କମିଲା ସିଲାବସ, ଦୂର ହେଲା ଦ୍ୱନ୍ଦ୍ୱ
Advertisement

କମିଲା ସିଲାବସ, ଦୂର ହେଲା ଦ୍ୱନ୍ଦ୍ୱ

କୋରୋନା କମାଇଲା ସିଲାବସ୍, ଦୂର ହେଲା ଦ୍ୱନ୍ଦ୍ୱ ।

କମିଲା ସିଲାବସ, ଦୂର ହେଲା ଦ୍ୱନ୍ଦ୍ୱ

ଶାନ୍ତସ୍ୱରୂପ ରାଉଥ, ଭୁବନେଶ୍ୱର: କୋରୋନା କମାଇଲା ସିଲାବସ୍, ଦୂର ହେଲା ଦ୍ୱନ୍ଦ୍ୱ । ବିଳମ୍ବ ହେଲେ ବି ଓଡିଆ ମାଧ୍ୟମିକ ବୋର୍ଡ ଦ୍ୱାରା ପରିଚାଳିତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ହ୍ରାସ କରିବା ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ତିନି ବିଶେଷଜ୍ଞ କମିଟିର ରିପୋର୍ଟକୁ ଆଧାର କରି ଚଳିତ ବର୍ଷ ଶିକ୍ଷାବର୍ଷର ସିଲାବସକୁ ହାରାହାରି ୩୦ ପ୍ରତିଶତ କାଣ୍ଟଛାଣ୍ଟ କରାଯାଇଛି । ସଂଶୋଧିତ ସିଲାବସ SCERT, BSE ଓ CHSE ୱେବସାଇଟରେ ଉପଲବ୍ଧ କରାଯିବ । ତେବେ ଏହି କାଣ୍ଟଛାଣ୍ଟ ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର ହେଲେ ବି ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କମିଲା ବୋଝ । କୋରୋନା ମହାମାରୀ ହେତୁ ପାଠପଢା ବୋଝକୁ ହ୍ରାସ କଲେ ସରକାର । ଚଳିତ ବର୍ଷ ହାରାହାରି ୩୦ ପ୍ରତିଶତ କମ୍ ପଢିବେ ଛାତ୍ରଛାତ୍ରୀ । ଏସସିଇଆରଟି ଦ୍ୱାରା ପରିଚାଳିତ ପ୍ରଥମରୁ ଅଷ୍ଟମ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ(ବିଏସଇ) ନବମ ଓ ଦଶମ ଶ୍ରେଣୀ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଏକାଦଶ ଓ ଦ୍ୱାଦଶ ବା ଯୁକ୍ତ ଦୁଇ ପାଠ୍ୟକ୍ରମର ପ୍ରତ୍ୟେକ ବିଷୟରୁ ହାରାହାରି ୩୦ ପ୍ରତିଶତ କାଣ୍ଟଛାଣ୍ଟ କରାଯାଇଛି । ତେବେ ବିଦ୍ୟାଳୟ ପାଠ୍ୟକ୍ରମରେ ବିଶେଷ କରି ରାଜ୍ୟ ପରିପ୍ରେକ୍ଷୀ ସହ ଜଡିତ ବିଷୟ ବସ୍ତକୁ ପ୍ରାଧାନ୍ୟ ଦିଆଯିବା ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବଶ୍ୟକ ବିଷୟ ବସ୍ତୁକୁ ଯୁକ୍ତ ଦୁଇରେ ପ୍ରାଧାନ୍ୟ ଦିଆଯାଇ ବଳକା କିଛି ବିଷୟକୁ ବାଦ୍ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଯାହା କେବଳ ଚଳିତ ବର୍ଷ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ।

ସେପଟେ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ମିଶ୍ରିତ ପ୍ରତ୍ରିକ୍ରିୟା ପ୍ରକାଶ ପାଇଛି । ସିଲାବସ୍ କାଣ୍ଟଛାଣ୍ଟକୁ ସଭିଏଁ ସ୍ୱାଗତ କରିଥିଲେ ବି ସିବିଏସଇ ଓ ଆଇସିଏସଇ ବୋର୍ଡ ଦୁଇ ମାସ ପୂର୍ବରୁ ଘୋଷଣା କରିଥିବା ବେଳେ ଓଡିଆ ମାଧ୍ୟମିକ ବୋର୍ଡ ପକ୍ଷରୁ ଏତେ ବିଳମ୍ବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷକ ଓ ଅଭିଭାବକ ସଂଘ । ସେପଟେ ସିଲାବସ୍ କାଣ୍ଟଛାଣ୍ଟ ପରିବର୍ତ୍ତେ ଶିକ୍ଷାବର୍ଷ ଘୁଞ୍ଚାଇବାକୁ ଦାବି କରିଛି ଅଭିଭାବକ ସଂଘ ।

ତେବେ ଏବେବି ବିଦ୍ୟାଳୟ ଖୋଲିବା ନେଇ ଅନଶ୍ଚିତତା ଦେଖାଦେଇଥିବା ବେଳେ ବର୍ତ୍ତମାନର ପରିପ୍ରେକ୍ଷୀରେ ସ୍ଥିତିକୁ ଦେଖି ଏହି ୩୦ ପ୍ରତିଶତ ସିଲାବସ କମାଯାଇଥିବା ବେଳେ ବିଦ୍ୟାଳୟ ଖୋଲିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।