)
ଭୁବନେଶ୍ୱର: ଓଡ଼ିଶାରେ ଏପର୍ଯ୍ୟନ୍ତ ୯୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଏମାନଙ୍କ ମଧ୍ୟରୁ ୮୬୭ ଜଣ ପୁରୁଷ ରହିଛନ୍ତି । ଅନ୍ୟପଟେ ମହିଳାଙ୍କ ସଂଖ୍ୟା ୧୧୧ରହିଛି । ଅର୍ଥାତ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧.୩୪ ପ୍ରତିଶତ ହେଉଛନ୍ତି ମହିଳା । ସେହିପରି ୮୮.୬୫ ପ୍ରତିଶତ ଆକ୍ରାନ୍ତ ପୁରୁଷ । ରାଜ୍ୟ ସରକାରଙ୍କ କୋଭିଡ ୧୯ ୱେବସାଇଟର ତଥ୍ୟର ଏହା ଜଣାପଡ଼ିଛି ।
ତେବେ ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ୬୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୧ରୁ ୬୦ ବର୍ଷ ମଧ୍ୟରେ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ୬୦ରୁ ଉର୍ଦ୍ଧ୍ୱ ବୟସର ୪୬ଟି ମାମଲା ସାମ୍ନାକୁ ଆସିଛି । ତେବେ ୦ରୁ ୧୪ ବର୍ଷ ଭିତରେ ମାତ୍ର ୩୧ ମାମଲା ରହିଛି । ଅର୍ଥାତ ୧୪ରୁ ୪୦ ବୟସର ବ୍ୟକ୍ତିବିଶେଷ କୋରୋନା ଭାଇରସ୍ ଦ୍ୱାରା ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ବୟସର ୬୩ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି ।
ରାଜ୍ୟରେ କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ ୩୦୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଅର୍ଥାତ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଜଣ ସୁସ୍ଥ ମଧ୍ୟ ହେଲେଣି । ସେହିପରି ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।
ଓଡ଼ିଶାର ୨୩ ଜିଲ୍ଲାକୁ କୋରୋନା ଭାଇରସ୍ ପ୍ରବେଶ କରିସାରିଛି । ତେବେ ଏବେ ବି ୭ ଜିଲ୍ଲା ରହିଛି, ଯେଉଁ ଜିଲ୍ଲାଗୁଡ଼ିକର ପାଖ ମାଡ଼ିପାରିନି କୋରୋନା । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ଗଜପତି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ଏବଂ ସୋନପୁର । ସେହିପରି ରାଜ୍ୟର ଏପରି ୪ ଜିଲ୍ଲା ରହିଛି, ଯେଉଁଠି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ସେହି ଜିଲ୍ଲାଗୁଡ଼ିକ ହେଲା, କୋରାପୁଟ(୧), ଝାରସୁଗୁଡ଼ା(୨), କଳାହାଣ୍ଡି(୨) ଓ ଢ଼େଙ୍କାନାଳ(୧) ।
ଏବେ ନଜର ପକାଇବା ରାଜ୍ୟର କୋଭିଡ ହସ୍ପିଟାଲ ଉପରେ । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୯ଟି ଜିଲ୍ଲାରେ କୋଭିଡ ମେଡିକାଲ କରାଯାଇଛି । ୫୪୯୩ ଶଯ୍ୟା ରହିଛି । ୨୯୬ ଆଇସିୟୁ । ତେବେ ନୂଆପଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ କୋଭିଡ ମେଡିକାଲ ହୋଇନି ।
ସେହିପରି ରାଜ୍ୟରେ ଆଜି ଲକ୍ଷେ ପାର୍ କରିଛି କୋରୋନା ଟେଷ୍ଟିଂ । ଏପର୍ଯ୍ୟନ୍ତ ୧ଲକ୍ଷ ୩୦୨ଟି ନମୂନା ପରୀକ୍ଷା ହେଲାଣି । ତେବେ ପିଜିଟିଭ ରିଜଲ୍ଟ ୦.୯୮ ରହିଛି । ସରଳ ଭାବେ ବୁଝିବାକୁ ହେଲେ, ଶହେ ନମୂନାରେ ହାରାହାରି ଗୋଟିଏ ପଜିଟିଭ ଆସୁଛି ।