ଦଳକୁ ଦୃଢ଼ କରିବା ପାଇଁ କଂଗ୍ରେସର ନୂଆ ପ୍ଲାନ

ପ୍ରଥମ ଦିନରେ 90 ଜଣଙ୍କୁ ନେଇ ବୈଠକ ହୋଇଛି । ପ୍ରେରକର ସର୍ବଭାରତୀୟ ମୁଖ୍ୟ ତଥା ଏଆଇସିସିର ବରିଷ୍ଠ ନେତା ସଚିନ ରାଓ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରେରକମାନଙ୍କ ସହ ବାନ ଟୁ ବାନ ଆଲୋଚନା କରିଛନ୍ତି ।

ଦଳକୁ ଦୃଢ଼ କରିବା ପାଇଁ କଂଗ୍ରେସର ନୂଆ ପ୍ଲାନ
ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ଅନ୍ୟାନ୍ୟ କ୍ୟାଡର ଭିତ୍ତିକ ଦଳ ସହ ଲଢିବ କଂଗ୍ରେସ । ଏଥିପାଇଁ କଂଗ୍ରେସର ନୂଆ କ୍ୟାଡର ପ୍ରେରକ ପ୍ରସ୍ତୁତ । ପଦପଦବୀରେ ଲୋଭ ନ ରଖି ଦଳ ପ୍ରତି ସଂପୂର୍ଣ ସମର୍ପିତ ହୋଇ କାର୍ଯ୍ୟ କରିବେ ପ୍ରେରକ । ପୂର୍ବରୁ ଦଳ ପ୍ରତି ଆନୁଗତ୍ୟ, ଦଳ ବିରୋଧୀ କୌଣସି କାର୍ଯ୍ୟ କର ନ ଥିବା ଆଦିକୁ ଦେଖି 200ରୁ ଅଧିକ କଂଗ୍ରେସ ପ୍ରତି ସମର୍ପିତ ବ୍ୟକ୍ତିଙ୍କୁ ବଛାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ 40 ଜଣଙ୍କୁ ବାଛିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରଥମ ଦିନରେ 90 ଜଣଙ୍କୁ ନେଇ ବୈଠକ ହୋଇଛି । ପ୍ରେରକର ସର୍ବଭାରତୀୟ ମୁଖ୍ୟ ତଥା ଏଆଇସିସିର ବରିଷ୍ଠ ନେତା ସଚିନ ରାଓ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରେରକମାନଙ୍କ ସହ ବାନ ଟୁ ବାନ ଆଲୋଚନା କରିଛନ୍ତି । ପ୍ରତ୍ୟେକ ସଦସ୍ୟଙ୍କୁ ସେମାନଙ୍କ ବ୍ୟାକଗ୍ରାଉଣ୍ଡ, କଂଗ୍ରେସ ପ୍ରତି ସମର୍ପଣ ଭାବ, କଂଗ୍ରେସର ଇତିହାସ ଆଦି ସମସ୍ତ ବିଷୟରେ ପଚାରିଛନ୍ତି । 

ଏହାକୁ ଆଧାର କରି କଂଗ୍ରେସର 33 ସାଂଗଠନିକ ଜିଲ୍ଲାରୁ 40 ଜଣ ପ୍ରେରକ ଚୟନ କରାଯିବ । ସଂଗଠନରେ 33, ଜିଲ୍ଲାରେ 33, ଏବଂ ରାଜ୍ୟସ୍ତରରେ 7 ଜଣ ପ୍ରେରକ ରହି କଂଗ୍ରେସ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ । ଏମାନେ କୌଣସି ଦଳୀୟ ପଦ ପଦବୀ ପ୍ରତି ଲୋଭ ନ ରଖି ଦଳକୁ ଦୃଢ କରିବା ପାଇଁ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ ସ୍ତରରେ ସମାଜସେବାରେ ମଧ୍ୟ ଲିପ୍ତ ରହିବେ ବୋଲି କହିଛନ୍ତି ।

ଆରଏସଏସ ଏବଂ ବାମପନ୍ଥୀ ଦଳର କ୍ୟାଡର ଭଳି କଂଗ୍ରେସର ସେମିତି କିଛି କ୍ୟାଡର ନ ଥିଲା. ଯାହା ଫଳରେ ଯୁବପୀଢି ଧୀରେ ଧୀରେ କଂଗ୍ରେସ ସହ ଯୋଡି ହୋଇ ପାରୁ ନଥିଲେ । ଏ ସବୁକୁ ସମ୍ମୁଖୀନ ହେବାକୁ କଂଗ୍ରେସ ଦଳ ପାଇଁ ସମର୍ପିତ ବ୍ୟକ୍ତିବିଶେଷଙ୍କୁ ପ୍ରେରକ ଭାବେ ନିଯୁକ୍ତି ଦେଇଛି । ପ୍ରେରକମାନେ ଦେଶ ପ୍ରତି କଂଗ୍ରେସର ଅବଦାନ, ବର୍ତ୍ତମାନ ସ୍ଥିତିରେ କଂଗ୍ରେସକୁ ବଦନାମ କରାଯାଉଥିବା ସଂପର୍କିତ ସତ୍ୟକୁ ଲୋକଙ୍କ ପାଖରେ ଉପସ୍ଥାପନ କରବେ ।

ଏପରିକି ତୃଣମୂଳ ସ୍ତରର ନେତା ଏବଂ ହାଇକମାଣ୍ଡଙ୍କ ମଧ୍ୟରେ ଏମାନେ ସେତୁ ଭଳି କାର୍ଯ୍ୟ କରିବେ । ଶେଷରେ ଚୟନ ହେବାକୁ ଥିବା 40 ଜଣଙ୍କୁ ସାତ ଦିନିଆ ପ୍ରଶିକ୍ଷଣ ଦିଆଯିବ । ଏମାନେ ଅଣ୍ଡର କଭର ଭଳି ରହି ଦଳ ପାଇଁ କାର୍ଯ୍ୟ କରିବେ । କଂଗ୍ରେସ ଦଳ ଏହା ଦ୍ୱାରା ସୁଦୃଢ ହେବା ସହ ଅନ୍ୟ କ୍ୟାଡର ଭିତ୍ତିକ ଦଳକୁ କଡା ଟକ୍କର ଦେଇପାରିବ ବୋଲି କୁହାଯାଇଛି ।