ପ୍ରଦୀପ ମାଝୀଙ୍କ ହିଂସାକୁ ଉସୁକାଇବା ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛି ବିଜେପି
Trending Photos
ଭୁବନେଶ୍ୱର: ପ୍ରଦୀପ ମାଝୀଙ୍କ ହିଂସାକୁ ଉସୁକାଇବା ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛି ବିଜେପି । ସିଏଏ ପ୍ରସଙ୍ଗକୁ ନେଇ ସାରା ଦେଶରେ କଂଗ୍ରେସ ହିଂସାକାଣ୍ଡକୁ ଉସକାଉଥିବାବେଳେ ଓଡିଶାରେ ପ୍ରଦୀପ ମାଝୀ ସେପରି କାମ କରିଛନ୍ତି ବୋଲି ବିଜେପି କହିଛି । ଏପରିକି ପ୍ରଦୀପ ମାଝୀଙ୍କୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଓଡିଶାରେ ହିଂସା ଭିଆଇବାକୁ ନିର୍ଦେଶ ଦେଇଥିବା ବିଜେପି ଅଭିଯୋଗ କରିଛି । ଯଦି କଂଗ୍ରେସ ଅହିଂସାରେ ବିଶ୍ୱାସ କରେ ତେବେ ପ୍ରଦୀପ ମାଝୀ ସିଧାସଳଖ ହିଂସାକାଣ୍ଡ ଭିଆଇବାକୁ କହୁଥିବାବେଳେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି । ତେଣୁ ଅହିଂସାର ଦଳ ବା ଅହିଂସାର କଥା କହୁଥିବା କଂଗ୍ରେସ ହିଂସାତ୍ମକ ଆଚରଣ କରେ ବୋଲି ସ୍ପଷ୍ଟ ହୋଇଥିବା ବିଜେପି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ।
ଅନ୍ୟପକ୍ଷରେ ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ବିଜେପି ଅଯଥା ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକୁ ସିଧାସଳଖ ପ୍ରଶ୍ରୟ ଦେଉଥିବା ବିଜେପି କଂଗ୍ରେସକୁ ଅହିଂସାର ପାଠ ନ ପଢାଉ ବୋଲି ଦଳ କହିଛି । ଏପରିକି ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ବ୍ୟାପକ ଅବଦାନ ରହିଥିବାବେଳେ ଅହିଂସା ମାର୍ଗରେ କଂଗ୍ରେସ ନେତାମାନେ ସ୍ବାଧୀନତା ସଂଗ୍ରାମରେ କାର୍ଯ୍ୟ କରିଥିଲେ । ଏଥିରେ କେଉଁ ବିଜେପି ନେତା କାର୍ଯ୍ୟ କରିଥିଲେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେଣୁ ନବରଙ୍ଗପୁରର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗରେ ନ୍ୟାୟ ପାଇଁ ଲଢେଇ କରୁଥିବା ପ୍ରଦୀପଙ୍କ ପ୍ରସଙ୍ଗରେ ବିଜେପି ଏଭଳି ରାଜନୀତି ନ କରୁ ବୋଲି କଂଗ୍ରେସ କହିଛି ।