ପିସିସି ମୁଖିଆଙ୍କ ପିଛା ଛାଡୁନି ବିବାଦ
Advertisement

ପିସିସି ମୁଖିଆଙ୍କ ପିଛା ଛାଡୁନି ବିବାଦ

କଂଗ୍ରେସର ବ୍ୟାପକ ବିପର୍ଯ୍ୟୟ ପରେ ସଭାପତି ପଦରୁ ହଟାଇବା ଅଭିଯାନ

ପିସିସି ମୁଖିଆଙ୍କ ପିଛା ଛାଡୁନି ବିବାଦ

ଭୁବନେଶ୍ୱର: ବିବାଦ ପିସିସି ସଭାପତିଙ୍କ ପିଛା ଛାଡିବାର ନାଁ ଧରୁନି । ପ୍ରଥମେ ରାଜ୍ଯରେ କଂଗ୍ରେସର ବ୍ଯାପକ ବିପର୍ଯ୍ୟ  ପରେ ତାଙ୍କୁ ପିସିସି ସଭାପତି ପଦରୁ ହଟାଇବା ଅଭିଯାନ ଚାଲୁ ରହିଛି । ଏଭଳି ସ୍ଥିତିରେ ବାଉନସର ଭଳି ବିବାଦ ଏବେ ଉଗ୍ର ରୂପ ଧରିଥିବାବଳେ ନୂଆ କମିଟିକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି ।

ପିସିସିର ସମସ୍ତ କମିଟି ଭଙ୍ଗା  ସରିଥିବାବେଳେ ଏବେ ନୂଆ କରି ଗଣମାଧ୍ଯମ ଏବଂ ଶୃଙ୍ଖଳା କମିଟି ଗଠିତ ହୋଇ ଏଆଇସିସି ଅନୁମୋଦନ ଅପେକ୍ଷାରେ ରହିଛି । ଏଭଳି ସ୍ଥିତିରେ ସେହି କମିଟିର ଲିଷ୍ଟ ବାହାରେ ଭାଇରାଲ ହେବା ପରେ କଂଗ୍ରେସ ମହଲରେ ବ୍ଯାପକ ଅସନ୍ତୋଷ ଦେଖାଦେଇଛି ।

 ପୂର୍ବ କମିଟିରି ଗଣମାଧ୍ଯମ ବିଭାଗର ଅଧ୍ଯକ୍ଷ ଭାବେ ସତ୍ଯ ପ୍ରକାଶ ନାୟକ କାର୍ଯ୍ୟ  କରୁଥିବାବେଳେ ନୂଆ କମିଟିରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ ରଖାଯାଇଛି । ସେହିଭଳି ସତ୍ଯ ପ୍ରକାଶ ନାୟକଙ୍କୁ ରିସୋର୍ସ ପର୍ସନ ଭାବେ ରଖାଯାଇଛି । ଏପରିକି ପୂର୍ବରୁ କିଛି ମୁଖପାତ୍ରଙ୍କୁ ଏହି ନୂଆ କମିଟିରେ କେବଳ ମିଡିଆ ପ୍ଯାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ଏଥିପାଇଁ ସତ୍ଯ ନାୟକଙ୍କ ସମେତ ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ଶୈଳେନ୍ଦୁ ମଜୁମଦାର ପ୍ରମୁଖ ତୀବ୍ର ଅସନ୍ତୋଷ ବ୍ଯକ୍ତ କରିଛନ୍ତି । ଏପରିକି ସତ୍ଯ ନାୟକଙ୍କ ସହ ପୂର୍ବ ଗଣମାଧ୍ଯମ କମିଟିର 4 ଜଣ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି । 
ଅନ୍ଯପକ୍ଷରେ ଏ ସଂପର୍କରେ ଶୁଣାଯାଉଥିବାବେଳେ ତୁରନ୍ତ ଏହାକୁ ନେଇ ଆଲୋଚନା କରାଯିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି । ପିସିସି ପକ୍ଷରୁ କରାଯାଇଥିବା ନୂଆ ମିଡିଆ କମିଟିରେ ପଞ୍ଚାନନ  କାନୁନଗୋ ଅଧ୍ଯକ୍ଷ ରହିଥିବାବେଳେ ଆବାହକ ଭାବେ ଆର୍ଯ୍ୟ  କୁମାର ଜ୍ଞାନେନ୍ଦ୍ରଙ୍କୁ ରଖାଯାଇଛି । ସେହିପରି ରିସୋର୍ସ ପର୍ସନ ଭାବେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସତ୍ଯପ୍ରକାଶ ନାୟକ ଆଦି 8 ଜଣଙ୍କୁ ନିଆଯାଇଛି । ସେହିଭଳି ମୁଖପାତ୍ର ଭାବେ ମନୋଜ ମହାପାତ୍ର, ପ୍ରଦୀପ ଦେବତା, ସ୍ମୃତିରେଖା ପହି, ସୁଦର୍ଶନ ଦାଶ ଆଦି 6 ଜଣଙ୍କୁ ନିଆଯାଇଛି ।

କମିଟି ଲିଷ୍ଟ ଭାଇରାଲ ହେବା ପରେ ଅସନ୍ତୁଷ୍ଟ ନେତାମାନେ ଦିଲ୍ଲୀ ଦରବାରରେ କଥା ପହଂଚାଇବାକୁ ଲାଗିଲେଣି । ଏଭଳି ସ୍ଥିତିରେ ନୂଆ କମିଟିରେ ସ୍ଥାନ ପାଇଥିବା ନେତାମାନେ ନୂଆ ଟିମ ଘୋଷଣା ହୋଇ ନ ଥିବା କହୁଥିବାବେଳେ ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଛନ୍ତି । ଦଳ ଯାହାକୁ ଯାହା ଦାୟିତ୍ୱ  ଦେବ ତାହା ପାଳନ କରିବା ଉଚିତ ବୋଲି କୁହାଯାଇଛି । ଅନ୍ଯପକ୍ଷରେ ଏହି କମିଟିରେ କିଛି ବଡ ପରିବର୍ତ୍ତନ ହେବ ବୋଲି ପିସିସି ସଭାପତି କହିଛନ୍ତି ।