Trending Photos
)
ଯଯାତି କେଶରୀ ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ଯେତିକି କୋରୋନା ଆକ୍ରାନ୍ତ ହେଉଛନ୍ତି, ତାଠାରୁ ଅଧିକ ସୁସ୍ଥ ହେଉଛନ୍ତି । ସାରା ଦେଶରେ ସୁସ୍ଥତା ହାର ୪୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ତାହା ୭୦ ପ୍ରତିଶତରେ ପହଞ୍ଚିଛି । ଆଗୁଆ ଲକ୍ଡ଼ାଉନ୍ ନିଷ୍ପତି ହେଉ କି କୋରୋନା ବାବଦରେ ବ୍ୟାପକ ସଚେତନତା ହେଉ, ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ରାଜ୍ୟରେ ନିୟନ୍ତ୍ରଣରେ ରହିଛି ମହାମାରୀ କୋରୋନା । ମୃତ୍ୟୁ ହାର ମଧ୍ୟ ଜାତୀୟ ହାର ଠାରୁ ଓଡ଼ିଶାରେ କମ୍ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସାଙ୍ଗକୁ ସାପ୍ତାହିକ ସଟ୍ ଡ଼ାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ଯୋଗୁଁ ଓଡ଼ିଶାରେ ସ୍ଥିତି ଏତେଟା ବିଗିଡ଼ିନାହିଁ ବୋଲି ସମୀକ୍ଷକ ମତ ରଖିଥିବା ବେଳେ ଡ଼ାକ୍ତର ସଂଘ ମଧ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶାଂସା କରିଛି ।
ବୁଧବାର ସୁଦ୍ଧା ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ ଥିବା ବେଳେ ସୁସ୍ଥ ହୋଇଛନ୍ତି ୨୨୮୨ । ଆକ୍ଟିଭ କେସ୍ ହେଉଛି ୧୧୦୬ । ରାଜ୍ୟରେ ଆକ୍ଟିଭ କେସ୍ ଅପେକ୍ଷା ସୁସ୍ଥ ହେବା ରୋଗୀଙ୍କ ସଂଖ୍ୟା ଅଧିକ ହୋଇଛି । ଏହା ରାଜ୍ୟ ପାଇଁ ଏକ ଶୁଭ ସଙ୍କେତ ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆଗୁଆ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସମୀକ୍ଷକ କହିଛନ୍ତି । ମାର୍ଚ୍ଚ ୨୨ରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ପୂର୍ବରୁ ନବୀନ ସରକାର କୋରୋନା ମୁକାବିଲା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ ।
ବିଧାନସଭାର ବଜେଟ ଅଧିବଶେନ ଅଧାରୁ ବନ୍ଦ କରି କୋରୋନା ରୋଗର ପ୍ରଥମ ପ୍ରତିଷେଧକ ହାତଧୁଆ ବାବଦରେ ବ୍ୟାପକ ସଚେତନତା କରିଥିଲେ । ଏହାପରେ ଆଗୁଆ ସଟ୍ ଡ଼ାଉନ୍ ନିଷ୍ପତି ନେଇଥିଲେ ରାଜ୍ୟ ସରକାର । କେବଳ ସେତିକି ନୁହଁ, ବରଂ ରୋଗର ଭୟାବହତାକୁ ନଜରରେ ରଖି ଯୁଦ୍ଧକାଳନୀ ଭିତିରେ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ ନିର୍ମାଣ ହେଉ କି ରାଜ୍ୟବ୍ୟାପୀ ୧୦ହଜାରରୁ ଅଧିକ ସଙ୍ଗରୋଧ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରି ରେକର୍ଡ଼ କରିଛନ୍ତି । ଯେଉଁଥିପାଇଁ ରାଜ୍ୟ ବାହାରୁ ଆସିଥିବା ପ୍ରାୟ ୧୦ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସୁରୁଖୁରୁରେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇପାରିଲା ଏବଂ ପଜିଟିଭ୍ମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଭିତିଭୂମି ଯୋଗୁଁ ସୁସ୍ଥ ହାର ବଢିଚାଲିଛି ।
ରାଜ୍ୟ ସରକାର ଗାଁ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟବାସୀ କୋରୋନାର ଭୟାବହତା ବାବଦରେ ଜାଣିବା ସହ ଏଥିପ୍ରତି ସତର୍କତା ଅବଲମ୍ବନ କରିଛନ୍ତି । ସମସ୍ତେ ସଚେତନ ହୋଇଛନ୍ତି । ନିଜେ ନିଜର ସୁରକ୍ଷା ଦାୟିତ୍ୱ ନେଉଛନ୍ତି । ସାରା ଦେଶରେ ଜୁନ୍ ୮ ତାରିଖରୁ ଧର୍ମାନୁଷ୍ଠାନ, ସପିଙ୍ଗ ମଲ୍, ହୋଟେଲ ଖୋଲି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହା ଉପରେ ବାରଣ ଜାରି ରଖିଛନ୍ତି । ତା’ ସାଙ୍ଗକୁ ରାତ୍ରୀକାଳନୀ କର୍ଫ୍ୟୁ ଯୋଗୁଁ ସନ୍ଧ୍ୟାରେ ବଜାରଘାଟରେ ଲୋକଙ୍କ ଭିଡ଼କୁ କମା ଯାଇ ପାରିଛି ।
କୋରୋନା ପ୍ରତ୍ୟକ୍ଷ ଯୋଦ୍ଧାର ମାନ୍ୟତା ପାଇଥିବା ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ୫୦ଲକ୍ଷରେ ବୀମାରେ ଅନ୍ତର୍ଭୁକ୍ତ କରିବା ଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ପିପିଇ କିଟି, ମାସ୍କ, ସାନିଟାଇଜର, ଔଷଧ ଭଳି ଆବଶ୍ୟକୀୟ ସୁରକ୍ଷା ସରଞ୍ଜାମ ଯୋଗାଇ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବୃଦ୍ଧି କରିଛନ୍ତି, ଯାହାର ପରିଣାମ ଭଲ ହେଉଛି ବୋଲି ଆଇଏମ୍ଏ ସଭାପତି କହିଛନ୍ତି । ସାରା ଦେଶ, ସାରା ବିଶ୍ୱ କୋରୋନାରେ କବଳିତ ହୋଇଥିବା ଓଡ଼ିଶା ବି ଏଥିରୁ ବର୍ତିପାରିନାହିଁ । ହେଲେ ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ, ସ୍ଥିତି ଉପରେ ୨୪ ଘଂଟିଆ ନଜର ରଖିବା ଏବଂ ସେହି ଅନୁସାରେ ପଦକ୍ଷେପ ନେବା ଯୋଗୁଁ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ଯେଉଁଥିପାଇଁ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ହୋଇଛି ।