ନିଯୁକ୍ତି ପାଇଁ ନୟାନ୍ତ: ଅବ୍ୟବସ୍ଥାରେ ପରୀକ୍ଷାର୍ଥୀ

ନିଯୁକ୍ତି ମେଳାରେ ପରୀକ୍ଷାର୍ଥୀଙ୍କ ହାଟ ବସିଛି କହିଲେ ଚଳେ। ଘର ପରିବାର ଛାଡି ସାଙ୍ଗସାଥୀଙ୍କ ମେଳରେ ଛୁଟି ଆସିଛନ୍ତି ଚାକିରି ପାଇଁ। ରୋଡସାଇଡରେ ରନ୍ଧା ହଉଚି ଖାଦ୍ୟ। ଟେରିଟୋରିଆଲ ଆର୍ମିର ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀରେ ନିଯୁକ୍ତି ଲାଗି ରାଜ୍ୟ ବାହାରୁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କ ଏ ହେଉଛି ଅବସ୍ଥା। 

ନିଯୁକ୍ତି ପାଇଁ ନୟାନ୍ତ: ଅବ୍ୟବସ୍ଥାରେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ନିଯୁକ୍ତି ପାଇଁ ନୟାନ୍ତ। ଅବ୍ୟବସ୍ଥାରେ ପରୀକ୍ଷାର୍ଥୀ। ପାଠପଢା ସରିଲା ପରେ ଚାକିରି ଖଣ୍ଡେ କରିବା ପାଇଁ କେତେ ଯେ ନୟାନ୍ତ ହେବାକୁ ପଡେ, ଯିଏ କରିଛି ସିଏ ହିଁ ଅନୁଭବ କରିଛି। ପରିବାରର ବୋଝ ଏବଂ ନିଜ ଗୋଡ଼ରେ ସକ୍ଷମ ଆଉ ଆତ୍ମନିର୍ଭରଶୀଳ ହେବାର ସ୍ବପ୍ନ କାହାକୁ ଯେ କୁଆଡେ ଟାଣିନିଏ ଜଣାପଡେନି। କେତେବେଳ ଫୁଟପାଥ୍ ରେ ରାତ୍ରିଯାପନ କରିବାକୁ ପଡେ ତ କେତେବେଳେ ପେଟରେ ଓଦା କନା ଦେଇ ଶୋଇବାକୁ ପଡେ। କିନ୍ତୁ ତଥାପି ଜୀବନର ଚଲାପଥରେ ଚାଲିବାକୁ ହେଲେ ଏସବୁ ଘଟଣା ଦୁର୍ଘଟଣାକୁ ସହ୍ୟ କରି ଯିଏ ଖୁସି ପାଇଛି, ସିଏ ଆଗକୁ ଯାଇପାରିଛି। ଆମେ ଏସବରୁ କହିବାର ତାତ୍ପର୍ଯ୍ୟ ରାଜଧାନୀ ଭୁବନେଶ୍ବରରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଟେରିଟୋରିଆଲ ଆର୍ମିରେ ନିଯୁକ୍ତି ରାଲିରେ ଯୋଗ ଦେବା ଲାଗି ରାଜ୍ୟ ବାହାରୁ ଆସିଥିବା ପରୀକ୍ଷାର୍ଥୀ କିପରି ଦୟନୀୟ ଅବସ୍ଥାରେ ରହିଛନ୍ତି ଆସନ୍ତୁ ଜାଣିବା। 

ନିଯୁକ୍ତି ମେଳାରେ ପରୀକ୍ଷାର୍ଥୀଙ୍କ ହାଟ ବସିଛି କହିଲେ ଚଳେ। ଘର ପରିବାର ଛାଡି ସାଙ୍ଗସାଥୀଙ୍କ ମେଳରେ ଛୁଟି ଆସିଛନ୍ତି ଚାକିରି ପାଇଁ। ହେଲେ କିପରି ଅବସ୍ଥାରେ ସେମାନେ ଚଳୁଛନ୍ତି, ତାଙ୍କ ପରିବାର ଲୋକେ ବି ଜାଣି ନ ଥିବେ। 
ରୋଡସାଇଡରେ ରନ୍ଧା ହଉଚି ଖାଦ୍ୟ। ଭୋଜନ କରିବା ସହ ଏହି ରାସ୍ତାକଡରେ ରାତ୍ରିଯାପନ କରି ଚାକିରି ଲାଗି ପ୍ରସ୍ତୁତ ହେଉଛନ୍ତି ପରୀକ୍ଷାର୍ଥୀ। ଟେରିଟୋରିଆଲ ଆର୍ମିର ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀରେ ନିଯୁକ୍ତି ଲାଗି ରାଜ୍ୟ ବାହାରୁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କ ଏ ହେଉଛି ଅବସ୍ଥା।

ଏହାରି ଭିତରେ ମଧ୍ୟ ସେମାନେ ଖୁସି ଖୋଜି ପାରିଛନ୍ତି। ସାଙ୍ଗସାଥୀ ମେଳରେ ଉଭୟ ମଜା ଓ ସଜାକୁ ଅନୁଭବ କରି ସରକାରୀ ଚାକିରିଟିଏ ପାଇବା ଲାଗି ବେଶ୍ ଉତଫୁଲିତ ଅଛନ୍ତି ସେମାନେ। ଅକ୍ଟୋବର ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ବିଭିନ୍ନ ତାରିଖରେ ବିଭିନ୍ନ ରାଜ୍ୟର ପରୀକ୍ଷାର୍ଥୀଙ୍କ ଲାଗି ଉଦ୍ଦିଷ୍ଟ ରହିଛି। ତେବେ ଦୂର ଦୂରାନ୍ତରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କ ଲାଗି ସର୍ବନିମ୍ନ ଆବଶ୍ୟକୀୟ ରହଣୀ ସ୍ଥାନ ଓ ଶୌଚାଳୟର ବ୍ୟବସ୍ଥା କଲେ ଉପକୃତ ହେବେ ବୋଲି କହିଛନ୍ତି ।  ଖରା, ବର୍ଷାରେ ସେମାନେ ପଡିରହୁଥିବା ବେଳେ ସକାଳ ୪ଟା ୩୦ରେ ପ୍ରବେଶ ଲାଗି ଲାଇନ ଲଗାଇବାକୁ ପଡୁଥିବାରୁ ଦୂରରେ ରହିବା ମଧ୍ୟ ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ । ସେପଟେ ସେମାନଙ୍କ ସାମୟିକ ରହଣୀ ଲାଗି କଳିଙ୍ଗ ଷ୍ଟାଡିୟମରେ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।