ପୁରୀ ସହରକୁ ଜଗିଛି ଅଚଳ ସିସିଟିଭି କ୍ୟାମେରା
Advertisement

ପୁରୀ ସହରକୁ ଜଗିଛି ଅଚଳ ସିସିଟିଭି କ୍ୟାମେରା

ଜଗନ୍ନାଥଙ୍କ ସୁରକ୍ଷା ଜଗନ୍ନାଥ କରୁଛନ୍ତି...

ପୁରୀ ସହରକୁ ଜଗିଛି ଅଚଳ ସିସିଟିଭି କ୍ୟାମେରା

ପୁରୀ: ଦେଶର ଅନ୍ୟତମ ପର୍ଯ୍ୟଟନ ସହର ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ରାତି ପାହିଲେ ହଜାର ହଜାର ପର୍ଯ୍ୟଟକଙ୍କ ଗହଳି ଜମେ । କିଏ ଶ୍ରୀମନ୍ଦିରରେ ମହାପ୍ରଭୁ କାଳିଆ ସାଆନ୍ତଙ୍କୁ ଦର୍ଶନ କରେ ତ ଆଉ କିଏ ପୁରୀର ସମୁଦ୍ର ବେଳାଭୂମିର ଅପୂର୍ବ ଦୃଶ୍ୟର ଉପଭୋଗ କରିଥାଏ । ହେଲେ ଏହି ଶ୍ରୀକ୍ଷେତ୍ର ପ୍ରତି ରହିଛି ବିପଦର ଆଶଙ୍କା । ପର୍ଯ୍ୟଟକ ମାନେ ବି ଅସୁରକ୍ଷିତ । ଫନିର ପ୍ରଚଣ୍ଡ ଆଘାତରେ ନଷ୍ଟ ହୋଇଯାଇଥିବା ପ୍ରାୟ ୧୫୦ସିସିଟିଭି ଏପର୍ଯ୍ୟନ୍ତ ମରାମତି ହୋଇନାହିଁ କି ନୁଆ ସିସିଟିଭି ମଧ୍ୟ ଇନଷ୍ଟଲେସନ ହୋଇନାହିଁ । ଦୀର୍ଘ ୬ମାସ ହେଲା ବିନା ସିସିଟିଭି ସର୍ଭେଲାନସରେ ରହିଛି ଏହି ପୁରାତନ ଐତିହ୍ୟ ଶ୍ରୀକ୍ଷେତ୍ର । କେବଳ ଭରଷା ମହାପ୍ରଭୁଙ୍କ ଉପରେ । କାରଣ ଶ୍ରୀମନ୍ଦିରକୁ ଛାଡି ଦେଲେ ପୁରୀ ସହରରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ଅଚଳ ।

ବିଶ୍ୱ ଐତିହ୍ୟ ମାନଚିତ୍ରରେ ପୁରୀକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ଲାଗି ସରକାର ପ୍ରୟାସ ଆରମ୍ଭ କରିଥିବା ବେଳେ ସୁରକ୍ଷା ଦୃଷ୍ଟି କୋଣରୁ ସହର ପ୍ରତି ବିପଦ ରହିଛି । ଏମିତିକି ପୂର୍ବରୁ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ବେଳେ ଗତ ଫନି ବାତ୍ୟା ପ୍ରଭାବରେ ସହରର ସମସ୍ତ ସିସିଟିଭି ଅଚଳ ହୋଇଯାଇଛି । ଫଳରେ ବିନା ସିସିଟିଭି ସର୍ଭେଲାନସରେ ଏବେ ଶ୍ରୀକ୍ଷେତ୍ର । ହେଲେ ଆଜି ପର୍ଯ୍ୟନ୍ତ ତାହାର ମରାମତି ହୋଇପାରିନାହିଁ । ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ଆଉ ଜଗନ୍ନାଥଙ୍କ ସୁରକ୍ଷା ଜଗନ୍ନାଥ କରୁଛନ୍ତି ବୋଲି ବିଶ୍ୱାସ ରହିଥିବା କହୁଛନ୍ତି ସେବାୟତ ବୁଦ୍ଧିଜୀବୀ । 

ସି ବିଚ୍ , ବସ ଷ୍ଟାଣ୍ଡ , ରେଲୱେ ଷ୍ଟେସନ, ବଡ଼ ଦାଣ୍ଡ, ସହର ର ପ୍ରମୂଖ ପ୍ରବେଶ ପଥ ସିସିଟିଭି ସମ୍ପୂର୍ଣ୍ଣ ଅଚଳ । ଫନି ବାତ୍ୟା ପରେ ଏ ସବୁ ଭାଙ୍ଗି ରୁଜି ଯାଇଛି । ଆଉ ଯାହାର ଫାଇଦା ନେଉଛନ୍ତି ଅସମାଜିକ ବ୍ୟକ୍ତି । ଦିନ ଦ୍ଵିପ୍ରହରରେ ଘଟୁଛି ଲୂଟ, ଛିନତାଇ । ତେବେ ସିସିଟିଭି କ୍ୟାମେରା ବ୍ୟବସ୍ଥା ପୁରୀ ସହରରେ ସମ୍ପୂର୍ଣ୍ଣ ଅଚଳ ହୋଇ ପଡି ଥିବାରୁ ଅପରାଧୀଙ୍କୁ ଧରି ପାରୁ ନାହିଁ ପୋଲିସ । ସେପଟେ ପୁର୍ବରୁ ରହିଛି ଆତଙ୍କବାଦୀ ଭୟ । ଏନଏସଜି ପକ୍ଷରୁ ପ୍ରାୟ ପ୍ରତି ମାସ ଶ୍ରୀମନ୍ଦିର ତଦାରଖ କରାଯାଉଛି । ପୁରୀ ସହର ଉପରେ ନଜର ରଖିଛି । ଐତିହ୍ୟ ସୁରକ୍ଷା, ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ସିସିଟିଭି କାର୍ଯ୍ୟ କାରୀ କରିବାକୁ ପୁରୀ ବାସିନ୍ଦା ଦାବି କରିଛନ୍ତି ।

ସିସିଟିଭି କ୍ୟାମେରା ଅଚଳ ଯୋଗୁ ପୁରୀ ସହର ଏକ ମାସ ଭିତରେ ଏକାଧିକ ଲୂଟ, ଛିନତାଇ ଘଟଣା ଘଟି ସାରିଲାଣି । ନିକଟରେ ବଡ଼ ଦାଣ୍ଡର ବଡ଼ଶଙ୍ଖ ଠାରେ ଜଣେ ବ୍ୟକ୍ତି ଙ୍କ ଠାରୁ ସୁନା ଚେନ, ମୁଦି ଲୁଟି ନେଇ ଥିଲେ କିଛି ଯୁବକ। ସେହିପରି ସଦର ଥାନା ନିକଟ ଦତ୍ତତୋଟାରେ ରାସ୍ତାରେ ଯାଉଥିବା ବେଳେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଲୂଟ କରିଥିଲେ ଦୁର୍ବୁତ୍ତ ।

ବର୍ତ୍ତମାନ ଶ୍ରୀମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲଗାଯାଇ ସୁରକ୍ଷା ବ୍ୟବସ୍ଥା କୁ ନଜର ରଖାଯାଇଛି ଏବଂ ଖୁବ ଶୀଘ୍ର ଅନ୍ୟ ଜାଗା ଗୁଡିକରେ ମରାମତି ଆରମ୍ଭ ହେବ ବୋଲି ପୁରୀ ଏସପି କହିଛନ୍ତି।