାକୁ ଖୋର୍ଦ୍ଧା ଡିଏଫ୍ଓ, ଭୁବନେଶ୍ୱର ସିଟି ଡିଏଫଓ, ଚନ୍ଦକା ଡିଏଫଙ୍କ ନେତୃତ୍ୱରେ ବନ ବିଭାଗର ୪ଟି ଟିମର ୫୦ ଜଣିଆ ସଦସ୍ୟ ଦନ୍ତାକୁ ଘଉଡ଼ାଇବା କାମରେ ଲାଗିଛନ୍ତି । ଦନ୍ତା ହାତୀ ଉତ୍ପାତ ଯୋଗୁଁ ଘରୁ ନ ବାହାରିବାକୁ ମାଇକ୍ ଯୋଗେ ବନ ବିଭାଗ ପ୍ରଚାର କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ହାତୀ ଚନ୍ଦକା ବନ୍ୟ ପ୍ରାଣୀ ଅଭୟାରଣ୍ୟକୁ ନ ଯାଏ ତାହା ହେଲେ ତାକୁ ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ପିସିସିଏଫ । ପୂର୍ବରୁ ମଧ୍ୟ ବାରମ୍ବାର ହାତୀ ରାଜଧାନୀ ଭିତରେ ପଶିବା ଯୋଗୁଁ ଲୋକେ ଭୟଭୀତ ହେଉଛନ୍ତି । ଏବେ ହାତୀଟି କିଭଳି ଚନ୍ଦକା ମୁହାଁ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।

ଆହୁରି ପଢ଼ନ୍ତୁ; ପ୍ରେମ କରି ପୁଣି ଫସିଲେ ଯବାନ