ଚଳିତ ବର୍ଷ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୪୧୧୫ ଜଣଙ୍କ ମୃତ୍ୟୁ

ଦୁର୍ଘଟଣା ରୋକିବା ଦିଗରେ ସରକାରଙ୍କ ବିଫଳତାକୁ ନେଇ ବିରୋଧି ପ୍ରଶ୍ନ ଉଠାଇଛନ୍ତି । ଏପଟେ ରାଜ୍ୟରେ ୧୫ବର୍ଷର ପୁରୁଣା ଗାଡ଼ି ସଂଖ୍ୟା ୨୨ଲକ୍ଷ ଥିବା ବେଳେ ଏଥିରୁ ଅଧା ଗାଡ଼ି ଲବେ ରାସ୍ତାରେ ଚାଲୁଛି ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଚଳିତ ବର୍ଷ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୪୧୧୫ ଜଣଙ୍କ ମୃତ୍ୟୁ

ଯଯାତି ମହାନ୍ତି, ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସଚେତନତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଦିନକୁ ଦିନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ଚାଳକଙ୍କୁ ରାସ୍ତାଘାଟର ନିୟମ ମାନିବା ପାଇଁ ନୂଆ ମୋଟର ଯାନ ଆସିଲା ପରେ ମଧ୍ୟ ସ୍ଥିତି ସୁଧୁରି ନାହିଁ । ଗତବର୍ଷ ଅପେକ୍ଷା ଏଥର ଜୋରିମାନା ପରିମାଣ କମିଛି, କିନ୍ତୁ ଟିକସ ରାଜସ୍ୱ ବଢିଛି । ନିୟମ କଡ଼ାକଡ଼ି ପାଳନ ହୋଇନଥିବାରୁ ଜୋରିମାନା ବଢିନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ଦୁର୍ଘଟଣା ରୋକିବା ଦିଗରେ ସରକାରଙ୍କ ବିଫଳତାକୁ ନେଇ ବିରୋଧି ପ୍ରଶ୍ନ ଉଠାଇଛନ୍ତି । ଏପଟେ ରାଜ୍ୟରେ ୧୫ବର୍ଷର ପୁରୁଣା ଗାଡ଼ି ସଂଖ୍ୟା ୨୨ଲକ୍ଷ ଥିବା ବେଳେ ଏଥିରୁ ଅଧା ଗାଡ଼ି ଲବେ ରାସ୍ତାରେ ଚାଲୁଛି ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । କାମ ଦେଉନି ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ସଚେତନତା । ରାଜ୍ୟ ରାଜ୍ୟ କୋଷରୁ ପୁଳା ପୁଳା ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା କମିବାର ନାଁ ଧରୁନି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ସଡ଼କ ସୁରକ୍ଷା ସପ୍ତାହ ପାଳନ ଓ ସଚେତନତା ନାଁରେ ରାଜ୍ୟ ସରକାର ୪ ବର୍ଷରେ ପାଖାପାଖି ୩ କୋଟି ଖର୍ଚ୍ଚ କରି ସାରିଲେଣି ।

୨୦୧୬ ମସିହାରେ ୫୫ ଲକ୍ଷ ୬୬ ହଜାର ୫୫୪ ଟଙ୍କା, ୨୦୧୭ ରେ ୫୬ ଲକ୍ଷ ୨୩ ହଜାର ୩୬ ଟଙ୍କା, ୨୦୧୮ରେ ୬୫ ଲକ୍ଷ ୧୪ ହଜାର ୨୨୮ ଟଙ୍କା, ୨୦୧୯ରେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୧୯ ହଜାର ୬୭୯ ଟଙ୍କା ଖର୍ଚ୍ଚ ହୋଇଛି । ବିଜେଡି ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପ୍ରଶ୍ନର ଉତ୍ତର ରଖି ସଡ଼କ ଓ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ତଥ୍ୟ ଦେଇଛନ୍ତି । ରାଜ୍ୟରେ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ।
୨୦୧୬ ରୁ ୨୦୧୯ ଭିତରେ କ୍ରମାଗତ ଭାବେ ଦୁର୍ଘଟଣା ବଢି ଚାଲିଥିଲେ ସୁଧା ରାଜ୍ୟ ସରକାର ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ୨୦୧୬ରେ ୧୦ ହଜାର ୫୩୨ ଦୁର୍ଘଟଣା ଘଟିଥିବା ବେଳେ ୪ ହଜାର ୪୬୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ୨୦୧୭ ମସିହାରେ ୧୦ ହଜାର ୮୫୫ ଦୁର୍ଘଟଣା ଘଟିଥିବା ବେଳେ ୪ ହଜାର ୭୯୦ ଜଣଙ୍କ ମୃତ୍ୟୁ ଘଟିଛି । ୨୦୧୮ ମସିହାରେ ୧୧ ହଜାର ୨୬୨ ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୩୧୫ ଜନଙ୍କ ମୃତ୍ୟୁ ଘଟିଛି । ୨୦୧୯ରେ ବର୍ତ୍ତମାନ ସୁଦ୍ଧା ୮ ହଜାର ୨୦୩ ଦୁର୍ଘଟଣା ଘଟିଥିବା ବେଳେ ୪ ହଜାର ୧୧୫ ଜଣଙ୍କ ମୃତ୍ୟୁ ଘଟିଲାଣି । ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ତଥ୍ୟ ଦେଇଛନ୍ତି ।

