ବକେୟା ବିଦ୍ୟୁତ ବିଲ ଦେଇ ନାହାନ୍ତି କି ?

ବିଦ୍ୟୁତ ବିଲ ବାକି ରଖିଥିବା ଗ୍ରାହକଙ୍କ ଘରୁ ବିଜୁଳି କାଟିଦେବ ସେସୁ

ବକେୟା ବିଦ୍ୟୁତ ବିଲ ଦେଇ ନାହାନ୍ତି କି ?

ଭୁବନେଶ୍ୱର:  ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗୋଟିଏ ଦିନ ପରେ ଅର୍ଥାତ 16 ତାରିଖରେ ବିଦ୍ଯୁତ ବିଲ ବାକି ରଖିଥିବା ଗ୍ରାହକଙ୍କ ଘରୁ ବିଜୁଳି କାଟିଦେବ ସେସୁ । ରାଜ୍ଯରେ ବିଦ୍ଯୁତ ବଣ୍ଟନ କରୁଥିବା 9ଟି ଜିଲ୍ଲା ଖୋର୍ଧା, ପୁରୀ, ନୟାଗଡ, କଟକ, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାର ବକେୟା ରଖିଥିବା ଗ୍ରାହକମାନଙ୍କ ଘରୁ ବିଜୁଳି କଟାଯିବ। ଏଥିପାଇଁ ସେସୁ ପକ୍ଷରୁ 413ଟି ସ୍କ୍ବାର୍ଡ କରାଯାଇଛି । ଏହି ଜିଲ୍ଲାର 11 ହଜାର 300 ଗ୍ରାମର 8 ଲକ୍ଷ ଉପଭୋକ୍ତାଙ୍କୁ ନୋଟିସ ମଧ୍ଯ ଦିଆସରିଥିବା ସେସୁ ପକ୍ଷରୁ କୁହାଯାଇଛି । କମର୍ସିଆଲ ଏବଂ ଡୋମେଷ୍ଟିକ ଉପଭୋକ୍ତାଙ୍କ ଘରୁ ସଂଯୋଗ ବିଛିନ୍ନ କରାଯିବ । ଯେଉଁମାନଙ୍କ ବିଲ ଦେବାର କ୍ଷମତା ରହିଛି ଏବଂ ସେମାନେ ବକେୟା ରଖିଛନ୍ତି ସେମାନଙ୍କ ଘରୁ ଆଗେ ସଂଯୋଗ କଟାଯିବ। ଯେଉଁ ଲୋକ ବକେୟା ରଖିଥିବେ ସେମାନଙ୍କ ବିଜୁଳି କଟାଯିବ ଏବଂ ଯେଉଁ ଗାଁରେ ସମସ୍ତେ ବକେୟା ରଖିଥିବେ ସେ ଗାଁର ସମସ୍ତଙ୍କର ବିଜୁଳି କଟାଯିବ ବୋଲି କୁହାଯାଇଛି।

ଅନ୍ଯପକ୍ଷରେ ଏହାକୁ ନେଇ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି ବିରୋଧୀ। ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କ ଉପରେ ବର୍ଷିଛି। ଗ୍ରୀଡକୋ ପାଖରେ ଡିସକମ ମାନେ 7657 କୋଟି ଟଙ୍କା  ଜମା କରି ନ ଥିବାବେଳେ ମାତ୍ର 1950 କୋଟି ଆଦାୟ କରିବାକୁ 11 ହଜାର ଗାଁକୁ ଅନ୍ଧାର କରିବାକୁ ସରକାର ଉଦ୍ଯମ କରୁଥିବା ବିଜେପି କହିଛି । ବଡ କଂପାନୀ ନିକଟରୁ ବକେୟା ଆଦାୟ ହେଉ ନ ଥିବାବେଳେ ଗରିବଙ୍କ ଉପରେ ପ୍ରହାର କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ଆଗକୁ ଯୁକ୍ତ ଦୁଇ ପରୀକ୍ଷା ଥିବାରୁ ସରକାର ଆଲୋଚନା ମାଧ୍ଯମରେ ଆଦାୟ ବ୍ଯବସ୍ଥା କରନ୍ତୁ ବୋଲି ଦଳ ଦାବି କରିଛି। ଏପରିକି ସେସୁ ହଠାତ ଏବେ ଲୋକଙ୍କ ଘରକୁ ପୁରୁଣା ବିଲ ପଠାଉଥିବା ବିଜେପି ଅଭିଯୋଗ କରିଛି। ଗୋଟିଏ ପଟେ ଓଡିଶାକୁ ବିଦ୍ଯୁତ ବଳକା ରାଜ୍ଯ କହୁଥିବାବେଳେ ଅନ୍ଯପଟେ ଗରିବଙ୍କ ଘରୁ ବିଜୁଳି କାଟ ନିଷ୍ପତ୍ତି ନିନ୍ଦନୀୟ ବୋଲି ବିଜେପି କହିଛି । ସେହିଭଳି କଂଗ୍ରେସ ପକ୍ଷରୁ ବିଜୁଳି କାଟ ପ୍ରସଙ୍ଗରେ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଆଗକୁ ଯୁକ୍ତ ଦୁଇ ପରୀକ୍ଷା ଥିବାରୁ ବିଜୁଳି କାଟ ନିଷ୍ପତ୍ତିରୁ ନ ଓହରିଲେ ସମସ୍ତ ବିଜୁଳି କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

Tags: