close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ତୃଣମୂଳସ୍ତରରେ ସ୍ଥିତି ସୁଦୃଢ଼ କରି ପାରୁନାହାନ୍ତି ବିରୋଧୀ

ଗତ ୨୦୧୯ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ, ପ୍ରତାପ ଦେବ, ସୌମ୍ୟରଞ୍ଜନ ମିଶ୍ର ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରେ ବିଜେପୁର ଉପନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ରୀତା ସାହୁ। ପୂର୍ବରୁ ଏଭଳି ରେକର୍ଡ ବିଶ୍ୱଭୂଷଣ ହରିଚନ୍ଦନ କରିଥିଲେ। ଏଥର ରୀତା ସାହୁ କିନ୍ତୁ ନୂଆ ରେକର୍ଡ କରିଛନ୍ତି। ୯୭ ହଜାର ୯୯୪ ଖଣ୍ଡ ଭୋଟ୍ ବ୍ୟବଧାନରେ ରୀତା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସନତ ଗଡ଼ତିଆଙ୍କୁ ପରାସ୍ତ କରିଛନ୍ତି। 

ତୃଣମୂଳସ୍ତରରେ ସ୍ଥିତି ସୁଦୃଢ଼ କରି ପାରୁନାହାନ୍ତି ବିରୋଧୀ

ଚାରୁ ଚନ୍ଦନ ଦାଶ,ଭୁବନେଶ୍ୱର: ଗତ ୨୦୧୯ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ, ପ୍ରତାପ ଦେବ, ସୌମ୍ୟରଞ୍ଜନ ମିଶ୍ର ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରେ ବିଜେପୁର ଉପନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ରୀତା ସାହୁ। ପୂର୍ବରୁ ଏଭଳି ରେକର୍ଡ ବିଶ୍ୱଭୂଷଣ ହରିଚନ୍ଦନ କରିଥିଲେ। ଏଥର ରୀତା ସାହୁ କିନ୍ତୁ ନୂଆ ରେକର୍ଡ କରିଛନ୍ତି। ୯୭ ହଜାର ୯୯୪ ଖଣ୍ଡ ଭୋଟ୍ ବ୍ୟବଧାନରେ ରୀତା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସନତ ଗଡ଼ତିଆଙ୍କୁ ପରାସ୍ତ କରିଛନ୍ତି। କଂଗ୍ରେସର ସ୍ଥିତି ଏଠାରେ ଆହୁରି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ଏଠାରେ ମାତ୍ର ୫ ହଜାର ୮୭୧ ଖଣ୍ଡ ଭୋଟ୍ ମିଳିଛି। 

