କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା

କଟକଣାରେ ହେବ ପରୀକ୍ଷା ଓ ନାମଲେଖା । ବହୁ ବାଦ ବିବାଦର ପୂର୍ଣ୍ଣଚ୍ଛେଦ ଘଟି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ ଚଳିତ ବର୍ଷ ୟୁଜି ଶେଷ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।

କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: କଟକଣାରେ ହେବ ପରୀକ୍ଷା ଓ ନାମଲେଖା । ବହୁ ବାଦ ବିବାଦର ପୂର୍ଣ୍ଣଚ୍ଛେଦ ଘଟି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ ଚଳିତ ବର୍ଷ ୟୁଜି ଶେଷ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ପକ୍ଷରୁ ନିର୍ଦ୍ଧିଷ୍ଟ ପରୀକ୍ଷା ତାରିଖ ଓ ତାର ପଦ୍ଧତି ଘୋଷଣା ସରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ମହାବିଦ୍ୟାଳୟ ଗୁଡିକରେ ଆରମ୍ଭ ହେବାକୁ ଯାଉଛି ପରୀକ୍ଷା । କୋଭିଡ କଟକଣା ହେତୁ ସମସ୍ତ ମହାବିଦ୍ୟାଳୟ ଗୁଡିକରେ ବିଶୋଧନ କରାଯିବା ସହ ପ୍ରସ୍ତୁତି କରାଯାଇଛି । ସେପଟେ ଯୁକ୍ତ ତିନି ପ୍ରଥମ ବର୍ଷ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି, ଆସନ୍ତାକାଲି ଠାରୁ ଆରମ୍ଭ ହେବ ନାମଲେଖା ।

ରାତି ପାହିଲେ ପରୀକ୍ଷା । ପରିଶେଷରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ୟୁଜି ଶେଷ ସେମିଷ୍ଟାର ପରୀକ୍ଷା । ଆଉ ଏଥିପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ତା ଅଧିନ ମହାବିଦ୍ୟାଳୟ ଗୁଡିକରେ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଲାଗି ନିର୍ଦ୍ଧିଷ୍ଟ ତାରିଖ ଓ ପଦ୍ଧତି ଘୋଷଣା ସରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଥିଓରି ପରୀକ୍ଷା । ଅଫଲାଇନ ମୋଡରେ ଓଏମଆର ସିଟରେ ପରୀକ୍ଷା ହେବାକୁ ଥିବାରୁ ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷା ହଲକୁ ବିଶୋଧନ କରାଯାଇଛି । ଏହାସହ ପ୍ରବେଶରୁ ଉପସ୍ଥାନ ପର୍ଯ୍ୟନ୍ତ କୋଭିଡ ନିୟମ କଡକଡି ଭାବେ ପାଳନ କରିବାକୁ କହିଛନ୍ତି କଲେଜ କର୍ତ୍ତୃପକ୍ଷ । ସେପଟେ ବାଦ ବିବାଦ ଓ ହଁ ନାହିଁ ଭିତରେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖାଦେଇଛି ।

ଅପରପଟେ ରାଜ୍ୟର ମୋଟ ୧୦୨୯ଟି ଶିକ୍ଷାନୁଷ୍ଠାନରେ ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ନାମ ଲେଖାଇବା ପାଇଁ ୨ ଲକ୍ଷ ୧୩ ହଜାର ୯୫୯ ଛାତ୍ରଛାତ୍ରୀ ଆବେଦନ କରିଥଲେ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୧ଲକ୍ଷ ୫୮ ହଜାର ୫୪୦ ଛାତ୍ରଛାତ୍ରୀ । କଳାରେ ୯୫,୬୪୯, ସେଲ୍ଫ ଫାଇନାନ୍ସିରେ ୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକ୍ସରେ ୨୩,୮୧୭ ଓ ବାୟୋଲୋଜି ବିଭାଗ ରେ ୪୯୩ ଜଣ ନାମଲେଖାଇବାକୁ ମନୋନୀତ ହୋଇଛନ୍ତି । ତେବେ କଳାର ଭୂଗୋଳ ବିଭାଗରେ ୯୩ % କଟ ଅଫ ମାର୍କ୍, ଫିଜିକାଲ୍ ସାଇନ୍ସର ଗଣିତ ବିଭାଗରେ ୯୫.୩%, ବାୟୋଲୋଜି ସାଇନ୍ସର ପ୍ରାଣୀ ବିଜ୍ଞାନରେ ୯୫.୫% ଏବଂ ବାଣିଜ୍ୟ ବିଭାଗରେ ୯୮.୬୭% ସହ ବିଜେବି କଲେଜ ସର୍ବାଗେ ରହିଛି । ୨୯ ତାରିଖ ରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ, ଏଥିପାଇଁ ମହାବିଦ୍ୟାଳୟ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମସ୍ତ ପ୍ରସ୍ତୁତି କରିଛନ୍ତି ।

ସେପଟେ ମହାମାରୀ କୋରୋନା ପାଇଁ ଓରିଜିନାଲ ସାର୍ଟିଫିକେଟ ପହଂଚିବା ପ୍ରକ୍ରିୟା ବିଳମ୍ବ ହୋଇଥିବାରୁ ଡାଉନଲୋଡ ମାର୍କସିଟ୍ ଓ ଅଣ୍ଡରଟେକିଂ ଦେଇ ନାମଲେଖିବାକୁ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତ ଉଚ୍ଚଶିକ୍ଷା ବିଭାଗ କର୍ତ୍ତୂପକ୍ଷ ।