Trending Photos
)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୭୦ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୬,୩୫୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୧୪୩ ଜଣ କ୍ୱାରେଣ୍ଟାଇନରେ ଥିଲେ। ୨୭ଟି ସ୍ଥାନୀୟ ମାମଲା ରହିଛି।
ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୯୦୩ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। ତେବେ କୋରୋନାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ବିଭାଗ ସୂଚନା ଦେଇଛି। ଫଳରେ ଏହି ମୃତ୍ୟୁ ସଂଖ୍ୟା ସହିତ ରାଜ୍ୟରେ ମୋଟ ୧୮ରେ ପହଞ୍ଚିଛି।
ସେପଟେ ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଏହି ଜିଲ୍ଲାରୁ ମୋଟ ୫୮ ଜଣ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ମିଳିଛି। ନବରଙ୍ଗପୁର ଓ ଖୋର୍ଦ୍ଧାରୁ ୧୯ଜଣ, ରାୟଗଡ଼ା ଓ ଗଜପତିରୁ ୧୬ ଜଣ, ଯାଜପୁର ଓ ନୟାଗଡ଼ରୁ ୩ ଜଣ, ମାଲକାନଗିରିରୁ ୫ ଜଣ, ପୁରୀ ଓ କେନ୍ଦ୍ରାପଡ଼ାରୁ ୬ ଜଣ, କଟକରୁ ୧୪ ଜଣ, ବରଗଡ଼ ଓ କୋରାପୁଟରୁ ଜଣେ ଓ ସମ୍ବଲପୁରରୁ ୨ ଜଣ ଚିହ୍ନଟ ହୋଇଥିବା ବିଭାଗ ସୂଚନା ଦେଇଛି। ଜଣେ ଏନଡିଆରଏଫ ଯବାନ ଚିହ୍ନଟ ହୋଇଥିବା ସୂଚନା ରହିଛି।