ସମସ୍ତଙ୍କ ପାଖରେ ଆଣ୍ଡ୍ରୋଏଡ ମୋବାଇଲ ନଥିବାରୁ ଅନଲାଇନ ଶିକ୍ଷା ଦିଆଯାଇପାରୁନାହିଁ । ମାତ୍ର ୨୨ ଲକ୍ଷ ପିଲା ଏହାର ଫାଇଦା ନେଇପାରୁଛନ୍ତି । ଅନ୍ୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ଓଡିଶା ଅଭିଭାବକ ମହାସଂଘ ।
Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଏବେ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ସମୁଦାୟ ୬୦ ଲକ୍ଷ ପିଲା ଅଛନ୍ତି । କୋରୋନା ଯୋଗୁଁ ଏମାନଙ୍କୁ ଅନଲାଇନରେ ଶିକ୍ଷାଦାନ କରାଯିବାର ବ୍ୟବସ୍ଥା ହୋଇଛି । ତେବେ ମାତ୍ର ୨୨ ଲକ୍ଷ ପିଲା ଏହାର ଫାଇଦା ନେଇପାରୁଛନ୍ତି । ଅନ୍ୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିଜେ ଏକଥାକୁ ସ୍ୱୀକାର କରିଥିଲେ । ସମସ୍ତଙ୍କ ପାଖରେ ଆଣ୍ଡ୍ରୋଏଡ ମୋବାଇଲ ନଥିବାରୁ ଅନଲାଇନ ଶିକ୍ଷା ଦିଆଯାଇପାରୁନାହିଁ । ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ଓଡିଶା ଅଭିଭାବକ ମହାସଂଘ ।
ସଂଘ କହିଛି, ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସରକାର ଏପରି କରିପାରିବେ ନାହଁ । ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିବାକୁ ସରକାର ବାଧ୍ୟ । ଏହା ଦ୍ୱାରା ସରକାର 38 ଲକ୍ଷ ପିଲାଙ୍କୁ ମୂର୍ଖ କରିବାକୁ ଯୋଜନା କରୁଛନ୍ତି ବୋଲି ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଯେଉଁମାନଙ୍କ ପାଖରେ ଆଣ୍ଡ୍ରୋଏଡ ମୋବାଇଲ ନାହିଁ କିମ୍ବା ନେଟୱର୍କ ଉପଲବ୍ଧ ନାହିଁ ସେମାନେ ଏହି କ୍ଲାସରୁ ବଞ୍ଚିତ ହେଉଛନ୍ତି । ସରକାର ସମସ୍ତଙ୍କ ପାଇଁ ମୋବଇଲ ବ୍ୟବସ୍ଥା ନ କରି ଅନଲାଇନ ବ୍ୟବସ୍ଥାରେ ପାଠପଢ଼ା ଆରମ୍ଭ କରିଛନ୍ତି । ଏପରି କରି ପିଲାମାନଙ୍କ ମଧ୍ୟରେ ସରକାର ଭେଦଭାବ ତିଆରି କରିଥିବା କହିଛି ମହାସଂଘ ।
ଯେଉଁ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ସେମାନେ ମୁଖ୍ୟତଃ ଗରିବ ଓ ଅପହଞ୍ଚ ଅଞ୍ଚଳର । ଏହା ଦ୍ୱାରା ପାଠପଢ଼ାରୁ ବଞ୍ଚିତ ପିଲାମାନେ ମାନସିକ ସ୍ତରରେ ଘୋର ପ୍ରଭାବିତ ହେଉଛନ୍ତି । ଆସାମ, ପଶ୍ଚିମବଙ୍ଗ ଓ କେରଳରେ ଏଥିପାଇଁ କିଛି ପିଲା ଆତ୍ମହତ୍ୟା କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଓଡିଶାରେ ଏପରି ନହେବ ବୋଲି କିଏ କହିବ ? ଏହାହେଲେ ରାଜ୍ୟ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି କହିଛି ମହାସଂଘ ।
ମହାସଂଘର କହିବା କଥା ଏହା ଯେ, ଯେଉଁମାନେ ଶିକ୍ଷାରୁ ବଞ୍ଚିତ ହେବେ ସେମାନଙ୍କ ମଧ୍ୟରୁ ଅନେକ ପାଠପଢ଼ା ଛାଡ଼ିଦେବେ । ଏହାଦ୍ୱାରା ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଗରିବ ପିଲା ମାନେ ବିଭିନ୍ନ କାଯ୍ୟରେ ଲିପ୍ତ ରହିବେ । ଛୋଟ ଝିଅମାନଙ୍କ କ୍ଷେତ୍ରରେ ବାଲ୍ୟ ବିବାହକୁ ପ୍ରୋତ୍ସାହନ ମିଳିବ । ଏହା ଆମ ରାଜ୍ୟର ଛୋଟ ପିଲାଙ୍କ ପାଇଁ ଅନ୍ୟାୟ ହେବ । ଏହା ସମ୍ପୂର୍ଣ ଭାବେ ପିଲାମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ କରୁଛି । ସରକାର ତୁରନ୍ତ ସମସ୍ତଙ୍କୁ ମୋବଇଲ ପ୍ରଦାନ କରି ପାଠ ପଢାନ୍ତୁ ବୋଲି କହିଛି ମହାଂଘ ।
ସେପଟେ କେନ୍ଦ୍ର ସରକାର ଏବର୍ଷ ପାଠ୍ୟକ୍ରମକୁ କମାଇବା ପାଇଁ ଯୋଜନା କରୁଛନ୍ତି । ସେତେବେଳେ ସରକାର କ'ଣ କରିବେ ବୋଲି ପ୍ରଶ୍ନ କରିଛି ଓଡିଶା ଅଭିଭାବକ ମହାସଂଘ । ରାଜ୍ୟ ସରକାର ମଧ୍ୟ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି । ଏହି କ୍ରମରେ ଆଜି ମହାସଂଘ ରାଜ୍ୟ ମାନବାଧିକାରଙ୍କୁ ଭେଟି ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କହିଛି ।