)
ଭୁବନେଶ୍ୱର: ଆଇଟିଆଇ ଛାତ୍ରଙ୍କ ଅଭିନବ ଉଦ୍ୟମ । ବର୍ଜ୍ୟ ପ୍ଲାଷ୍ଟିକ ପଦାର୍ଥରୁ ଅଟୋମେଟିକ୍ ହାତ ତିଆରି ସାନିଟାଇଜର ପ୍ରସ୍ତୁତ କରିଛନ୍ତି । ଶସ୍ତା ଆଉ ମଜଭୁତ ଏହି ସାନିଟାଇଜକୁ ଗୋଟିଏ ଦିନରେ ପ୍ରସ୍ତୁତ କରିଛନ୍ତି ଭୁବନେଶ୍ବର ସ୍ଥିତ ସରକାରୀ ଆଇଟିଆଇର ପ୍ରଥମ ବର୍ଷର ଛାତ୍ର ଶେଖ୍ ଫୟାଜ୍ । ତାଙ୍କ ବାପା ଜଣେ ଗାଡି ଚାଳକ । ହେଲେ ପାରିବାରିକ ଦୂରାବସ୍ଥାକୁ ଖାତିର ନ କରି ପିଲାବେଳୁ ନିଜର ଇଚ୍ଛା ଓ ବୁଦ୍ଧି ବଳରେ ଏପରି ଅନେକ ଛୋଟ ବଡ ମେସିନ ଉଦ୍ଭାବନ ଓ ନିର୍ମାଣ କରି ଚାଲିଛନ୍ତି ।
ଫୟାଜଙ୍କୁ ମାତ୍ର ୨୦ ବର୍ଷ ବୟସ । ଘର ଭୁବନେଶ୍ବର ପୋଖରିପୁଟ ଅଂଚଳରେ । ଉପସ୍ଥିତ ବୁଦ୍ଧି ଓ ଜ୍ଞାନ କୌଶଳ ପ୍ରୟୋଗ କରି ଗୋଟିଏ ଦିନରେ ଏହାକୁ ତିଆରି କରିଛନ୍ତି । ମହାମାରୀ କୋରୋନା ସଂକଟ ସମୟରେ ବହୁଳ ଭାବେ ଏହାକୁ ବ୍ୟବହାର କରିହେବ ବୋଲି ସେ କହିଛନ୍ତି ।
ହାତ ଧୋଇବା ସମୟରେ ଯେପରି ସାନିଟାଇଜର ବକ୍ସ ମଧ୍ୟ ସଂକ୍ରମଣ ମୁକ୍ତ ରହିବ । ସେଥିପାଇଁ ଏହାକୁ ସଂପୂର୍ଣ୍ଣ ସ୍ବୟଂଚାଳିତ ଭାବେ ନିର୍ମାଣ କରିଛନ୍ତି । ଏଥିରେ ପୁରୁଣା ଅବ୍ୟବହୃତ ଡବା, ଖୋଳ, ଠିପି ଆଦି ପ୍ଲାଷ୍ଟିକକୁ ବ୍ୟବହାର କରି ତିଆରି କରିଛନ୍ତି । ଏହାକୁ ମୋବାଇଲ ଚାର୍ଜରେ ମଧ୍ୟ ଚାର୍ଜ କରିହେବ । ଯାହାକୁ ଯେକୌଣସି ଘରୋଇ, ସରକାରୀ ଅବା ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ହସ୍ପିଟାଲ, ଥାନା ଆଦି ସ୍ଥାନରେ ସୁରକ୍ଷିତ ଓ ସହଜରେ ବ୍ୟବହାର କରିହେବ ।
ଏହାର ସର୍ବନିମ୍ନ ମୂଲ୍ୟ ୫ଶହ ଟଙ୍କା ରଖିଛନ୍ତି ଫୟାଜ । ଏଥିରେ ଥିବା ଡବାରେ ନିଜସ୍ବ ସାନିଟାଇଜର ରଖି ବ୍ୟବହାର କରିହେବ । ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ହାତକୁ ବାରମ୍ବାର ସାନିଟାଇଜ୍ କରିବାକୁ କୁହାଯାଉଥିବା ବେଳେ ତାଙ୍କର ଏହି ଉଦ୍ୟମ ଅନେକାଂଶରେ ପ୍ରଶଂସା ସାଉଁଟିଛି ।