ସରୋଜ ବେହେରା, ଭୁବନେଶ୍ୱର:- ରାଜଧାନୀରେ କୋରୋନା (Coronavirus) ସ୍ଥିତି ସଙ୍ଗୀନ । ଦିନକୁ ଦିନ ପୋଜିଟିଭ (COVID-19 Positive) ସଂଖ୍ୟା ବଢି ବଢି ଚାଲିଛି । ତେବେ କୋରୋନା ଆଟାକରେ ରାଜଧନୀ (Bhubaneswar) ର ପ୍ରାୟ ସବୁ ସ୍ଥାନର ସ୍ଥିତି ବେହାଲ । ପରିସ୍ଥିତି ଏମିତି ହେଲାଣି ଯେ ଅନ୍ୟ ଥାନରୁ କର୍ମଚାରୀ ମଗାଇ ଅଚଳ ଥାନାକୁ ଯଥା ସମ୍ଭବ ପରିଚାଳନା କରିବାକୁ ପଡୁଛି । ଏବେ କିଛି ଥାନାର ସ୍ଥିତି ଭୟଙ୍କର । ଗୋଟିଏ ପଟେ ରାଜଧାନୀରେ ଅପରାଧ ବଢି ବଢି ଚାଲିଥିବା ବେଳେ ଏବେ ପୋଲିସକୁ ଘାରିଛି କୋରୋନା ଭୟ । କମିଶନରେଟ ପୋଲିସର ବର୍ତ୍ତମାନ ପର୍ଯ୍ୟନ୍ତ ୮୦୦ ରୁ ଅଧିକ କର୍ମଚାରୀ କୋରୋନା ପଜିଟିଭ ।
ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନରେ ଥିବା ଖାରବେଳ ନଗର, ତମାଣ୍ଡୋ, ଧଉଳି ଓ ବଡ଼ଗଡ଼ ଅବସ୍ଥା ଅସମ୍ଭାଳ । ଏହି ସବୁ ଥାନାରେ ଅଧାରୁ ଅଧିକ ଷ୍ଟାଫଙ୍କୁ କୋରୋନା । ସବୁଠାରୁ ଅଧିକ ଖାରବେଳ ନଗର ଥାନା । ଥାନାରେ ପ୍ରାୟ ୯୦ ପ୍ରତିଶତ କର୍ମଚାରୀ ପଜିଟିଭ ବାହାରିଛନ୍ତି । ଥାନାରେ ମାତ୍ର ଜଣେ ପୁରୁଷ ଓ ଜଣେ ମହିଳା ସବଇନ୍ସପେକ୍ଟର ଡ୍ୟୁଟି ପାଇଁ ସକ୍ଷମ । ଏଥିପାଇଁ କ୍ୟାପିଟାଲ ଥାନାରୁ ଜଣେ ସବଇନ୍ସପେକ୍ଟର ଓ ଜଣେ ଅସିଷ୍ଟାଣ୍ଟ ସବଇନ୍ସପେକ୍ଟର ରାଙ୍କ ଅଫିସର ଏହି ଥାନାକୁ ପଠାଯାଇଛି । ସେମାନଙ୍କ ସହଯୋଗରେ ଥାନା ଚାଲିଛି । ସେହିପରି ଲଷ୍ମୀସାଗର, ମଞ୍ଚେଶ୍ୱର, କ୍ୟାପିଟାଲ, ନୟାପଲ୍ଲୀ, ଖଣ୍ଡଗିରି ଥାନାରେ ମଧ୍ୟ କୋରୋନା ମାଡି ଚାଲିଛି । ଗତ ଦୁଇ ଦିନ ଭିତରେ ଏୟାଫିଲଡ଼ ଥାନାରୁ ୩ ଜଣ କୋରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଲିଙ୍ଗାରଜ ଥାନରୁ ମଧ୍ୟ ଜଣେ ଷ୍ଟାଫ ପୋଜିଟିଭ ବାହାରିଛନ୍ତି ।
ଅଧିକ ପଢ଼ନ୍ତୁ:-କଙ୍ଗନା ବିବାଦରୁ ଶିବସେନାକୁ ମିଳିବ ଏହି ୪ଟି ଲାଭ !
କମିଶନରେଟ୍ ପୋଲିସର ତଳିଆ କର୍ମଚାରୀଙ୍କଠୁ ଆଇପିଏସ୍ ଅଫିସର ରାଙ୍କ ଅଧିକାରୀ ଯାଏଁ ସବୁ ସ୍ତରରେ କୋରୋନା ଭାଇରସ୍ ପଶି ସାରିଛି । ଖୋଦ୍ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ହୋମ୍ ଆସୋଲେସନ (ସଂଗରୋଧ)ରେ ଅଛନ୍ତି । ତାଙ୍କ ପରିବାରର ସଦସ୍ୟଙ୍କ ସହ ଦପ୍ତର ଓ ସରକାରୀ କ୍ୱାର୍ଟର୍ସରେ କାମ କରୁଥିବା ୧୧ ଜଣ ପୋଲିସ କର୍ମଚାରୀଙ୍କ କୋଭିଡ୍ ପଜିଟିଭ୍ ବାହାରିଛି । ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ(ୟୁପିଡି) ଡିସିପି ଉମାଶଙ୍କର ଦାଶ ମଧ୍ୟ ହୋମ୍ ଆସୋଲେସନରେ । ତାଙ୍କଠାରେ କୋରୋନା ବ୍ୟାଧିର କିଛି ଲକ୍ଷଣ ଦେଖିବାକୁ ମିଳିଛି । ଏଥିପାଇଁ ନିଜକୁ ଘରେ ସୀମିତ ରଖିଛନ୍ତି । ଜୁଲାଇ ୨୦ରୁ ନୂଆ ଡିସିପି ଭାବେ ଯୋଗ ଦେଇଥିବା ବିଭିନ୍ନ ଅପରାଧସ୍ଥଳକୁ ଯାଇଥିଲେ । ଏହାଛଡ଼ା ଗତ ସପ୍ତାହରେ ତାଙ୍କ ଅଫିସରେ ଏକାବେଳକେ ୨୩ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଥିଲେ । ଏଥିରୁ ତାଙ୍କୁ ଭାଇରସ୍ ଡେଇଁଥିବା ଆଶଙ୍କା କରାଯାଉଛି । ଏହାବାଦ କମିଶନରେଟ୍ ପୁଲିସର ୪ ଜଣ ଅତିରିକ୍ତ ଡିସିପିଙ୍କ କୋରୋନା ପଜିଟିଭ ବାହାରି ସାରିଛନ୍ତି । ୫ ଜଣ ଏସପି ରାଙ୍କର ଅଧିକାରୀଙ୍କୁ ମଧ୍ୟ ଏହି ଭାଇରସ୍ ଆଟାକ୍ କରିସାରିଛି । ସେହିପରି ୨ ଜଣ ଥାନା ଅଧିକାରୀ ଏବେ କୋରୋନା ପଜିଟିଭ୍ ଯୋଗୁ ଆସୋଲେସନରେ ଅଛନ୍ତି ।