ବେଷ୍ଟ୍ ଆଉଟ ଅଫ୍ ୱେଷ୍ଟ୍

ଖବର କାଗଜରୁ ଘରକରଣା ଜିନଷ । 

ବେଷ୍ଟ୍ ଆଉଟ ଅଫ୍ ୱେଷ୍ଟ୍
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଖବର କାଗଜରୁ ଘରକରଣା ଜିନଷ । ଅଦରକାରୀ ପୁରୁଣା ଖବର କାଗଜକୁ ନେଇ ପ୍ରସ୍ତୁତ ହୋଇଛି ନାନା ରକମର ବ୍ୟବହୃତ ସାମଗ୍ରୀ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଶିଶିର ସରସ ମେଳାରେ ଦେଖିବାକୁ ମିଳିଛି ଏମିତି କିଛି ।  ରାଜ୍ୟ ଓ ରାଜ୍ୟ ବାହାରୁ ଯୋଗ ଦେଇଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେମାନଙ୍କ ହାତ ତିଆରି ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ସେହିପରି ପୁଡ଼ୁଚେରୀରୁ ଆସିଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଅଲୋଡ଼ା ଖବର କାଗଜରୁ ନାନା ଦରକାରୀ ସାମଗ୍ରୀ ପ୍ରସ୍ତୁତି କରି ପ୍ଳାଷ୍ଟିକ ବର୍ଜନର ବାର୍ତ୍ତା ଦେଇଛନ୍ତି ।

ନିତିଦିନ ଖବର ଯୋଗାଉ ଥିବା ଖବର କାଗଜ ଦିନକ ପରେ ଅଲୋଡା ହୋଇଯାଏ । ହେଲେ ସେସବୁକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ତିଆରି କରିଛନ୍ତି ନାନା ନିତ୍ୟ ବ୍ୟବହୃତ ଦରକାରୀ ସାମଗ୍ରୀ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପୁରୁଣା ଖବର କାଗଜକୁ ନେଇ ବିଭିନ୍ନ ପ୍ରକାରର ବାସ୍କେଟ, ଚାଙ୍ଗୁଡି, ଗହଣା ବାକ୍ସ, ଲଣ୍ଡରୀ ବାକ୍ସ, ପରିବା ଝୁଡ଼ି ଆଦି ଘର କରଣା ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଏହାସହ ପେନ୍ ଷ୍ଟାଣ୍ଡ୍, କାନ ଝୁମକା, ୱାଲ୍ ହ୍ୟାଙ୍ଗିଙ୍ଗ୍, ଚାବି ରିଂ, ପ୍ଲେଟ୍, କପ୍, ଟ୍ରେ ଆଦି ମୋଟ ୧୦୦ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରୁଥିବା ଏସଏଚଜିର ମହିଳା ରାଜଲକ୍ଷ୍ମୀ କହିଛନ୍ତି । ଏହି ସାମଗ୍ରୀ ଅପରିଷ୍କାର ହୋଇଗଲେ ମଧ୍ୟ ପାଣିରେ ଧୋଇବା ଯୋଗ୍ୟ ଏବଂ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ ବୋଲି ସେ କହିଛନ୍ତି । 

ପୁରୁଣା ଖବର କାଗଜକୁ ସଂଗ୍ରହ କରି ସେଥିରେ ମଇଦାରେ ଘର ତିଆରି ଅଠା ଓ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଏସବୁ ସାମଗ୍ରୀ ପ୍ରସ୍ତୁତ ହେଉଛି । ଏପରି କରି ପରିବେଶକୁ ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ କରିବାର ବାର୍ତ୍ତା ମଧ୍ୟ ମହିଳାମାନେ ଦେଉଛନ୍ତି । ତେବେ ଏହି ପ୍ରଦର୍ଶନ ଓ ବିପଣନରେ ମହିଳାଙ୍କ ଉଦ୍ୟମ ଓ ସାମଗ୍ରୀକୁ ସହରରାବାସୀ ବେଶ୍ ପ୍ରଶଂସା କରିବା ସହ ଆବଶ୍ୟକ ମୁତାବକ ସାମଗ୍ରୀ ଘରକୁ ନେଉଛନ୍ତି ।

ପ୍ରତିବର୍ଷ ପଞ୍ଚାୟତରାଜ୍ ବିଭାଗ ଓ ଓରମାସ୍ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଏ । ଆଜି ଏହା ଉଦଯାପିତ ହେବ । ମେଳାରେ ପ୍ରତ୍ୟେକ ଦିନ ମହିଳାଙ୍କ ହାତ ତିଆରି ସାମଗ୍ରୀ କିଣିବାକୁ ହଜାର ହଜାର ଗ୍ରାହକଙ୍କ ଭିଡ ଜମୁଛି । ଆଜି ଶେଷ ଦିନରେ ଭଲ ବ୍ୟବସାୟ କରିବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ଆଶା ରଖିଛନ୍ତି । 

ଆହୁରି ପଢ଼ନ୍ତୁ; କେବେ ଅଭିଜ୍ଞତାରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ ?