ସାମାଜିକ ଦୂରତ୍ୱ ଉପରେ କମିଶନରେଟ ପୋଲିସର ଗୁରୁତ୍ୱ, ଏମିତି ସାବାଡ୍ ହେଉଛନ୍ତି ଉଲଂଘନକାରୀ
Advertisement

ସାମାଜିକ ଦୂରତ୍ୱ ଉପରେ କମିଶନରେଟ ପୋଲିସର ଗୁରୁତ୍ୱ, ଏମିତି ସାବାଡ୍ ହେଉଛନ୍ତି ଉଲଂଘନକାରୀ

ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଡ. ଷଡଙ୍ଗୀ କହିଛନ୍ତି, କୋରୋନା ଭୂତାଣୁ ଲାଗି କୌଣସି ମେଡିସିନ କିମ୍ବା ଟୀକା ବାହାରିନାହିଁ । ତେଣୁ ଏଥିରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତା ଏକମାତ୍ର ବିକଳ୍ପ ରହିଛି ।

ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ତୃତୀୟ ପ୍ରର୍ଯ୍ୟାୟ ଲକଡାଉନ ସମୟରେ ସରକାର ଅର୍ଥନୈତିକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଉଛନ୍ତି । ଏହାକୁ ନଜରରେ ରଖି ସହରରେ କେତେକ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ଏହି ସମୟରେ ସାମାଜିକ ଦୂରତା ରଖିବା ନିତାନ୍ତ ଆବଶ୍ୟକ । ତେଣୁ କମିଶନରେଟ ପୁଲିସ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ସଚେତନ କରିବା ସହ ଆଇନ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ ଲାଗି ସ୍ୱତନ୍ତ୍ର ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ଟିମ ବା ସୋସିଆଲ ଡିସଷ୍ଟାଣ୍ଡର୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର୍ ଗଠନ କରାଯାଇଛି । ଏନେଇ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଡ. ଷଡଙ୍ଗୀ କହିଛନ୍ତି, କୋରୋନା ଭୂତାଣୁ ଲାଗି କୌଣସି ମେଡିସିନ କିମ୍ବା ଟୀକା ବାହାରିନାହିଁ । ତେଣୁ ଏଥିରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତା ଏକମାତ୍ର ବିକଳ୍ପ ରହିଛି । ତେଣୁ ଦୋକାନ ବଜାରକୁ ଆସୁଥିବା ଲୋକେ କିପରି ସାମାଜିକ ଦୂରତା ରକ୍ଷା ଲାଗି କିଛିଦିନ ହେଲା ସଚେତନ କରାଯାଉଥିଲା । ହେଲେ ଲୋକେ ସଚେତନ ନ ହେବାରୁ ପୁଲିସକୁ ଟିକେ କଠୋର ହେବାକୁ ପଡିଛି । ସେଥିପାଇଁ  ସୋସିଆଲ ଡିସଷ୍ଟାଣ୍ଡର୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର୍ ଗଠନ କରାଯାଇଛି ।

ପ୍ରତି ଥାନା ଅଞ୍ଚଳରେ ୩ଟି ଟିମ ଗଠନ କରାଯାଇଛି । ଥାନାର ସମ୍ବଳକୁ ଦେଖି ଥାନା ଅଧିକାରୀମାନେ କେତେ କର୍ମଚାରୀମାନଙ୍କୁ ସ୍କ୍ୱାର୍ଡରେ ସାମିଲ କରିବେ ତାହା ସେମାନେ ବିଚାର କରିବେ । ସେହିଭଳି ରାସ୍ତା ପାଶ୍ୱର୍ରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀମାନେ ଏଣିକି ଆଉ ରହିବେ ନାହିଁ । ସେମାନେ ସ୍କ୍ୱାଡ ସହ ଯାଇ ଡ୍ୟୁଟି କରିବେ । ଟ୍ରାଫିକ ଛକଗୁଡ଼ିକରେ ଟ୍ରାଫିକ ପୁଲିସ ଡ୍ୟୁଟି କରିବେ । ଗୁରୁବାର ଠାରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ୍‍ ବୁଲିବା ଆରମ୍ଭ କରିଛନ୍ତି । ସେହିଭଳି ଦୁଇଟି ଜୋନ୍‍ ପାଇଁ ଗୋଟିଏ ପ୍ଳାଟୁନ ପୁଲିସ ଫୋର୍ସଙ୍କୁ ମୁତୟନ ଯୋଗାଇ ଦିଆଯାଇଛି । 

ଗୁରୁବାର ବାପୁଜୀନଗର ମାର୍କେଟରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ପରେ ଖଣ୍ଡଗିରି, ଡୁମୁଡୁମା, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ରାଜମହଲ, କଳ୍ପନା, ଡେଲଟା, ନୂଆପଲ୍ଳୀ, ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ୱର, ସହିଦନଗର, ଇନ୍‍ଫୋସିଟି ଓ ନନ୍ଦକାନନ ଥାନା ଅଞ୍ଚଳରେ ବୁଲି ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରିଥିଲେ ।

ସ୍ୱତନ୍ତ୍ର ସ୍କ୍ୱାଡର ଅଫିସରମାନେ ବୁଲି ବୁଲି ଲୋକମାନଙ୍କୁ ସଚେତନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ମାର୍କେଟ ଭିତରେ ଭିଡ଼ ନ କରି ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି । କେତେକ ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରି ନ ଥିବାରୁ ପୁଲିସ ୨୭୫ ଜଣଙ୍କଠାରୁ ଫାଇନ୍‍ ଆଦାୟ କରିଛି । ରାଜଧାନୀର ବିଭିନ୍ନ ମାର୍କେଟକୁ ବୁଲି ଉଭୟ ଦୋକାନୀ ଓ ଗ୍ରାହକମାନଙ୍କୁ ସଚେତନ କରାଯାଉଛି । ଏହି ସ୍କାର୍ଡ ଡିସିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକ, ଡିସିପି (ସିକ୍ୟୁରିଟି) ନିର୍ମଳ ଚନ୍ଦ୍ର ଶତପଥି ଓ ଜୋନ୍ ଏସିପିମାନଙ୍କ  ନେତୃତ୍ୱରେ ପରିଚାଳିତ ହୋଇଥିଲା ।