close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜଳବାୟୁ ପରିବର୍ତ୍ତନ ପ୍ରତିବର୍ଷ ଓଡ଼ିଶାରୁ ନେବ ୪୨ ହଜାର ଲୋକଙ୍କ ମୁଣ୍ଡ!

ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ପକ୍ଷରୁ କରାଯାଇଥିବା ଏଭଳି ଭୟାନକ ସର୍ବେକ୍ଷଣରେ ଆକଳନ କରାଯାଇଛି

ଜଳବାୟୁ ପରିବର୍ତ୍ତନ ପ୍ରତିବର୍ଷ ଓଡ଼ିଶାରୁ ନେବ ୪୨ ହଜାର ଲୋକଙ୍କ ମୁଣ୍ଡ!
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମଳୟ ମହାନ୍ତି, ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଯୋଗୁ ଓଡ଼ିଶାରେ ପ୍ରତିବର୍ଷ ୪୨ ହଜାର ଲୋକ ମରିଯିବେ । ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଏଭଳି ଭୟାନକ ଆକଳନ କରାଯାଇଛି । ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟା ଧୀରେ ଧୀରେ ବଢି ଚାଲିଛି । ଓଡ଼ିଶାରେ ହାରାହାରି ଗ୍ରୀଷ୍ଣ ତାପମାତ୍ରା ୨୦୧୦ ରେ ୨୮.୮୭ ଡିଗ୍ରୀ ସେଲସିୟସରୁ ବୃଦ୍ଧି ପାଇ ୨୧୦୦ ମସିହା ସୁଦ୍ଧା ୩୨.୧୯ ଡିଗ୍ରୀ ସେଲସିୟସ ହେବ । ରାଜ୍ୟରେ ଅତ୍ୟଧିକ ଗରମ ଦିନ ସଂଖ୍ୟା ବର୍ତ୍ତମାନ ଯାହା ରହିଛି ତାହା ୨୧୦୦ ମସିହା ସୁଦ୍ଧା ୩୦ ଗୁଣା ବୃଦ୍ଧି ପାଇପାରେ । ଅନ୍ୟ ସବୁ ରାଜ୍ୟ ମଧ୍ୟରେ ଗରମ ଦିନ ମଧ୍ୟରେ ଓଡ଼ିଶା ସର୍ବାଧିକ । ୨୧୦୦ ମସିହା ସୁଦ୍ଧା ଓଡ଼ିଶାରେ ୪୨ ହଜାର ୩୩୪ ଅତ୍ୟଧିକ ପାଣିପାଗ ଜନିତ ମୃତ୍ୟୁ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି । ପ୍ରତିବର୍ଷ ହୃଦଘାତରେ ଯେତିକି ମୃତ୍ୟୁ ହେଉଛି ଏହା ତାର ୫ ଗୁଣ ଅଧିକ ବୋଲି କୁହାଯାଇଛି । ଏ ସଂପର୍କରେ ଟାଟା ସେଣ୍ଟର ଫଲ ଡେଭଲପମେଣ୍ଟ ପକ୍ଷରୁ ପାଣିପାଗ ବିଜ୍ଞାନୀ, ପରିବେଶ ବିଜ୍ଞାନୀ ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ବିଶେଷ ଆଲୋଚନା କରାଯିବା ସହ ସରକାରଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ ହାରରେ ଯଦି ଗ୍ରୀନହାଉସ ଗ୍ୟାସ ନିର୍ଗମନ ଚଳିତ ଶତାଦ୍ଧୀ ଶେଷ ପର୍ଯ୍ୟନ୍ତ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣ ବୃଦ୍ଧି ଘଟି ୨୧୦୦ ମସିହା ସୁଦ୍ଧା ୪୮.୦୫କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଅତ୍ୟଧିକ ଅଙ୍ଗାରକାମ୍ଲ ନିର୍ଗମନ ସ୍ଥିତିରେ ଓଡ଼ିଶା ଜାତୀୟ ହାରଠାରୁ ଅଧିକ ରହିଛି ।

କଳକାରଖାନାରେ ଅହେତୁକ ବୃଦ୍ଧି, ଗାଡି ମୋଟର ଚଳାଚଳରେ ବ୍ୟାପକ ବୃଦ୍ଧି, ବ୍ୟାପକ ବୃକ୍ଷହାନି ତଥା ଜଙ୍ଗଲ କମିବା ଆଦି ବହୁ କାରଣ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏପରିକି ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ଜାରି ରହିଲେ ତାହା ଆଗାମୀ ବର୍ଷରେ ବଡ ବିପଦ ହୋଇ ଉଭା ହେବ । ସମସ୍ତ କ୍ଷେତ୍ରରେ ରିନିଉଏବଲ ଏନର୍ଜୀର ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ନଚେତ ଏ ଜୀବସତ୍ତାକୁ ଧ୍ବଂସ ମୁଖରେ କେହି ବି ଅଟକାଇପାରିବେନି ବୋଲି କୁହାଯାଇଛି । ଅତ୍ୟାଧିକ ତାପମାତ୍ରା ବୃଦ୍ଧି ଯୋଗୁ ହେବାକୁ ଥିବା ସମୁଦାୟ ୧୫ ଲକ୍ଷ ୪୩ ହଜାର ୭୦୮ ଜଣ ମୃତ୍ୟୁର ୬୪ ପ୍ରତିଶତ ୬ଟି ରାଜ୍ୟ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଘଟିବ ବୋଲି ଆକଳନ କରାଯାଇଛି । ୨୦୧୦ ରୁ ୨୦୧୮ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ବୃଦ୍ଧି ଯୋଗୁ ଭାରତରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ ୯୦ ପ୍ରତିଶତ ମୃତ୍ୟୁ ଓଡ଼ିଶା , ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ଘଟିଥିଲା । କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବ ପକ୍ଷରୁ ଯୁଚିକାଗୋର ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ସହଯୋଗରେ କରାଯାଇଥିବା ଭାରତର ଜଳବାୟୁ ପରିବର୍ତ୍ତନ ଓ ପାଣିପାଗ ଝଟକା ଜନିତ ମନୁଷ୍ୟ ଓ ଅର୍ଥନୈତିକ କ୍ଷତିକୁ ନେଇ ପ୍ରସ୍ତୁତ କରାଯାଉଥିବା ଆକଳନ ସିରିଜ ମଧ୍ୟରୁ ଏହା ହେଉଥିବା ପ୍ରଥମ ସର୍ବେକ୍ଷଣ ରିପୋର୍ଟ ।