)
ଭୁବନେଶ୍ୱର: ଦେଶବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ହଜାର ୮୬୮ରେ ପହଞ୍ଚିଛି । ସେହିପରି ଓଡ଼ିଶାରେ ଏପର୍ଯ୍ୟନ୍ତ ୧୩୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଦେଶବ୍ୟାପୀ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ିଶାରେ ୧.୦୧ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସମଗ୍ର ଦେଶରେ ୩୮୬୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ଏହି ସଂଖ୍ୟା ୭ ରହିଛି ।
ଆଜି ରାଜ୍ୟରେ ୬୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଏମାନଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେହିପରି ୪ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ଜିଲ୍ଲା ଭାବେ ବରଗଡ଼ ଓ ନୂଆପଡ଼ାକୁ ମଧ୍ୟ ଏଣ୍ଟ୍ରିମାରିଛି କୋରୋନା । ଆଉ ଏହାକୁ ମିଶାଇ ରାଜ୍ୟର ୨୮ ଜିଲ୍ଲାକୁ ପ୍ରବେଶ କରିସାରିଲାଣି ମହାମାରୀ । ତେବେ ଏବେ ବି ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାର ପାଖ ମାଡ଼ିପାରିନି ଏହି ଭାଇରସ୍ ।
ଆଜି ଚିହ୍ନଟ ହୋଇଥିବା ୭୬ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ସର୍ବାଧିକ ୧୬ ଜଣ ରହିଛନ୍ତି । ସେହିପରି ନୟାଗଡ଼ରୁ ୧୩, ଗଞ୍ଜାମରୁ ୭, ବଲାଙ୍ଗୀରରୁ ୭, ଅନୁଗୋଳରୁ ୬, ସୁନ୍ଦରଗଡ଼ରୁ ୪, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୩, କଟକରୁ ୨, ମାଲକାନଗିରିରୁ ୨ ଏବଂ ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ସମସ୍ତ ୧୩୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୭ ଜଣ ସୁସ୍ଥ ହେଲେଣି । ସେହିପରି ୭ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏବେ ୮୩୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।