ଏଣିକି ଅନଲାଇନରେ କଣ୍ଡକ୍ଟର ଲାଇସେନ୍ସ୍

ପରିବହନ କ୍ଷେତ୍ରରେ ପୁଣି ଏକ ନୂଆ ଉଦ୍ୟମ ଆରମ୍ଭ ହେବାକୁ ଯାଉଛି ।

ଏଣିକି ଅନଲାଇନରେ କଣ୍ଡକ୍ଟର ଲାଇସେନ୍ସ୍
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଏଣିକି ଅନଲାଇନରେ କଣ୍ଡକ୍ଟର ଲାଇସେନ୍ସ୍ । ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ବିଭାଗ ପକ୍ଷରୁ ଅନେକ ପରିବର୍ତ୍ତନ କରାଯିବା ସହ ନବୀକରଣ କରାଯାଉଥିବା ବେଳେ ଅନଲାଇନରେ ଜନସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇବା ଲାଗି ବ୍ୟବସ୍ଥା କରାଯାଉଛି । ଡ୍ରାଇଭିଂ ଲାଇସେନ୍ସ ଲାଗି ଯେପରି ଆମୁଳଚୂଳ ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି ସେହିଭଳି କଣ୍ଡକ୍ଟର ଲାଇସେନ୍ସକୁ ମଧ୍ୟ ଅନଲାଇନକରଣ କରାଯିବ । ଏନେଇ ଖୁବଶୀଘ୍ର ବିଦ୍ଧିବଦ୍ଧ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ କମିଶନର ।

ପରିବହନ କ୍ଷେତ୍ରରେ ପୁଣି ଏକ ନୂଆ ଉଦ୍ୟମ ଆରମ୍ଭ ହେବାକୁ ଯାଉଛି । ଡ୍ରାଇଭିଂ ଲାଇସେନ୍ସ ଭଳି କଣ୍ଡକ୍ଟର ଲାଇସେନ୍ସକୁ ଅନଲାଇନରେ ଉପଲବ୍ଧ କରାଯିବ । ଏନେଇ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗ କମିଶନର ସଞ୍ଜୀବ କୁମାର ପଣ୍ଡା ଘୋଷଣା କରିଛନ୍ତି । ଯେକୌଣସି ବ୍ୟକ୍ତି କଣ୍ଡକ୍ଟର ଲାଇସେନ୍ସ ପାଇଁ ଅନଲାଇନରେ ଆବେଦନ କରିବା ସହ ଆଚାର ବ୍ୟବହାର ଜନିତ ଅନଲାଇନରେ ସ୍ୱତନ୍ତ୍ର ପରୀକ୍ଷା ସାମ୍ନା କରିବେ । ଏଥିରେ ମନୋନୀତ ହେବା ପରେ ହିଁ ଲାଇସେନ୍ସ ପ୍ରଦାନ କରାଯିବ ବୋଲେ ସେ କହିଛନ୍ତି ।

ପୂର୍ବରୁ ଯଦିଓ କଣ୍ଡକ୍ଟର ଲାଇସେନ୍ସ ଲାଗି ସମସ୍ତ ପ୍ରକ୍ରିୟା ଅଫଲାଇନରେ ହେଉଥିଲା ହେଲେ ଏହାର ନିର୍ଦ୍ଧିଷ୍ଟ ମାପଦଣ୍ଡ ନେଇ କଡ଼ାକଡ଼ି କରାଯାଉ ନ ଥିଲା । ଯଦ୍ୱାରା କଣ୍ଡକ୍ଟର ଲାଗି ନାବାଳକ ଠାରୁ ଆରମ୍ଭ କରି ପ୍ରାପ୍ତ ବୟସ୍କ, ନିଶାଖୋର ଆଦି ଅନେକ ଅଯୋଗ୍ୟ ବ୍ୟକ୍ତି ଗାଡ଼ିରେ ଚଳପ୍ରଚଳ କରୁଥିଲେ । ଏବେ ଏସବୁ କଡ଼ାକଡ଼ି କରାଯିବା ସହ ଯାତ୍ରୀଙ୍କୁ ମଧ୍ୟ ଉତ୍ତମ ସେବା ମିଳିପାରିବ ବୋଲି ଲକ୍ଷ୍ୟ ରହିଛି । ଏହି ପଦକ୍ଷେପକୁ ଘରୋଇ ବସ ମାଲିକ ସଂଘ ସମେତ କଣ୍ଡକ୍ଟର ପ୍ରମୁଖ ସ୍ୱାଗତ କରିଛନ୍ତି । ହେଲେ କେବେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯାଉଛି ଏବଂ ଅନଲାଇନ ଲାଇସେନ୍ସ ପରେ ଜାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଉଛି କି ନାହିଁ ତାକୁ ଅପେକ୍ଷା ।

ଏହି ଅବସରରେ ବସ୍ ମାଲିକ ସଂଘର ଅନଲାଇନ ବ୍ୟବସ୍ଥା ମଧ୍ୟ ଉଦଘାଟିତ ହୋଇଛି । ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବସ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା କେନ୍ଦ୍ର, ଡ୍ରାଇଭର ତାଲିମ କେନ୍ଦ୍ର, ୨୪ ଘଣ୍ଟିଆ ଯାତ୍ରୀ ସହାୟକ କେନ୍ଦ୍ର, ହୁଇଲ୍ ଚେୟାର ଓ ପ୍ରାଥମିକ ଚିକିତ୍ସା ସହାୟତା ସମେତ ବସ ମାଲିକ ସଂଘର ଅନଲାଇନ ବ୍ୟବସ୍ଥାକୁ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଭାଗୀୟ କମିଶନର ଯୋଗ ଦେଇ ଏସବୁ କାର୍ଯ୍ୟକ୍ରମର ଲୋକାର୍ପଣ କରିଥିଲେ । 

ଆହୁରି ପଢ଼ନ୍ତୁ; କେବେ ଅଭିଜ୍ଞତାରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ ?