ମହାମାରୀ ଜଗିବେ ପଞ୍ଚାୟତ ମୁଖିଆ, ଶପଥ କରାଇଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha671235

ମହାମାରୀ ଜଗିବେ ପଞ୍ଚାୟତ ମୁଖିଆ, ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରପଞ୍ଚମାନଙ୍କ ଦକ୍ଷତା ଉପରେ ତାଙ୍କର ପୁରା ଭରସା ଅଛି । ସେମାନେ ଯଦି କୋରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବେ, ତାହାଲେ ଗାଁରେ କୋରୋନା ପଶିପାରିବ ନାହିଁ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭୯୮ ପଞ୍ଚାୟତର ସରପଞ୍ଚଙ୍କୁ ଦାୟିତ୍ୱର ଶପଥ ପାଠ କରାଇଛନ୍ତି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ସହ ସେମାନଙ୍କ ରହିବା, ଖାଇବା ଓ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା ସରପଞ୍ଚ କରିବେ । ଏହାସହ ଗାଁରେ କୋରୋନା ପଶିବାକୁ ଦେବେ ନାହିଁ ବୋଲି ସରପଞ୍ଚମାନେ ଶପଥ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ସଚିବ ଲୋକସେବା ଭବନରୁ ଏବଂ ସରପଞ୍ଚମାନେ ବ୍ଲକ କାର୍ଯ୍ୟାଳୟରୁ ଭିଡ଼ିଓ କନଫେରେନ୍ସିଂରେ ଯୋଡ଼ି ହୋଇଥିଲେ ।

ରାଜ୍ୟରେ କୋରୋନା ସଂକ୍ରମଣ ରୋକିବାକୁ ପଞ୍ଚାୟତର ମୁଖ୍ୟ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମସ୍ତ ୬୭୯୮ ସରପଞ୍ଚଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରପଞ୍ଚମାନଙ୍କ ଦକ୍ଷତା ଉପରେ ତାଙ୍କର ପୁରା ଭରସା ଅଛି । ସେମାନେ ଯଦି କୋରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବେ, ତାହାଲେ ଗାଁରେ କୋରୋନା ପଶିପାରିବ ନାହିଁ । ସରପଞ୍ଚମାନଙ୍କୁ ଭଲ କାମ କରିବାକୁ ପରାମର୍ଶ ଦେଇ ସରକାର ଓ ସରକାରୀ କଳ ସେମାନଙ୍କ ସହ ସବୁବେଳେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ବୈଠକରେ ପଞ୍ଚାୟତି ରାଜ ସଚିବ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଗାଁରେ କିପରି କ୍ୱାରେଣ୍ଟାଇନ୍‌ରେ ରଖାଯିବ, ତାର ବିସ୍ତୃତ ତଥ୍ୟ ଦେଇଥିଲେ ।

ଆସନ୍ତା ଦିନ ଗୁଡ଼ିକରେ ପ୍ରାୟ ୫ ଲକ୍ଷ ବାହାର ରାଜ୍ୟରୁ ନିଜ ନିଜ ଗାଁକୁ ଆସିବାର ସମ୍ଭାବନା ରହିଛି । ପ୍ରତ୍ୟେକ ସରପଞ୍ଚ ନିଜ ଗାଁକୁ ଆସିବାକୁ ସମ୍ଭାବନା ଥିବା ଲୋକଙ୍କ ପାଇଁ କ୍ୱାରେଂଟାଇନ୍‌ର ବ୍ୟବସ୍ଥା କରିବାକୁ ପଡ଼ିବ । ଏଥିପାଇଁ ରାଜ୍ୟ ସରକାର ଆସନ୍ତା ଅପ୍ରେଲ ୨୪ ତାରିଖରେ ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବେ ଏବଂ ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପଞ୍ଜିକରଣ ବାଧ୍ୟତାମୂଳକ । ଏହାର ଦାୟିତ୍ୱ ସରପଞ୍ଚମାନଙ୍କ ଉପରେ ନ୍ୟସ୍ତ ରହିଛି । ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡ଼ାଲ ଅଫିସର ଦାୟିତ୍ୱରେ ରହିବେ । ଏହା ସହ ଏହି ବ୍ୟବସ୍ଥାର ତଦାରଖ ପାଇଁ ୫ଜଣିଆ ଟିମ୍ ଗଠନ କରିବାକୁ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । କୋରାପୁଟ ସଦର ବ୍ଲକ, କେନ୍ଦ୍ରାପଡ଼ା ସଦର ବ୍ଲକ, ଜଗତସିଂହପୁରର ଏରସମା ବ୍ଲକ, ସମ୍ବଲପୁର ଓ ବରଗଡ଼ର ସରପଞ୍ଚମାନେ ତାଙ୍କ ଗାଁରେ ନିଆଯାଇଥିବା ବ୍ୟବସ୍ଥା ବାବଦରେ ସୂଚନା ଦେଇଥିଲେ । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନିଜ ଗାଁରେ କୋରୋନା ପୁରାଇ ନ ଦେବାକୁ ଶପଥ ପାଠ କରାଇଛନ୍ତି ।

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଗାଁରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ସହ ମାଗାଣା ରହିବା, ଖାଇବା, ଚିକିତ୍ସା ଉପଲବ୍ଧ କରାଯାଇଛି ବୋଲି ଘୋଷଣା କରିବା ସହ ୧୪ ଦିନର କ୍ୱାରେଣ୍ଟାଇନ ଅବଧି ପରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ୨ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମଧ୍ୟ ଘୋଷଣା କରିଥିଲେ ।

;