)
ଭୁବନେଶ୍ୱର: ସାରା ଦେଶରେ ଏବେ ଓମିକ୍ରନ ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ହେଲେ ଏହାରି ମଧ୍ୟରେ ଆମ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁଆରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେପଟେ ଯେଉଁ ବିଦ୍ୟାଳୟ (School) ରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ Summative--1 ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁଆରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ଣ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ।
ମଧ୍ୟାହ୍ଣ ଭୋଜନ ଯୋଜନା ଅନ୍ତର୍ଗତ ଡ୍ରାଏ ରାସନ (Dry Ration) ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ SOP ବିଭାଗ ଦ୍ଵାରା ସୂଚିତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଘୋଷଣା କରିଛନ୍ତି।
ସେପଟେ ରାଜ୍ୟ ସରକାର (Odisha Government) ଙ୍କ ଏପରି ନିଷ୍ପତ୍ତିକୁ ଓଡି଼ଶା ଅଭିଭାବକ ମହାସଂଘ ଏହାକୁ ଦୃଢ଼ ବିରୋଧ କରୁଛି l କେନ୍ଦ୍ର ସରକାର ଯେତେବେଳେ ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟୀକା ଆସନ୍ତା ଜାନୁଆରୀ ୩ ତାରିଖରୁ ଦେବାପାଇଁ ଘୋଷଣା କରିଛନ୍ତି ସେହି ସମୟରେ ତର ତର ହୋଇ କୌଣସି ଆଲୋଚନା ନ କରି ସ୍କୁଲ ଖୋଲିବା ଗ୍ରହଣ ଯୋଗ୍ୟ ନୁହେଁ l
ବେସରକାରୀ ସ୍କୁଲ ବହି ବିକିବା ଓ ଫି ଆଦାୟ ପାଇଁ ଯେଇଁ ମସୁଧା କରିଥିଲେ ତାହାକୁ ମନ୍ତ୍ରୀ ଗ୍ରହଣ କରି ନୂଆବର୍ଷ ପାଇଁ ମୁନାଫାଖୋରୀ ମାନଙ୍କୁ ଭେଟି ଦେଇଛନ୍ତି । ଏପରି ଅଗଣତାନ୍ତ୍ରିକ ଭାବେ ବିଭାଗ ଚଳାଉଥିବା ମନ୍ତ୍ରୀଙ୍କ ଏହି ନିଷ୍ପତି ପାଇଁ ଦୃଢ଼ ବିରୋଧ କରାଯିବ l ବର୍ତ୍ତମାନ ଷଷ୍ଠରୁ ଦ୍ୱାଦଶ ସ୍କୁଲ ଖୋଲା ଅଛି ଓ ସେପଟେ ପ୍ରଥମରୁ ପଞ୍ଚମ ପାଇଁ ଟୀକା (Corona Vaccine) ଆସିବା ପର୍ଯ୍ୟନ୍ତ ଅପେକ୍ଷା ପାଇଁ ମହାସଂଘ ଦାବି କରୁଛି l