ବିଜେଡିର ନୂଆ ଫର୍ମୁଲା 'ବରିଷ୍ଠ'
Trending Photos
ଭୁବନେଶ୍ୱର: ପ୍ରଥମଥର ପାଇଁ ଦଳରେ ବରିଷ୍ଠ ସାଧାରଣ ସମ୍ପାଦକ ପଦ ସୃଷ୍ଟି କଲା ବିଜେଡ଼ି । ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକମାନଙ୍କୁ ନିଯୁକ୍ତି ଦେଇଛି । ଏଥିରେ ୧୫ ଜଣ ନେତା ସ୍ଥାନ ପାଇଛନ୍ତି । ବରିଷ୍ଠ ସମ୍ପାଦକ ଭାବେ ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ୱ ଦିଆଯାଇଛି । ସେହିପରି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡ଼ିଶା: ମୋ ପରିବାର ଦାୟିତ୍ୱ ମିଳିଛି । ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗୀରର ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦେଇଛି ଦଳ । ରମେଶ ଚନ୍ଦ୍ର ମାଝୀ ଓ ସରୋଜୀନି ହେମ୍ବ୍ରମଙ୍କୁ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ଶଶିଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଦାୟିତ୍ୱ ମିଳିଛି । ମନ୍ତ୍ରୀ ନବ କିଶୋର ଦାସ ଓ ପ୍ରତାପ ଜେନାଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଛି ।
ଅନ୍ୟପଟେ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଓ ବରିଷ୍ଠ ନେତା ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ପରିବେଶ ଦାୟିତ୍ୱ ମିଳିଛି । ମହିଳା ସଶକ୍ତିକରଣ ଦାୟିତ୍ୱ ସୁମିତ୍ରା ଜେନାଙ୍କୁ ଦିଆଯାଇଛି ।