ଝାରପଡ଼ା ଜେଲରେ ରସିକିଆ ନିର୍ଦ୍ଦେଶକ

ଆୟୁଷ ନିର୍ଦ୍ଦେଶାଳୟରେ କାର୍ଯ୍ୟ କରୁଥିବା ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଗତ ୬ ତାରିଖରେ ଅଭିଯୋଗ ହୋଇଥିଲା ।

ଝାରପଡ଼ା ଜେଲରେ ରସିକିଆ ନିର୍ଦ୍ଦେଶକ

ସରୋଜ ବେହେରା, ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କ ନୂଆ ଠିକଣା ଝାରପଡ଼ା ଜେଲ । ଏସଡିଜେଏମ ବିଭୂ ପ୍ରସାଦଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ଝାରପଡା ଜେଲ ପଠାଯାଇଛି । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ପଠାଇଲେ କୋର୍ଟ । 

ଗିରଫ ପରେ ଏସଡିଜେଏମ ଶୁଭଙ୍କର ମିଶ୍ରଙ୍କ ସରକାରୀ ବାସଭବନରେ ହଜାର କରିଥିଲା ପୋଲିସ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କ ବେଲ ଆବେଦନ ଖାରଜ କରିଛନ୍ତି କୋର୍ଟ । ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କ ୩୫୪ (ଏ) ନୂଆ ଦଫା ଲାଗିଇ ହଜାର କରିଥିଲା ପୋଲିସ । ତଦନ୍ତ ପରେ ବିଭୂ ପ୍ରସାଦ ଷଡଙ୍ଗୀ ବିରୋଧରେ ପୋଲିସ ଆଇପିସି ଧାରା ୩୫୪ (ଏ), ୨୯୪, ୫୦୬, ୫୦୭, ୫୦୯, ଆଇଟି ଆକ୍ଟ ୬୭, ୬୭ (ଏ) ଦଫା ଲଗାଇଛି । କୋର୍ଟରେ ବୟାନ ରେକର୍ଡ ଲାଗି ଏସଡିଜେଏମଙ୍କ ବାସଭବନରେ ପିଡ଼ିତାଙ୍କୁ ମଧ୍ୟ ହାଜର କରିଥିଲା ପୋଲିସ । 

ଆୟୁଷ ନିର୍ଦ୍ଦେଶାଳୟରେ କାର୍ଯ୍ୟ କରୁଥିବା ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଗତ ୬ ତାରିଖରେ ଅଭିଯୋଗ ହୋଇଥିଲା । ଥାନାରେ ନିଜ ପକ୍ଷ ରଖିବା ଲାଗି ଗୁରୁବାର ଅପରାହ୍ନରେ ମହିଳା ଥାନାରେ ହଜାର ହୋଇଥିଲେ ଆୟୁଷ ନିର୍ଦ୍ଦେଶକ । ହାଜର ହେବା ନେଇ ମହିଳା ଥାନା ପକ୍ଷରୁ ନୋଟିସ ହୋଇଥିଲା । ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ଓ ଅଶ୍ଳୀଳ ଭିଡ଼ିଓ ପଠାଇବା ସହ ପ୍ରେମ ନିବେଦନ କରୁଥିବା ନେଇ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ମହିଳା ଥାନା ପୋଲିସ ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ଗିରଫ କରିଥିଲା । ବୁଧବାର ଅଭିଯୋକାରିଣୀଙ୍କ ବୟାନ ରେକର୍ଡ କରିଥିଲା ପୋଲିସ ।

ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ଲାଗିଥିଲା ଅସଦାଚରଣ ଭଳି ଅଭିଯୋଗ । ଅଧସ୍ତନ ମହିଳା ଅଧିକାରୀଙ୍କୁ ହ୍ୱାଟ୍ସଆପ ମ୍ୟାସେଜ ଓ ଭଏସ୍ କଲ କରି ଅଧିକାରୀ କରି ଚାଲିଥିଲେ ହାଇରାଣ । ଯୁବତୀଙ୍କୁ ନିଜ ନଗ୍ନ ଫଟୋ ଦେବା ସହ ଭିଡିଓ କଲ କରିବାକୁ ବାଧ୍ୟ କରୁଥିଲେ ଅଧିକାରୀ ଜଣକ । ବାରମ୍ବାର ମନା କରିବା ପରେ ବି ଅଧିକାରୀ ଜଣକ ମହିଳା କର୍ମଚାରୀଙ୍କୁ ମ୍ୟାସେଜ କରିଚାଲିଥିଲେ । ଅଧିକାରୀ ଜଣକ ଲାଜ ଶରମ ଛାଡ଼ି ନିଜ ଝିଅ ବୟସ କର୍ମଚାରୀଙ୍କୁ ଅଶ୍ଳୀଳ କଥା ହେଉଥିଲେ । ଯୁବତୀ ଜଣକ ଏହାକୁ ନେଇ ବାରଣ କରିବା ପରେ ବି ନିଜ ପଦବୀର ପାୱାର ଦେଖାଇ ନିଜ କାମ ବାସନା ପୁରା କରିବାକୁ ଚେଷ୍ଟା ଚଳାଇଥିଲେ । ବାରମ୍ବାର ମ୍ୟାସେଜ କଲରେ ମନା କରିବା ପରେ ଅଧିକାରୀ ଜଣକ ନ ଶୁଣିବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଥିବା ପୀଡ଼ିତା କହିଛନ୍ତି ।