 ଦୁର୍ଘଟଣା ଯୋଗୁଁ ପ୍ରତିବର୍ଷ ହଜାର ହଜାର ଲୋକ ପ୍ରାଣ ହରାଉଥିଲେ ମଧ୍ୟ ସରକାର କେବଳ ସଚେତନତା ନାଁରେ କୋଟି କୋଟି ଟଙ୍କା ଲୁଟ୍ କରୁଛନ୍ତି ବୋଲି ବିରୋଧି ଅଭିଯୋଗ କରିଛନ୍ତି । ନୂଆ ମୋଟର  ଯାନ ଆଇନ କେବଳ ରାଜଧାନୀ ଭୁବନେଶ୍ୱରରେ ଅଧିକ କଡ଼ାକଡ଼ି କରାଗଲା । ମନ୍ତ୍ରୀ ବୁଲିଥିବା ୧୨ଟି ଜିଲ୍ଲାରେ ନୂଆ ନିୟମର ପ୍ରଭାବ ଏତେ ନଥିଲା ବୋଲି ମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଇଁ ମଦ୍ୟପାନକୁ ଦାୟୀ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ହେଲେ ବିରୋଧି କହିଛନ୍ତି, ସରକାର କେବଳ ଜୋରିମାନା ଆଦାୟରେ ବ୍ୟସ୍ତ, ରାସ୍ତାଘାଟ ସଜାଡ଼ିବା କଥା ଭୂଲି ଯାଇଛନ୍ତି, ଯେଉଁଥିପାଇଁ ଦୁର୍ଘଟଣା ବଢିଚାଲିଛି ।

ସେପଟେମ୍ବର ଓ ଅକ୍ଟୋବର ଦୁଇ ମାସରେ ଜୋରିମାନା ଆଦାୟ ହୋଇଛି ୧୩ କୋଟି ୮୫ ଲକ୍ଷ। ଗତ ବର୍ଷ ଏହି ଦୁଇ ମାସ ରେ ଆଦାୟ ହୋଇଥିଲା ୨୦ କୋଟି ୬ ଲକ୍ଷ । ଦୁଇ ମାସ ରେ ଟିକସ ବାବଦରେ ଆଦାୟ ହୋଇଛି ୨୪୪ କୋଟି ୬୪ ଲକ୍ଷ । ଗତ ବର୍ଷ ଏହି ଦୁଇ ମାସ ରେ ଆଦାୟ ହୋଇଥିଲା ୨୦୨ କୋଟି । ସେହିପରି ରାଜ୍ୟରେ ୧୫ ବର୍ଷରୁ ପୁରୁଣା ଗାଡ଼ି ସଂଖ୍ୟା ୨୨ ଲକ୍ଷ ୯ ହଜାର ୫୭୩ଟି ମୋଟରଗାଡ଼ି ଅଛି । ସେଥିମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡି ଚଲା ଚଳ କରୁଛି । କେନ୍ଦ୍ର ସରକାର ଙ୍କ ମୋଟରଜାନ ଆଇନ ୨୦୧୯ ଅନୁଯାୟୀ ୧୫ ବର୍ଷରୁ ମୋଟର ଗାଡିକୁ ନିଷେଧ  କରାଯାଇଛି ।