ଉପନିର୍ବାଚନ ପୂର୍ବରୁ ସମସ୍ତେ ବିଜେଡି ଜିତିବା ନେଇ ଆକଳନ କରୁଥିଲେ। କିନ୍ତୁ, ଏତେ ବ୍ୟବଧାନରେ ରୀତା ସାହୁ ଜିତିବେ ବୋଲି କେହି ଭାବି ନ ଥିଲେ। ତେଣୁ, ନିର୍ବାଚନରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ବିଜେପୁରବାସୀଙ୍କ ନିକଟରେ ନିଜର ଆସ୍ଥା ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ଏବଂ ବିଜେପୁରବାସୀ ଦ୍ୱିତୀୟ ଥର ପାଇଁ ରୀତା ସାହୁଙ୍କୁ ବିଧାୟିକା ଭାବେ ନିର୍ବାଚିତ କରି ଏହା ପ୍ରମାଣ କରି ଦେଇଛନ୍ତି। ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଏଯାଏ ବିରୋଧୀ କାହିଁକି ଲୋକଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇ ପାରିନାହାନ୍ତି ?
ରାଜ୍ୟସଭା ଡିଲ୍ କଥା ହେଉ କି କେନ୍ଦ୍ରୀୟ ସହଭାଗିତା, ଏହା ତ ରାଜନୀତି ଦୃଷ୍ଟି କୋଣରୁ ବିଚାର କରାଯାଏ।  କିନ୍ତୁ ବାସ୍ତବ କଥା ଦେଖିଲେ ଲୋକମାନେ ଆଜି ବି ବିଜେଡିକୁ ପସନ୍ଦ କରୁଛନ୍ତି; ଯାହା ବିଜେପୁରବାସୀ ଆଜି ପ୍ରମାଣ କରି ଦେଖାଇ ଦେଇଛନ୍ତି । ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଗଠନ କରିଥିବାବେଳେ ଏବେ ବି ଦଳକୁ ଲୋକେ ପସନ୍ଦ କରୁଛନ୍ତି। ଭୋଟ୍ ବି ଦେଉଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ସରକାର ଗଠନ କରିବା ନେଇ ଯେଉଁ ଛାତି ପିଟୁଥିଲା, ତାହା ରେଜଲ୍ଟ ପ୍ରକାଶ ପାଇବା ପରେ ଜଣାପଡ଼ିଲା।  ଏହାପରେ ପାଟକୁରା ନିର୍ବାଚନରେ ମଧ୍ୟ ଲୋକେ ବିଜେଡିକୁ ଜିତାଇ ବିରୋଧୀଙ୍କ ମୁହଁ ଚୁପ୍ କରିଦେଇଥିଲେ। 
କଂଗ୍ରେସ କଥା ଯଦି ବିଚାର କରାଯାଏ, ତେବେ ଦଳ ଭିତରେ ଥିବା କନ୍ଦଳ ହିଁ ଦଳକୁ ନିମ୍ନଗାମୀ କରୁଛି। ସେହିପରି ଜାତୀୟ ସ୍ତରରୁ ବିଜେପିର ଫୋକସ୍ ଓଡ଼ିଶାରେ ଥିଲେ ମଧ୍ୟ ରାଜ୍ୟରେ ଗେରୁଆ ଦଳ ନିଜକୁ ମଜଭୁତ କରି ପାରିନାହିଁ।  ପଶ୍ଚିମ ଓଡ଼ିଶାରେ ଦଳର ୫ଟି ସାଂସଦ ଏବଂ ୬ଟି ବିଧାୟକ ଅଛନ୍ତି। ବିଜେପୁର ନିର୍ବାଚନମଣ୍ଡଳୀ ବରଗଡ଼ ସଂସଦୀୟ କ୍ଷେତ୍ରରେ ଆସୁଛି। ଏଠାରେ ବିଜେପିର ସୁରେଶ ପୂଜାରୀ ସାଂସଦ ଅଛନ୍ତି। ସେହିପରି ଦଳର ହେଭିୱେଟ୍ ନେତାମାନେ ମଧ୍ୟ ଏଠାରେ ଡେରା ପକାଇ ଥିଲେ। ତଥାପି ବି ଦଳ ଏଠାରେ ପରାସ୍ତ ହେଲା। ୯୭ ହଜାର ଭୋଟ୍ ବ୍ୟବଧାନରେ ହାରିବାକୁ ଶୋଚନୀୟ ହିଁ କୁହାଯିବ। ତେଣୁ, ଏଠାରେ ବିଜେପି ମଧ୍ୟ ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିପାରି ନାହିଁ। ଯାହାର ଫାଇଦା ଶାସକ ଦଳକୁ ମିଳୁଛି।  ଯଦି ଦଳ ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇବା ଦିନ ଠାରୁ ହିଁ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଥା'ନ୍ତା, ତା'ହେଲେହୁଏ ତ ଦଳକୁ ଆହୁରି ଭୋଟ୍ ମିଳିଥା'ନ୍ତା। 

ପଞ୍ଚାୟତ ନିର୍ବାଚନ ହେବାକୁ ଆହୁରି ଅଢ଼େଇ ବର୍ଷରୁ ଅଧିକ ସମୟ ଅଛି।  ଏବେଠାରୁ ଉଭୟ କଂଗ୍ରେସ ଓ ବିଜେପି ଆତ୍ମ ସମୀକ୍ଷା କରିବା କଥା।  କେବଳ ପରାଜୟ ପରେ ହାର୍ ସ୍ୱୀକାର କରିଦେଲେ ହେବ ନାହିଁ। କେଉଁ ସ୍ଥାନରେ ଦୁର୍ବଳତା ରହିଛି, ତାହାକୁ ଖୋଜି ବାହାର କରିବାକୁ ପଡ଼ିବ।  କିନ୍ତୁ ଏହା ଦୁଇ ଦଳ ନ ଭାବିବା ହିଁ ଆଜି ତାଙ୍କୁ ସ୍ୱାଦହୀନ ପରାଜୟର ସ୍ୱାଦ ଚାଖିବାକୁ ବାଧ୍ୟ କରିଛି, ଯାହାର ଫାଇଦା ବିଜେଡିକୁ ମିଳୁଛି।