)
ସରୋଜ ବେହେରା, ଭୁବନେଶ୍ୱର: ବଞ୍ଚିଥିଲା ବେଳେ ମଦ ବିରୋଧୀ ଆନ୍ଦୋଳନ କରୁଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ମଦକୁ ବିରୋଧ କରି ବିଭିନ୍ନ ପୋଷ୍ଟ କରୁଥିଲେ । ଆଉ ମୃତ୍ୟୁ ପୂର୍ବରୁ ମଧ୍ୟ ସେହି ମଦ ମୁକ୍ତ ଓଡ଼ିଶା କଥା କହିଗଲେ । ଓଡ଼ିଶାରୁ ମଦ ବନ୍ଦ ହେଲେ ମୋ ଆତ୍ମାକୁ ଶାନ୍ତି ମିଳିବ ବୋଲି ସୁଇସାଇଡ ନୋଟରେ କହିଯାଇଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶ । ଆଉ ଆଦିତ୍ୟଙ୍କ ଏହି ସୁଇସାଇଡ୍ ନୋଟ୍ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏହାରି ମାଧ୍ୟମରେ ମୃତ୍ୟୁର ଅସଲ କାରଣ ସାମ୍ନାକୁ ଆସିବ ବୋଲି ଆଶା କରୁଛନ୍ତି ଆଦିତ୍ୟଙ୍କ ହଜାର ହଜାର ପ୍ରଶଂସକ ।
କେମିତି ହେଲା ଆଦିତ୍ୟଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ! ଯଦି ଆତ୍ମହତ୍ୟା କରିଛନ୍ତି, ତେବେ କାହିଁକି ଏଭଳି ନିଷ୍ପତ୍ତି ନେଲେ ? ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସୁଇସାଇଡ ନୋଟ କହୁଛି ଅନେକ କଥା । ଯେଉଁ ନୋଟ ମାଧ୍ୟମରେ ସେ କେବଳ ସମାଜ ପାଇଁ ଦେଖିଥିବା ସ୍ୱପ୍ନକୁ ବାଖାଣିନାହାଁନ୍ତି, ଆହୁରି ମଧ୍ୟ ଭଲ କାମ ପାଇଁ ଯେଉଁସବୁ ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼େ ସେକଥା ମଧ୍ୟ କହିଯାଇଛନ୍ତି । ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ଶକ୍ତିଶାଳୀ କରିବାକୁ ହେବ ବୋଲି ସେ ଯୁବପୀଢ଼ିଙ୍କୁ କହିଯାଇଛନ୍ତି । ନହେଲେ ସେମାନେ ତୁମର ବଞ୍ଚିବା ମୁସକିଲ କରିଦେବେ ବୋଲି ନିଜ ସୁଇସାଇଡ୍ ନୋଟରେ କହିଛନ୍ତି ଆଦିତ୍ୟ ।

ଯଦିଓ ସୁଇସାଇଡ୍ ନୋଟରେ(ଯାହା ଭାଇରାଲ ହେଉଛି) ମୃତ୍ୟୁ ପାଇଁ କେହି ମଧ୍ୟ ଦାୟୀ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ତଥାପି ମଧ୍ୟ ଯୁବପୀଢ଼ିଙ୍କୁ ବଖାଣିଥିବା ଏହି ଅଭିଜ୍ଞତା ଅନେକ କଥା କହୁଛି । କାହାସହ ପଙ୍ଗା ନେଇଥିଲେ ଆଦିତ୍ୟ ? ମଦ ବିରୋଧୀ ଆନ୍ଦୋଳନ ଯୋଗୁ ଆଦିତ୍ୟଙ୍କୁ କିଏ ଧମକ ଚମକ ଦେଉଥିଲା ? ଆଦିତ୍ୟଙ୍କ ବଞ୍ଚିବାକୁ କିଏ ମୁସକିଲ କରିଦେଇଥିଲା ? ଏ ତମାମ ପ୍ରଶ୍ନ ଏବେ ଉଠିବା ସ୍ୱାଭାବିକ ।
ଏବେ ଆଦିତ୍ୟଙ୍କ ଫେସବୁକ ଆକାଉଣ୍ଟ ଉପରେ ସାମାନ୍ୟ ନଜର ପକାଇବେ । ଗୋଟିଏ କି ଦୁଇଟି ନୁହେଁ, ମଦ ବିରୋଧରେ ଅନେକବାର ବିଭିନ୍ନ ପୋଷ୍ଟ କରିଥିଲେ ସେ । ଓଡ଼ିଶାର ମଦ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରୁଥିଲେ । ଆଉ ଏନେଇ ସରକାରଙ୍କୁ ମଧ୍ୟ କଡ଼ା ସାମାଲୋଚନା କରୁଥିଲେ । ତେବେ ସୁଇସାଇଟ ନୋଟରେ ମଧ୍ୟ ସେହି ମଦ ମୁକ୍ତ ଓଡ଼ିଶା ଓ ସରକାରଙ୍କ ସହ ପଙ୍ଗା ବିଷୟରେ ସେ ସାମାନ୍ୟ ଟିପ୍ପଣୀ ଦେଇଛନ୍ତି । ତେଣୁ ଆଦିତ୍ୟଙ୍କ ମୃତ୍ୟୁ ସହ ଯେ ଏହାର ସମ୍ପର୍କ ଥାଇପାରେ, ଏଭଳି ଆଶଙ୍କା ପ୍ରକାଶ ପାଉଛି । ଅବଶ୍ୟ ରେଳବାଇ ପୋଲିସର ତଦନ୍ତ ପରେ ଏ ତମାମ ପ୍ରସଙ୍ଗ ସାମ୍ନାକୁ ଆସିବ ।