)
ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୀମା ଲଂଘୁଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ୭୧୮ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। ଗଞ୍ଜାମରେ ନିୟନ୍ତ୍ରଣ ବାହାରକୁ ଯାଉଛି କୋରୋନାର ସ୍ଥିତି।
ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୭୧୮ଟି ମାମଲା ମଧ୍ୟରୁ ୪୭୯ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିଭଳି ସ୍ଥାନୀୟ ମାମଲା ୨୩୯ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୧୧୦ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୦,୮୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୧୨୪ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୪୦୧ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।
ସେପଟେ ୨୪ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୨୩୧ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରେ କୋରୋନା ମଧ୍ୟ ତାର ପୂର୍ବ ରେକର୍ଡକୁ ଭାଙ୍ଗିଛି।
ସେହିପରି ଅନୁଗୋଳ, ବାଲେଶ୍ୱର ଓ ପୁରୀରୁ ୯ ଜଣ, ବରଗଡ଼ ୪ ଜଣ, ଭଦ୍ରକରୁ ୧୦ ଜଣ, କଟକରୁ ୩୨ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ୨୧ ଜଣ, ଜଗତସିଂହପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୨୮ ଜଣ, ଖୋର୍ଦ୍ଦାରୁ ୧୫୦ ଜଣ, କୋରାପୁଟରୁ ୨୭ ଜଣ, ମାଲକାନଗିରିରୁ ୫୪ ଜଣ, ମୟୂରଭଞ୍ଜରୁ ୨୨ ଜଣ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୩ ଜଣ, ରାୟଗଡ଼ାରୁ ୧୯ ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ୫ ଜଣ ଓ ସୁନ୍ଦରଗଡ଼ରୁ ୧୦ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।
ସେହିପରି ଗତକାଲି କୋରୋନା ଆଉ ଦୁଇ ଜଣଙ୍କ ମୁଣ୍ଡ ନେଇଛି। ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି। ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଛି।