କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ର ୪ ଜଣ ଥିବା ବେଳେ ଭଦ୍ରକରୁ ୩ ଜଣ ରହିଛନ୍ତି ।
Trending Photos
ଭୁବନେଶ୍ୱର: ରାଜ୍ୟରେ ପୁଣି ୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ର ୪ ଜଣ ଥିବା ବେଳେ ଭଦ୍ରକରୁ ୩ ଜଣ ରହିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ଏନେଇ ସୂଚନା ଦିଆଯାଇଛି ।
ଏବେ ନୂଆ ୪ ମାମଲା ସାମ୍ନାକୁ ଆସିବା ପରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହେଲେଣି । ଅର୍ଥାତ ଅନ୍ୟ ୭ ଜଣଙ୍କ ଚିକିତ୍ସା ଚାଲିଛି । ସେହିପରି ଭଦ୍ରକରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ମଧ୍ୟ ହେଲେଣି । ଜିଲ୍ଲାରେ ୧୭ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ତେବେ ଭଦ୍ରକର ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁରର ହୋଇଥିବା ବେଳେ ଜଣେ ବନ୍ତ ବ୍ଲକରୁ ବୋଲି ଜଣାପଡ଼ିଛି । ସେହିପରି ସମସ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ଥିବା କୁହାଯାଇଛି ।
ରାଜ୍ୟରେ ଯେଉଁ ୧୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୩୭ ଜଣ ସୁସ୍ଥ ହେଲେଣି । ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ବର୍ତ୍ତମାନ ବିଭିନ୍ନ କୋଭିଡ ହସ୍ପିଟାଲରେ ୮୦ ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।
ଏବେ ରାଜ୍ୟର ପୁରା କୋରୋନା ଚିତ୍ର ସମ୍ପର୍କରେ ନଜର ପକାଇବା । ରାଜ୍ୟରେ ୨୦ ଜିଲ୍ଲା ଗ୍ରିନ ଜୋନରେ ରହିଥିବା ବେଳେ ୫ଟି ଲେଖାଏଁ ଜିଲ୍ଲା ଓରେଞ୍ଜ ଓ ରେଡ ଜୋନରେ ରହିଛି । ଯେଉଁ ୨୦ ଜିଲ୍ଲା ଗ୍ରିନ ଜୋନରେ ରହିଛି, ସେଗୁଡ଼ିକ ମଧ୍ୟରୁ ୧୯ ଜିଲ୍ଲାରେ କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଗ୍ରିନ ଜୋନରେ ଥିବା କେବଳ କୋରାପୁଟ ଜିଲ୍ଲାରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓରେଞ୍ଜ ଜୋନରେ ଥିବା ଜିଲ୍ଲା ଗୁଡ଼ିକ ହେଲେ କଳାହାଣ୍ଡି(୨), ଢେଙ୍କାନାଳ(୧), କଟକ(୧), କେନ୍ଦ୍ରାପଡ଼ା(୨) ଓ ପୁରୀ(୧) । ତେବେ ଏମାନଙ୍କ ମଧ୍ୟରୁ କେବଳ କେନ୍ଦ୍ରାପଡ଼ାର ଜଣେ ଆକ୍ରାନ୍ତଙ୍କ ଚିକିତ୍ସା ବର୍ତ୍ତମାନ ଜାରିରହିଛି । ଅନ୍ୟମାନେ ସୁସ୍ଥ ହେଲେଣି ।
ଏବେ ନଜର ପକାଇବା ରେଡ୍ ଜୋନ ଉପରେ । ରେଡ ଜୋନରେ ଆସୁଥିବା ୫ ଜିଲ୍ଲା ହେଲେ ଖୋର୍ଦ୍ଧା(ରାଜଧାନୀ ଭୁବନେଶ୍ୱର ମଧ୍ୟ ଆସୁଛି), ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ସୁନ୍ଦରଗଡ଼ । ତେବେ ଖୋର୍ଦ୍ଧାରେ ଏପର୍ଯ୍ୟନ୍ତ ୪୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଅନ୍ୟ ୨୦ ରୋଗୀଙ୍କ ଚିକିତ୍ସା ଚାଲିଛି । ସେହିପରି ଯାଜପୁରରେ ୧୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହେଲେଣି । ଭଦ୍ରକରେ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରେ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ କେହି ସୁସ୍ଥ ହୋଇନାହାଁନ୍ତି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ସୁନ୍ଦରଗଡର ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହେଲେଣି । ଅନ୍ୟ ୭ ଜଣଙ୍କ ଚିକିତ୍ସା ଜାରି ରହିଛି ।
ଏବେ କୋରୋନା ସମ୍ପର୍କିତ ଅନ୍ୟ କିଛି ତଥ୍ୟ ସମ୍ପର୍କରେ ନଜର ପକାଇବା । ରାଜ୍ୟର ୧୧୮ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪ ଜଣ ପୁରୁଷ ରହିଥିବା ବେଳେ ୩୪ ଜଣ ମହିଳା ଅଛନ୍ତି । ସେହିପରି ୧୫ରୁ ୪୦ ବର୍ଷ ବୟସର ସର୍ବାଧିକ ୬୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ୦ରୁ ୧୪ ବର୍ଷ ଭିତରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧ରୁ ୬୦ ବର୍ଷ ଭିତରେ ୩୭ ଆକ୍ରାନ୍ତ ଥିବା ବେଳେ ୧୧ ଜଣ ୬୦ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।
ସେହିପରି ଗତକାଲି ସୁଦ୍ଧା ରାଜ୍ୟରେ ସମୁଦାୟ ୨୬୬୮୭ ନମୁନା ପରୀକ୍ଷା ହୋଇସାରିଛି । ସେଥିମଧ୍ୟରୁ ୧୧୮ ହିଁ ପଜିଟିଭ ରହିଛି । ଅର୍ଥାତ ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ୦.୪୪ ପ୍ରତିଶତ ପଜିଟିଭ୍ ଆସିଛି ।