ରାଜ୍ୟରେ ବଢିବ କୋରୋନା ଟେଷ୍ଟର ସଂଖ୍ୟା...
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡା ଆଭିମୂଖ୍ୟ ଗ୍ରହଣ କରିଛନ୍ତି। ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟିରେ କୋରୋନା ମୁକାବିଲା ନେଇ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଯାଇଛି। ରାଜ୍ୟରେ କୋରୋନା ଟେଷ୍ଟିଂ ସଂଖ୍ୟା ବଢାଇବାକୁ ମନ୍ତ୍ରିସ୍ତରୀୟ କମିଟିରେ ନିଷ୍ପତି ହୋଇଛି । ଏପ୍ରିଲ ମାସ ଶେଷ ସୁଦ୍ଧା ଦିନକୁ ୩ହଜାର ଟେଷ୍ଟ କରିବାକୁ ଲକ୍ଷ ରଖାଯାଇଛି। ରାଜ୍ୟର ଆଉ ୪ ମେଡ଼ିକାଲ କଲେଜରେ କୋରୋନା ଟେଷ୍ଟିଂ ସୁବିଧା ଉପଲବ୍ଧ ହେବ । ସେପଟେ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ଓଡ଼ିଶାକୁ ଫେରାଇଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ । ଆସନ୍ତାକାଲି ହେବାକୁ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକରେ ଏହି ପ୍ରସଙ୍ଗ ଉଠିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ।
ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚ କ୍ଷମତା ସମ୍ପନ୍ନ ଆନ୍ତଃ-ମନ୍ତ୍ରିସ୍ତରୀୟ ବୈଠକ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଭିଡ଼ିଓ କନ୍ଫେରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଯେନା ପ୍ରମୁଖ ଭାଗ ନେଇଥିଲେ । ଏପ୍ରିଲ ମାସ ଶେଷ ସୁଦ୍ଧା ଦିନକୁ ୩ହଜାର ଟେଷ୍ଟ କରିବାକୁ ଲକ୍ଷ ରଖାଯାଇଛି। ୪ ମେଡିକାଲ କଲେଜ ବଲାଙ୍ଗୀର, ବାଲେଶ୍ୱର, ବାରିପଦା, କୋରାପୁଟରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ। ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ ଦିନକୁ ୪୫୦ ଟେଷ୍ଟିଂ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏବେ ରାଜ୍ୟରେ ଦିନକୁ ୨ ହଜାର ଟେଷ୍ଟିଂ ହେବାର କ୍ଷମତା ଥିବା ବେଳେ ଏହାକୁ ବଢାଇବାକୁ ନିଷ୍ପତ୍ତି ହୋଇଛି ବୋଲି ବୈଠକ ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ହେଲେ କଲିକତି ଲିଙ୍କ ରାଜ୍ୟରେ କୋରୋନା ରୋଗୀ ବୃଦ୍ଧି କରୁଥିବାରୁ ସୀମା ସିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ସମ୍ପୂର୍ଣ୍ଣ ସିଲ କରିବା ସମ୍ଭବ ନୁହେଁ କିନ୍ତୁ ଏହାକୁ ଅଧିକ କଡ଼ାକଡ଼ି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଭିଡ଼ିଓ କନଫେରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ସୋନପୁରରୁ ଅର୍ଥମନ୍ତ୍ରୀ ଓ ଝାରୁସୁଗୁଡ଼ାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଯୋଡ଼ି ହୋଇଥିଲେ । ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସହ ଆଲୋଚନା କାର୍ଯ୍ୟକ୍ରମ ଥିବା ବେଳେ ଦାଦନ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ରାଜସ୍ଥାନ କୋଟା ରେ ଲକ ଡ଼ାଉନ ପାଇଁ ଶହ ଶହ ଓଡ଼ିଆ ଛାତ୍ର ଛାତ୍ରୀ ଫସି ରହିଥିବାରୁ ଓଡିଶା କୁ ଫେରେଇ ଆଣିବାକୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
କୋରୋନା ମୁକାବିଲା ପାଇଁ ଆର୍ଥିକ ନିଷ୍ପତି ନେବା ସହ ସ୍ଥିତିର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଢିଥିଲେ । ଆଜି ଏହି କମିଟିର ଷଷ୍ଠ ବୈଠକରେ କୋରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି ।