Trending Photos
)
ଯଯାତୀ ମହାନ୍ତି, ଭୁବନେଶ୍ୱର: ଦେଶରେ ଥିବା ସମସ୍ତ ସମବାୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଧିନକୁ ଯିବ । କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତି ଫଳରେ ।ରଜ୍ୟରେ ଥିବା ୯ଟି ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଧିନକୁ ଯିବା ସ୍ପଷ୍ଟ ହୋଇଛି । ଯଦିଓ ଏହି ବ୍ୟାଙ୍କ ଗୁଡ଼ିକ ରିଜର୍ଭ ବ୍ୟାଙ୍କ ଗାଇଡ଼୍ଲାଇନ୍ ଅନୁସାରେ ଚାଲୁଥିଲା, ହେଲେ ଏହାର ପରିଚାଳନା ଦାୟିତ୍ୱ ସମବାୟ ବିଭାଗ ପାଖରେ ଥିଲା । କେନ୍ଦ୍ର ସରକାର ଆଣିବାକୁ ଥିବା ଅଧ୍ୟାଦେଶ ପରେ ଏହି ସବୁ ବ୍ୟାଙ୍କ ଗୁଡ଼ିକ ସିଧାସଳଖ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ହେବ । ଏହାଦ୍ୱାରା ଜମାକାରୀଙ୍କ ଅର୍ଥ ସୁରକ୍ଷିତ ହେବା ସହ ବ୍ୟାଙ୍କ ଗୁଡ଼ିକର ସୁପରିଚାଳନା ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଅଧ୍ୟାଦେଶ ଆସିବା ପରେ ପରିଚାଳନା ପ୍ରକ୍ରିୟା ସ୍ପଷ୍ଟ ହେବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଥିବା ୯ଟି ଅର୍ବାନ ବ୍ୟାଙ୍କରେ ପ୍ରାୟ ୨ଲକ୍ଷ ଜମାକାରୀଙ୍କ ୧୧୫୫କୋଟି ଟଙ୍କା ଜମା ରହିଛି ।
ଦେଶରେ ଏବେ ୧୮୪୨ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଓ ୫୮ଟି ମଲ୍ଟି-ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ରହିଛି । ଏହି ସବୁ ବ୍ୟାଙ୍କରେ ୮କୋଟି ୬୦ଲକ୍ଷ ଜମାକାରୀଙ୍କ ୪ଲକ୍ଷ ୮୪ହଜାର କୋଟି ଟଙ୍କା ବ୍ୟାଙ୍କରେ ଜମା ରହିଛି । ଏଥିରୁ ଓଡ଼ିଶାରେ ୯ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସାମିଲ ଅଛନ୍ତି । କଟକ, ବ୍ରହ୍ମପୁର, ବାଲେଶ୍ୱର, ପୁରୀ, ରାଉରକେଲା, ପାରଳାଖେମୁଣ୍ଡି, ଜୟପୁର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ଲୋକସେବା ଭବନ ପରିସରରେ ଉତ୍କଳ କୋ-ଅପରେଟିଭ ବ୍ୟାଙ୍କ କାର୍ଯ୍ୟକ୍ଷମ ରହିଛି । ଏଥିରେ ପ୍ରାୟ ୨ଲକ୍ଷ ଜମାକାରୀଙ୍କ ୧୧୫୫କୋଟି ଟଙ୍କା ଜମା ରହିଥିବା ବେଳେ ୬୮୬କୋଟି ଟଙ୍କା ଋଣ ଆକାରରେ ଗ୍ରାହକଙ୍କୁ ଦିଆଯାଇଛି । ଏଣିକି ଏହି ସବୁ ବ୍ୟାଙ୍କ ଉପରେ ସିଧାସଳଖ ରିଜର୍ଭ ବ୍ୟାଙ୍କର ନଜର ରହିବ । ଫଳରେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରହିବ ବୋଲି କେନ୍ଦ୍ର ସରକାର କହିଥିବା ବେଳେ ଅଧ୍ୟାଦେଶ ଆସିଲେ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ କହିଛନ୍ତି ।
କେତେବେଳେ ବ୍ୟାଙ୍କ ଦେବାଳିଆ ହୋଇ ବନ୍ଦ ହୋଇଯାଉଛି ତ ପୁଣି କେତେବେଳେ ଜମାକାରୀଙ୍କ ଅର୍ଥ ବୁଡ଼ିବା ଅବସ୍ଥାରେ ରହୁଛି । ସମବାୟ ବ୍ୟାଙ୍କ ପରିଚାଳନାକୁ ସୁଦୃଢ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ବ୍ୟାଙ୍କର ପରିଚାଳନାଗତ ତ୍ରୁଟି ଯୋଗୁଁ ହେଉଥିବା କ୍ଷତିରେ ଗ୍ରାହକଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଥିଲା । ଏବେ ଏସବୁ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଲେ ଗ୍ରାହକଙ୍କ ଜମାରାଶି ସୁରକ୍ଷିତ ରହିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ରାଜ୍ୟରେ ମୋଟ ୧୬ଟି ଅର୍ବାନ ବ୍ୟାଙ୍କ ମଧ୍ୟରୁ ୭ଟି ବନ୍ଦ ହୋଇସାରିଲାଣି । ବାରିପଦା ଓ ଭଦ୍ରକ ଅର୍ବାନ ବ୍ୟାଙ୍କ ବନ୍ଦ ପ୍ରସଙ୍ଗ ସୁପିମକୋର୍ଟରେ ଥିବାରୁ ଏହାର ଲିକ୍ୟୁଡ଼େସନ ପ୍ରକ୍ରିୟା ବନ୍ଦ ହୋଇ ରହିଛି । ଭୁବନେଶ୍ୱର, ଆସ୍କା, ବାରିପଦା, ଭଞ୍ଜନଗର, ଢେଙ୍କାନାଳ ଅର୍ବାନ ବ୍ୟାଙ୍କ ବନ୍ଦ ହୋଇସାରିଲାଣି ବୋଲି ସମବାୟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।
ରାଜ୍ୟରେ କୌଣସି ମଲ୍ଟି ଷ୍ଟେଟ ବ୍ୟାଙ୍କ ନଥିବା ବେଳେ ୯ଟି ଅର୍ବାନ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଧିନକୁ ଗଲେ ପରିଚାଳନାରେ ପାରଦର୍ଶିତା ବଢିବ । ପ୍ରଯୁକ୍ତି ବିଜ୍ଞାନର ବ୍ୟବହାର ବଢିବ । ଗ୍ରାହକଙ୍କ ବିଶ୍ୱାସ ବି ବ୍ୟାଙ୍କ ଉପରେ ଅଧିକ ହେବ ବୋଲି ଆଶା କରାଯାଉଛି ।