)
ଭୁବନେଶ୍ୱର: ରାଜ୍ୟରେ ବସ ଚାଲିବାକୁ ନେଇ ଦୀର୍ଘ ମାସ ଧରି ଉପୁଜିଥିବା ସଂକଟ ଦୂର ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଅନଲକ୪ରେ (Unlock4) ସଟଡାଉନ ଲକଡାଉନ ବ୍ୟବସ୍ଥା ଉଠାଯିବା ସହ ରାତ୍ରିକାଳୀନ କର୍ଫୁ ଉଠିବା ପରେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ରାଜ୍ୟର ବସ ମାଲିକ ବସକୁ ଅନରୋଡ କରିବା ଆରମ୍ଭ କରିଛନ୍ତି । ବସ ଚାଲିବା ପାଇଁ ବହୁ ପୂର୍ବରୁ ନିଷ୍ପତ୍ତି ହୋଇ ବସ ଚାଲିବା ଆରମ୍ଭ ହୋଇଥିଲେ ମଧ୍ୟ କରୋନା ଭୟରେ ବସରେ ଯାତାୟତ କରୁନଥିଲେ ଯାତ୍ରୀ । ଏପରିକି ସ୍ଥିତି ଏଭଳି ହେଲା ଯେ ମୋଟ ୧୦୦ରୁ ମାତ୍ର ୫ପ୍ରତିଶତ ବସ ଚାଲିଥିଲା ।

ଏପରିକି ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଦୈନିକ ୯୦୦ ବସ ଚଳାଚଳ କରୁଥିବାବେଳେ ଏ ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ୧୭୫ଟି ବସ ଚାଲିଥିଲା ତାହା ପୁଣି ୧୦-୨୦ ଜଣ ଯାତ୍ରୀଙ୍କୁ ନେଇ । ବର୍ତ୍ତମାନ କଟକଣା କୋହଳ ହୋଇଥିବାରୁ ଏହାକୁ ସ୍ୱାଗତ କରିଛି ବସ ମାଲିକ ସଂଘ । ଏପରିକି ସରକାର ଆନ୍ତଃରାଜ୍ୟ ବସ ଚଳାଚଳ (Inter State Bus Transportation) ପାଇଁ କହିଥିବା ବେଳେ ଏବେ କୋଲକାତାକୁ ମାତ୍ର ୩ଟି ବସ ଚାଲୁଛି। ରାଜ୍ୟରେ ଏବେ ୧୪-୧୬ ହଜାର ଘରୋଇ ବସ ଥିବାବେଳେ କଟକଣା ହଟିଥିବାରୁ ବର୍ତ୍ତମାନ ବସ ଚାଲିବା ସ୍ୱାଭାବିକ ହେବ ବୋଲି ଆଶା କରିଛି ବସ ମାଲିକ ସଂଘ।

ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି ନେଇ ବିଜ୍ଞାପନ କରାଯିବା ଆବଶ୍ୟକ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଅନ୍ୟପକ୍ଷେ କଟକଣା ହଟିଥିବାରୁ ଏଣିକି ବସ ଚଳାଚଳର ସ୍ୱାଭାବିକତା ନେଇ ଆଶା ରଖିଛି ପରିବହନ ବିଭାଗ । ଘରୋଇ ଏବଂ ସରକାରୀ ବସ ଚଳାଚଳ ସ୍ୱାଭାବିକ ହେଉଛି । ବସ ଚାଲିବା ସମୟରେ କୋଭିଡ ନିୟମ ମାନିବାକୁ କୁହାଯାଇଛି । ସିଟ କ୍ଷମତା ଅନୁଯାୟୀ ବସରେ ଯାତ୍ରୀ ନେବାକୁ କୁହାଯିବା ସହ ବସକୁ ସାନିଟାଇଜ ଏବଂ ସମସ୍ତ କୋଭିଡ ଗାଇଡ ଲାଇନ (Covid19 Guideline) ମାନିବାକୁ କୁହାଯାଇଛି ।
ପୂର୍ବରୁ ବସ ଚଳାଚଳ ଅନୁମତି ମିଳିଥିଲେ ମଧ୍ୟ ଯାତ୍ରୀ ନ ହେବାରୁ କମ ବସ ଚଳାଚଳ କରୁଥିଲା । ବସ ମାଲିକ ସଂଘର ଦାବି ମୁତାବକ ଓ ସ୍ଥିତିକୁ ଦେଖି ଟ୍ୟାକ୍ସ ଛାଡ ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି । ଏବେ କଟକଣା କୋହଳ ହୋଇଥିବାରୁ ବସ ଚଳାଇଲେ ଲୋକେ ଯାତାୟତ କରିବେ ବୋଲି କହିଛନ୍ତି ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟରେ ବର୍ତ୍ତମାନ କୋରୋନା ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଲୋକେ ସାଧାରଣ ପରିବହନ (Public Transport) ଠାରୁ ଯାତାୟତ ପାଇଁ ଘରୋଇ ଯାନ ବ୍ୟବହାର ଦିଗରେ ଗୁରୁତ୍ୱ ଦେଉଛନ୍ତି ।
ଏପରିକି ପୂର୍ଣ ଭାବେ ବସରେ ସିଟ ପୂରଣ କରି ଲୋକଙ୍କୁ ନେଲେ ସାମାଜିକ ଦୂରତା ବଜାୟ ରଖିବା ମଧ୍ୟ ସମ୍ଭବପର ହେବ ନାହିଁ । ବର୍ତ୍ତମାନ ସମୟରେ ସାଧାରଣ ଯାତ୍ରୀ କେତେ ଦୂର ବସ ଯାତ୍ରାକୁ ପସନ୍ଦ କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଅନ୍ୟପଟେ ଭୁବନେଶ୍ୱରରେ ଗଡିଛି 'ମୋ ବସ' (Mo Bus) । ମଙ୍ଗଳବାର (ସେପ୍ଟମ୍ବର ୧, ୨୦୨୦) ଠାରୁ ପୁଣି ସ୍ୱାଭାବିକ ହୋଇଛି ଏହି ସେବା । ପ୍ରାଥମିକ ପର୍ଯ୍ୟାୟରେ ୮ଟି ରୁଟ୍ ଆରମ୍ଭ ହୋଇଛି ଏହି ସେବା । ୧୧,୧୬,୧୮,୨୦,୨୩,୨୪,୨୫ ଓ ୩୩ ନମ୍ବର ରୁଟରେ ୬୨ଟି ମୋ ବସ୍ ଚଳାଚଳ ଆରମ୍ଭ କରିଛି ।

ପର୍ଯ୍ୟାୟକ୍ରମେ ବସ୍ ସଂଖ୍ୟ ବୃଦ୍ଧି କରାଯିବ ବୋଲି କ୍ରୁଟ (Capital Region Urban Transport-CRUT) ପରିଚାଳନା ନିର୍ଦ୍ଦଶକ-ଏମଡି (MD-Managing Director) ଅରୁଣ ବୋଥ୍ରା ଜଣାଇଛନ୍ତି । ଏହା ସହ 'ନୋ ମାସ୍କ ନୋ ଏଣ୍ଟ୍ରି' (No Mask No Entry) ଉପରେ ପ୍ରାଧାନ୍ୟ ଦେଇ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବସକୁ ଦୈନିକ ଉପଯୁକ୍ତ ବିଶୋଧନ କରାଯାଉଛି ।
ଏହା ସହ ସାପ୍ତାହିକ ସଟ୍ ଡାଉନ ହଟିଯାଇଥିବା ବେଳେ ସପ୍ତାହକୁ ସାତ ଦିନ ବସ୍ ଗଡିବ । ସେପଟେ ଆସନ୍ତାକାଲି ଠାରୁ ସରକାରୀ ବସ୍ ଚଳାଚଳ କରିବ । ଓଡିଶା ରାଜ୍ୟ ସଡକ ପରିବହନ ନିଗମ-ଓଏସଆରଟିସି (OSRTC-Odisha State Road Transport Coroporation) ଅଧିନସ୍ଥ ୨୩ଟି ଡିପୋ ମଧ୍ୟରୁ ୧୪ଟିରୁ ୨୯ଟି ରୁଟରେ କାଲିଠାରୁ ବସ୍ ଚଳାଚଳ ହେବ ବୋଲି ସେ କହିଛନ୍ତି ।