ବୁଲବୁଲରେ ୪ଟି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି: କେନ୍ଦ୍ରୀୟ ଟିମ
Advertisement

ବୁଲବୁଲରେ ୪ଟି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି: କେନ୍ଦ୍ରୀୟ ଟିମ

ବୁଲବୁଲରେ ରାଜ୍ୟର ଚାରୋଟି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି କେନ୍ଦ୍ରୀୟ ଟିମ

ସୌଜନ୍ୟ: ସୋସିଆଲ ମିଡିଆ'bhub

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବୁଲବୁଲରେ ରାଜ୍ୟର ଚାରୋଟି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି କେନ୍ଦ୍ରୀୟ ଟିମ । ଦୁଇଦିନିଆ ଗସ୍ତରେ ଚାରୋଟି ଜିଲ୍ଲାର ବୁଲବୁଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗ ସଚିବ ତଥା ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ଟିମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏପରିକି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକରାଙ୍କୁ ଧନ୍ୟବାଦ ଦେବା ସହ ବିଶେଷ କରି ବୁଲବୁଲ ପ୍ରଭାବିତ ଅଞ୍ଚଳରେ ଚାଷର ବ୍ୟାପକ କ୍ଷତି ହୋଇଥିବା କୁହାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ରୀୟ ଟିମର ତଦାରଖ ଶେଷ ହୋଇଥିବାରୁ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ବୁଲବୁଲ କ୍ଷୟକ୍ଷତି ସଂପର୍କୀତ ସବିଶେଷ ତଥ୍ୟ ମେମରେଣ୍ଡମ ଆକାରରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ । ଏଥିପାଇଁ ସରକାରଙ୍କ କୃଷି ଏବଂ ରାଜସ୍ୱ ବିଭାଗର ଅଧିକାରୀମାନେ ଯୁଗ୍ମ ଭାବେ ତଦନ୍ତ କରିବା ସହ ରିପୋର୍ଟ ପ୍ରଦାନ କରିବେ । ଏହାକୁ ନେଇ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ କେନ୍ଦ୍ରକୁ ଅବଗତ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । 

ବୁଲବୁଲ ଯୋଗୁ ପ୍ରଭାବିତ ଜିଲ୍ଲାର ୨ ଲକ୍ଷ ହେକ୍ଟରରୁ ଅଧିକ ଜମି କ୍ଷତିଗ୍ରସ୍ତ ହୋଇ ଥିବାବେଳେ ୫୫୦୦ ଘର କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରୀୟ ଟିମର ଆକଳନ ସରକାରଙ୍କ ଆକଳନ ସହ ପ୍ରାୟ ମିଶୁଛି ଏବଂ ଶେଷ ରିପୋର୍ଟ ମଧ୍ୟ ପାଖାପାଖି ସେୟା ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ଏପରିକି ପ୍ରାଥମିକ ତଦନ୍ତ ପରେ କ୍ଷୟକ୍ଷତି ସଂପର୍କୀତ ରିପୋର୍ଟ ପଞ୍ଚାୟତରେ ମରାଯିବ । ସାତ ଦିନ ପର୍ଯ୍ୟନ୍ତ ଲୋକମାନେ ଏହି ରିପୋର୍ଟ ଉପରେ ଅଭିଯୋଗ କରିପାରିବେ । ଏହାର ଆଉ ସାତଦିନ ମଧ୍ୟରେ ଫାଇନାଲ ଲିଷ୍ଟ ଉପଲବ୍ଧ ହେବ । ଯାହାକି ପଞ୍ଚାୟତ ସମେତ ୱେବସାଇଟରେ ମଧ୍ୟ ଉପଲବ୍ଧ ହେବ । ଏପରିକି କ୍ଷତିଗ୍ରସ୍ତ ଜମିର ତଦନ୍ତ ସମୟରେ ଏହାର ଫଟୋ ଉଠାଯିବ । ତଦନ୍ତ ପରେ କେନ୍ଦ୍ରକୁ ଦାବିପତ୍ର ପ୍ରଦାନ କରାଯିବ । ଏହା ପରେ କେନ୍ଦ୍ର ସହ ଆଲୋଚନା କରାଯିବ । ଏପରିକି ଆବଶ୍ୟକ ପଡିଲେ ଆଉ ଏକ କେନ୍ଦ୍ରୀୟ ଟିମ ଆସି ରିପୋର୍ଟକୁ ଟାଲି ମଧ୍ୟ କରିପାରନ୍ତି । ଏହା ପରେ ଦାବି ଏବଂ ନିୟମ ଆଧାରରରେ କେନ୍ଦ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।