Advertisement
Article Detail0/zeeodisha/odisha703422

ଓଡ଼ିଆ ଭାଷାକୁ ଆମାଜନର ପ୍ରଚଣ୍ଡ ଅପମାନ, ପ୍ଲାଟଫର୍ମରୁ ହଟାଇଲା 'କ୍ଷଣିକା'

ଦେଶର ପ୍ରମୁଖ ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ପ୍ରଚଣ୍ଡ ଅପମାନ କରିଛି ଆମାଜନ। ପ୍ରମୁଖ ଭାଷା ମଧ୍ୟରେ ଓଡ଼ିଆକୁ ଗଣୁନାହିଁ  ଆମାଜନ ପ୍ରାଇମ। ଫଳରେ ଓଡ଼ିଆ ଭାଷାର ସିନେମାକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି। 

ଓଡ଼ିଆ ଭାଷାକୁ ଆମାଜନର ପ୍ରଚଣ୍ଡ ଅପମାନ, ପ୍ଲାଟଫର୍ମରୁ ହଟାଇଲା 'କ୍ଷଣିକା'

ପ୍ରଭୁଦତ୍ତ ମହାରଣା, ନୂଆଦିଲ୍ଲୀ: କ୍ଷଣିକା-ଦ ଲଷ୍ଟ ଆଇଡିଆ, ଏକ କବି ଓ ଚିତ୍ରକରଙ୍କ ଜୀବନୀର ନିଚ୍ଛକ କାହାଣୀ। ଯାହାକୁ ଏକ ବାସ୍ତବ ରୂପ ଦେବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ। ଚଳିତ ମାସ ୬ ତାରିଖରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହୋଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଏହି ସିନେମାଟି ରିଲିଜ ହେବା ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା। ଯାହାକୁ ନେଇ ଓଡ଼ିଆ ସିନେପ୍ରେମୀ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ। ବେଶ ପ୍ରଶଂସା ସାଉଁଟିଥିଲା ଏହି ସିନେମାଟି। ମାତ୍ର ଦୁଃଖର କଥା ମାତ୍ର ଦୁଇ ଦିନ ମଧ୍ୟରେ ଆମାଜନ ପ୍ରାଇମଟି ତାର ପ୍ଲାଟଫର୍ମରୁ ଏହାକୁ ହଟାଇ ଦେଇଥିଲା। ସେପଟେ ଏହି ସିନେମାକୁ ହଟାଇବା ନେଇ ଆମାଜନ ଦେଇଥିବା କାରଣ ମଧ୍ୟ ଓଡ଼ିଶାବାସୀଙ୍କୁ ବେଶ ଆଘାତ ଦେଇଛି। 

ସୂଚନା ଯୋଗ୍ୟ ଗତ ୬ ତାରିଖରେ ପ୍ଲାଟଫର୍ମରେ ରିଲିଜ କରିବାର ଦୁଇଦିନ ଅର୍ଥାତ ୮ ତାରିଖରେ ଆମାଜନ ସିନେମାଟିକୁ ହଟାଇ ଦେଇଥିଲା। ଫଳରେ ସିନେମାଟିର ନିର୍ଦ୍ଦେଶକ, ପ୍ରଯୋଜକ ତଥା ଅଭିନେତା ଅଭିନେତ୍ରୀମାନଙ୍କୁ ବେଶ ଆଘାତ ଦେଇଥିଲା। ଏହାର କାରଣ ଜାଣିବା ପାଇଁ ମଧ୍ୟ ଆମାଜନକୁ ପ୍ରଶ୍ନ କରିଥିଲେ ସିନେମାର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ । ଆଉ ଏହାର ଜବାବ ମଧ୍ୟ ବେଶ ସାଂଘାତିକ ଥିଲା। 

ଆମାଜନ ଅଧିକାରୀ କହିଥିଲେ କି, ଆମାଜନରେ କେବଳ ୯ଟି ଭାଷାର ସିନେମା ରିଲିଜ କରିବାକୁ ଅନୁମତି ରହିଛି। ବିଶେଷ କରି ବଙ୍ଗାଳୀ, ହିନ୍ଦୀ, ମରାଠୀ, ତେଲୁଗୁ, ତାମିଲ, ପଞ୍ଜାବୀ, କନ୍ନଡ, ମାଲାୟଲମ ଏବଂ ଗୁଜରାଟୀ ଭାଷାରେ ସିନେମାକୁ ଉପଲବ୍ଧ କରାଯାଇ ପାରିବ। ମାତ୍ର ଏଥିରେ ଓଡ଼ିଆ ଭାଷାକୁ କୌଣସି ସ୍ଥାନ ମିଳିପାରିନାହିଁ। ଫଳରେ ଓଡ଼ିଆ ସିନେମାକୁ ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ କରାଇ ଦିଆଯାଉନାହିଁ। ଭାରତର ପୁରାତନ ଶାସ୍ତ୍ରୀୟ ଭାଷା ପ୍ରତି ଆମାଜନର ଏଭଳି ଚିନ୍ତାଧାର ପ୍ରତିଟି ଓଡ଼ିଆଙ୍କୁ ବେଶ ବ୍ୟଥିତ କରିଛି। 

