ମୁଖ୍ୟମନ୍ତ୍ରୀଙ୍କ ପାଖରେ OAMର ଅଭିଯୋଗ
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜ୍ୟର ଛଅ ଲକ୍ଷ୍ୟ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ମାଗଣା ଶିକ୍ଷାରୁ ବଞ୍ଚିତ । ଏନେଇ ପୂର୍ବତନ ସଚିବଙ୍କୁ ଦାୟୀ କଲା ଓଡିଶା ଅଭିଭାବକ ମହାସଂଘ(OAM) । ଅବହେଳିତ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ସିଟ୍ ବିକ୍ରି କେଳେଙ୍କାରୀ ଘଟଣାରେ ପୂର୍ବତନ କମିଶନର ତଥା ଶାସନ ସଚିବଙ୍କୁ ମହାସଂଘ ଦାୟୀ କରିଛି । ଆଉ ତାଙ୍କ ଠାରୁ ସମ୍ପୂର୍ଣ ଅର୍ଥ ଆଦାୟ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି ହୋଇଛି ।
ସଂଘ କହିଛି, ମୁଖ୍ୟମନ୍ତ୍ରୀ ଲକ୍ଷ ଲକ୍ଷ ଅଭିଭାବକଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ଶିକ୍ଷା ଅଧିକାର ଆଇନ ୨୦୦୯-୧୦ର ଧାରା ୧୨କୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ । ଏହାସହ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଓଡିଶା ଅଭିଭାବକ ମହାସଂଘର ଉପାଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଏହି ଦାବି କରିଛନ୍ତି ।
କ'ଣ କହୁଛି ଶିକ୍ଷା ଅଧିକାର ଆଇନ ୨୦୦୯-୧୦ର ଧାରା ୧୨ ?
ଏହି ଆଇନ ଆନୁଯାୟୀ, ସମସ୍ତ ଶିକ୍ଷାନୁଷ୍ଠାନରେ ୨୫ ପ୍ରତିଶତ ସିଟରେ ଅବହେଳିତ ଶ୍ରେଣୀର ପିଲା ମାଗଣାରେ ପାଠ ପଢ଼ିପାରିବେ । ଏମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ଅନଗ୍ରସର ଅଭିଭାବକ ଓ ୧୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ । ଯଦି ସିଟ ଖାଲି ରୁହେ, ତେବେ ଏହି ଦୁଇ ଶ୍ରେଣୀ(ଅନଗ୍ରସର ଅଭିଭାବକ ଓ ଅନୁସୂଚିତ ଜାତି ଓ ଜନଜାତି) ମଧ୍ୟରେ ହିଁ ଅଦଳ ବଦଳ କରାଯାଇପାରିବ । ଏହାସତ୍ତ୍ୱେ ମଧ୍ୟ ଯଦି ସିଟ ପୂରଣ ନହୁଏ, ତେବେ ଏହା ପୁରା ବର୍ଷକ ପାଇଁ ଖାଲି ରହିବ । ଉକ୍ତ ସିଟରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ କୌଣସି ମତେ ମଧ୍ୟ ଆଡିମିଶନ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।
କ'ଣ ଥିଲା ପୁରା ଘଟଣା ?
ତେବେ ଉକ୍ତ ଆଇନ ବଳରେ ୨୦୧୦ ମସିହାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ନିର୍ଦ୍ଦେଶରେ ତତ୍କାଳୀନ ଗଣଶିକ୍ଷା ସଚିବ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଚିଠି ଲେଖିଥିଲେ । ଏହି ଆଇନ ମୁତାବକ ଅବହେଳିତ ଶ୍ରେଣୀର ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଆଡମିଶନ କରାଇବାକୁ ଚିଠିରେ ଉଲ୍ଲେଖ ରହିଥିଲା । ହେଲେ ଏହି ନିର୍ଦ୍ଦେଶର କିଛି ମାସ ପରେ ହିଁ ଆଇନ ଉଲଂଘନ ହୋଇଥିବା ସଂଘ ଅଭିଯୋଗ କରିଛି ।
ମହାସଂଘ କହିଛି, ସେତେବେଳେ ଏକ ଘରୋଇ ସ୍କୁଲରେ ସଂରକ୍ଷିତ ସିଟ ପୂରଣ ନହେବାରୁ ସାଧାରଣ ବର୍ଗର ପିଲାଙ୍କୁ ଉକ୍ତ ସିଟରେ ଆଡ଼ମିସନ କରିବା ପାଇଁ କର୍ତ୍ତୃପକ୍ଷ ଅନୁମତି ମାଗିଥିଲେ । ଆଉ ତତ୍କାଳୀନ ଶାସନ ସଚିବ ମଧ୍ୟ ଶିକ୍ଷା ଅଧିକାର ଆଇନ ୨୦୦୯-୧୦ରୁ ଧାରା ୧୨କୁ ଦଳି ମକଚି ସାଧାରଣ ବର୍ଗର ପିଲାଙ୍କୁ ନାମଲେଖା ପାଇଁ ସ୍ୱତନ୍ତ୍ର ଅନୁମତି ଦେଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ସେତେବେଳର ଏହି କ୍ଲାରିଫିକେସନ ସମସ୍ତ ଜିଲ୍ଲାପାଳଙ୍କୁ ନଦେଇ କେବଳ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଦେଇଥିଲେ ତତ୍କାଳୀନ ଶାସନ ସଚିବ । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି ମହାସଂଘ ।
ମହାସଂଘର ଅଭିଯୋଗ, ତତ୍କାଳୀନ ଶାସନ ସଚିବଙ୍କ ଏହି ଆଦେଶକୁ ମସୁଧା କରି ଏପରି ସିଟ୍ ଗୁଡ଼ିକ ବେଆଇନ ଭାବେ ବିକ୍ରି ଚାଲିଛି । ଫଳରେ ପ୍ରତ୍ୟେକ ବର୍ଷ ଅଭିଭାବକମାନେ ଶୋଷଣର ଶିକାର ହେଉଛନ୍ତି । ଯଦି ଏହି ଆଇନ ସମ୍ପୂର୍ଣ ଭାବେ ପାଳନ ହୋଇଥାନ୍ତା, ତେବେ ରାଜ୍ୟର ୬ ଲକ୍ଷ୍ୟ ଯୋଗ୍ୟ ଛାତ୍ରଛାତ୍ରୀ ମାଗଣା ଶିକ୍ଷାରୁ ବଞ୍ଚିତ ହୋଇନଥାନ୍ତେ । କିନ୍ତୁ କାହା ସ୍ୱାର୍ଥରେ ସାଧାରଣ ବର୍ଗର ପିଲାଙ୍କୁ ଏପରି ସିଟରେ ଆଡମିଶନ ପାଇଁ ଅନୁମତି ଦିଆଯାଇଛି ବୋଲି ପ୍ରଶ୍ନ କରିଛି ଓଡିଶା ଅଭିଭାବକ ମହାସଂଘ । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।