)
ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି କୋରୋନା। ଦିନକୁ ଦିନ ଟେଷ୍ଟିଂର ମାତ୍ରା ବଢିବା ସହିତ ତାଳ ଦେଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ଗତକାଲି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଥିବା ବେଳେ ଆଜି ସେହି ରେକର୍ଡକୁ ମଧ୍ୟ ପଛରେ ପକାଇଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୧୨୬୪ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି।
ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଡେଇଁଛି। ଦିନକୁ ଦିନ ଗଞ୍ଜାମ, ଖୋର୍ଦ୍ଧା ଭଳି ସ୍ଥାନରେ ମାମଲା ବୃଦ୍ଧି ପାଉଛି। ଆଜି ଏହି ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିବା ପରେ ୨୦ ହଜାର ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୨୬୪ଟି ମାମଲା ମଧ୍ୟରୁ ୮୪୭ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିଭଳି ସ୍ଥାନୀୟ ମାମଲା ୪୧୭ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୩୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭୨୦୫ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୪୦ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।
ସେପଟେ ୨୭ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୫୪୦ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୧୩୭ଟି ମାମଲା ସାମ୍ନାକୁ ଆସିଛି।
ସେହିପରି ଅନୁଗୋଳ, କଳାହାଣ୍ଡିରୁ ୭ ଜଣ ଲେଖାଏଁ, ବାଲେଶ୍ୱରରୁ ୯ ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୩୦ ଜଣ, ବଲାଙ୍ଗୀର ଓ ନୂଆପଡ଼ାରୁ ଜଣେ ଲେଖାଏଁ, ବୌଦ୍ଧରୁ ୨ ଜଣ, କଟକରୁ ୪୭ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ୭୪ ଜଣ, ଜଗତସିଂହପୁରରୁ ୪ ଜଣ, ଯାଜପୁରରୁ ୧୭ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୨୯ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, କେନ୍ଦୁଝର ରୁ ୨୫ ଜଣ, କୋରାପୁଟରୁ ୨୭ ଜଣ, ମୟୂରଭଞ୍ଜରୁ ୧୫ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୬୧ ଜଣ, ପୁରୀରୁ ୨୨ ଜଣ, ରାୟଗଡ଼ାରୁ ୮୪ ଜଣ, ସମ୍ବଲପୁରରୁ ୨୦ ଜଣ ଓ ସୁନ୍ଦରଗଡ଼ରୁ ୬୦ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।