ଛଅ ମାସରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି
Advertisement

ଛଅ ମାସରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି

ଜାନୁଆରୀ ୨୦୧୯ରୁ ଜୁନ୍ ୨୦୧୯ ମଧ୍ୟରେ ୬୦୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି: ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

file photo

ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ବଢୁଛି ନାରୀ ନିର୍ଯ୍ୟାତନା । ନାବାଳିକାଙ୍କ ଉପରେ ଅତ୍ୟାଚାର ସଂଖ୍ୟା ବି ବଢି ଚାଲିଛି । ସେପ୍ଟେମ୍ବର ୨୦୧୯ ସୁଦ୍ଧା ମୋଟ ୧୮୬୫ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସେହିପରି ଜାନୁଆରୀ ୨୦୧୯ରୁ ଜୁନ୍ ୨୦୧୯ ମଧ୍ୟରେ ୬୦୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ବିଜେପି ସଭ୍ୟ ନାଉରୀ ନାୟକ ଏବଂ ବିଜେଡ଼ି ସଭ୍ୟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି ପ୍ରସଙ୍ଗରେ ଶୂନ୍ୟକାଳରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ହଟ୍ଟଗୋଳ କରିବା ସହ ସରକାରଙ୍କୁ ଘେରିଛନ୍ତି । ସେହିପରି ୨୦୧୮ ମସିହାରେ ମୋଟ ୧୦୭୩ଟି ଦୁଷ୍କର୍ମ ମାମଲାର ବିଚାର ସରିଥିବା ବେଳେ ମାତ୍ର ୧୯୭ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ୮୭୬ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ।

ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ଚମକାଇଦେବା ଭଳି । ବିଜେପି ସଭ୍ୟ ନାଉରୀ ନାୟକ ଓ ବିଜେଡ଼ି ସଭ୍ୟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତର ରଖିଛନ୍ତି ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ରାଜ୍ୟରେ ନାରୀ ନିର୍ଯ୍ୟାତନା, ହତ୍ୟା ଓ ଡ଼କାୟତି ସଂଖ୍ୟା ବଢିଚାଲିଛି ବୋଲି ସ୍ପଷ୍ଟ ହୋଇଛି । ୨୦୧୯ ସେପ୍ଟେମ୍ବର ସୁଦ୍ଧା ୧୮୬୫ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏହି ସଂଖ୍ୟା ଜୁନ୍ ମାସ ଶେଷ ସୁଦ୍ଧା ୧୦୭୩ରେ ଥିବା ବେଳେ ଏଥିରୁ ନାବାଳିକା ଦୁଷ୍କର୍ମ ମାମଲା ୮୯୭ଟି ରହିଛି । ମାମଲା ବଢିବା ସଙ୍ଗେ ପୋଲିସ ବିଭାଗର ଆନ୍ତରିକତା ଅଭାବରୁ ଅପରାଧିମାନେ ଦୋଷମୁକ୍ତ ହେଉଛନ୍ତି । ଯେତିକି ମାମଲା ରୁଜୁ ହୋଇଛି, ସେଥିରୁ ୨୦୧୮ରେ ମାତ୍ର ୧୮.୩୫% ପ୍ରତିଶତ ମାମଲାରେ ଅପରାଧିମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୦୭୩ ମାମଲାରୁ ୧୯୭ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୮୭୬ଟି ମାମଲାରେ ଅଭିଯୁକ୍ତମାନେ ତଥ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହାକୁ ନେଇ ସରକାରଙ୍କୁ ଘେରିଛି ବିରୋଧି କଂଗ୍ରେସ ଓ ବିଜେପି ।

ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ୨୦୧୯ ସେପ୍ଟେମ୍ବର ସୁଦ୍ଧା ୧୦୭୯ଟି ହତ୍ୟା, ୧୮୬୫ଟି ଦୁଷ୍କର୍ମ ଏବଂ ୪୦୬ଟି ଡକାୟତି ମାମଲା ରୁଜୁ ହୋଇଛି । ସେହିପରି ୨୦୧୮ରେ ବିଚାରାଧିନ ୧୦୭୩ଟି ଦୁଷ୍କର୍ମ ମାମଲାରୁ ୧୯୭ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫୁଲବାଣୀରେ ସର୍ବାଧିକ ୪୨.୫୯ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଝାରୁସୁଗୁଡ଼ା ଜିଲ୍ଲାରେ ୧୧ଟି ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ଦଣ୍ଡ ହାର ମାତ୍ର ୨.୮୫ ପ୍ରତିଶତ ରହିଛି । ଗୋଟିଏ ପଟେ ନାରୀ ନିର୍ଯ୍ୟତନା ବଢୁଥିବା ବେଳେ ଦଣ୍ଡହାର କମୁଛି । ଏହାକୁ ନେଇ ବିରୋଧି ସରକାରଙ୍କୁ ଘେରିବାକୁ ପ୍ରୟାସ କରୁଥିବା ବେଳେ ଶାସକ ବିଜେଡ଼ି ବି ଏହାର ଜବାବ ରଖିଛି । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, ବାଚସ୍ପତି ଯାହା ରୁଲିଂ ଦେବେ, ସେହି ଅନୁସାରେ ହେବ ବୋଲି ସରକାରୀ ମୁଖ୍ୟ ସଚେତକ କହିଛନ୍ତି ।