Add Zee News as a Preferred Source

fallback

ଏହା ଏକ ଯୁକ୍ତିଯୁକ୍ତ ନୁହେଁ ବୋଲି ଦାବି କରି ସିନେମାର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ସିନେମାକୁ ରିଲିଜ କରିବାକୁ ଦାବି କରିଛନ୍ତି। ଜବାବ ତଲବ ପାଇଁ ଅମର୍ତ୍ତ୍ୟ ବିଭିନ୍ନ ମାଧ୍ୟମ ଯଥା ଇମେଲ, ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଯୋଗାଯୋଗ କରିଥିଲେ। ମାତ୍ର ଏକ ସପ୍ତାହ ଧରି ଯୋଗାଯୋଗ କରିବା ପରେ ଅତି ଖାମଖିଆଲି ଭାବେ ଆମାଜନ ଉତ୍ତର ରଖିଥିଲା। 

ଆମାଜନ କହିଥିଲା ଯେ, ଆମ ପ୍ଲାଟଫର୍ମରେ ମାତ୍ର ୯ଟି ଭାଷାରେ ସିନେମା ଗୁଡ଼ିକ ରିଲିଜ ହେଉଛି। ଉକ୍ତ ଭାଷା ମଧ୍ୟରେ ଓଡ଼ିଆକୁ ସ୍ଥାନ ଦିଆଯାଇନାହିଁ। ସିନେମାଟି ଭୁଲବଶତଃ ରିଲିଜ ହୋଇ ଯାଇଥିଲା। ବିତରକମାନଙ୍କ ଦ୍ୱାରା ତାହା ଭୁଲବଶତଃ ଉପଲବ୍ଧ ହୋଇଥିଲା ବୋଲି ଆମାଜନ କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଥିଲା। ଆମାଜନର ଏଭଳି ଦାୟିତ୍ୱହୀନ ଉତ୍ତର ଶୁଣିବା ପରେ ମନରେ ସ୍ୱତଃପ୍ରବୃତ ଭାବେ ଏକ ପ୍ରଶ୍ନ ସୃଷ୍ଟି ହୋଇଛି। ଦେଶର ଶ୍ରେଷ୍ଠ ୬ଟି ପ୍ରମୁଖ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆର ସ୍ଥାନ ରହିଛି। ମାତ୍ର ଆମାଜନ ପାଇଁ ତାହା କିପରି ସମ୍ଭବ ହେଲା ନାହିଁ ତାହା ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି କରିଛି। 

fallback

ଅମର୍ତ୍ତ୍ୟ ଆହୁରି ମଧ୍ୟ କହିଛନ୍ତି କି, ବିଭିନ୍ନ ଆଳ ଦେଖାଇ ଆମାଜନ ଖସିଯିବାକୁ ବସିଛି। ଆମାଜନର ଉତ୍ତରରେ ତାଳମେଳ ରହୁନାହିଁ ବିଭିନ୍ନ ସମୟରେ ବିଭିନ୍ନ କଥା କହି ଲୋକଙ୍କୁ ବିଭ୍ରାନ୍ତି କରୁଛି। ଯଥାଶୀଘ୍ର ଏହାକୁ ଫେରାଇ ଆଣିବାକୁ ସୋସିଆଲ ମିଡ଼ିଆରେ ଦାବି ଉଠାଇଛନ୍ତି। ଏହାକୁ ଓଡ଼ିଶାବାସୀ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି। 

ଏଠାରେ କହି ରଖୁକି, କ୍ଷଣିକା- ଦ ଲଷ୍ଟ ଆଇଡିଆ ହେଉଛି ଏକ ସ୍ୱାଧୀନ କ୍ଷୁଦ୍ର ଚଳଚ୍ଚିତ୍ର। ୯୦ ମିନିଟର ଏହି ସିନେମାରେ  ଅମ୍ରିତା ଚୌଧୂରୀ, ଅନୁ ଚୌଧୂରୀ, ସୁଶାନ୍ତ ମିଶ୍ର, ଚୌଧୂରୀ ବିକାଶ ଦାସ, ହୃଶିକେଶ ଭୋଇ, ଦ୍ୱିପନ୍ୱୀତ ଦାଶମହାପାତ୍ର, ସ୍ୱସ୍ତିକ ଚୌଧୂରୀ, ଭାସ୍ୱତୀ ବସୁଙ୍କ ଭଳି ବହୁ ଦିଗ୍ଗଜ ଅଭିନେତା ଏଥିରେ ଅଭିନୟ କରିଛନ୍ତି। ଜଣେ ଚିତ୍ରକର ଓ ଜଣେ କବିଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ। କଳାକାରମାନେ ବେଶ ନିଖୁଣ ଅଭିନୟ କରି ଲୋକଙ୍କୁ ଆକର୍ଷିତ କରିବାରେ ସମର୍ଥ ହୋଇଛନ୍ତି। 

ସିନେମାନେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ରିଲିଜ ହେବା ସହିତ ପ୍ରଶଂସା ମଧ୍ୟ ସାଉଁଟି ସାରିଛି। କାନାଡ଼ାରେ ଗତ ଏପ୍ରିଲ ୨୯ ତାରିଖରେ ହିଡେନ ଜେମସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇ ସାରିଛି। ତେବେ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଥିବା ଏହି ସିନେମାଟିକୁ ଆମାଜନ ଏଭଳି ଅବହେଳା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିନେମାଟିର ନିର୍ଦ୍ଦେଶକ ତଥା ପ୍ରଯୋଜକ ନିନ୍ଦା କରିଛନ୍ତି। 

 

About the Author