କୋରୋନା: ରାଜଧାନୀବାସୀଙ୍କୁ ଅଜଣା ଭୟ
Advertisement
Article Detail0/zeeodisha/odisha664252

କୋରୋନା: ରାଜଧାନୀବାସୀଙ୍କୁ ଅଜଣା ଭୟ

ବିନା ଟ୍ରାଭେଲ ହିଷ୍ଟ୍ରୀରେ ରାଜଧାନୀର ପ୍ରଥମ କୋରୋନା ପଜିଟିଭ୍ ମିଳିଲେ ସୂର୍ଯ୍ୟନଗର ଅଞ୍ଚଳରୁ । ତୁରନ୍ତ ଏହାକୁ ସିଲ୍ କଲା ବିଏମ୍‌ସି । ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ ବି କରାଗଲା । କାହାକୁ ଘରୁ ନ ବାହାରିବା ପାଇଁ କଟକଣା ଜାରି କରାଗଲା । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଭୁବନେଶ୍ୱରରେ ବ୍ୟାପୁଛି କୋରୋନା । ଗୋଟିଏ ଦିନରେ ୧୬ ପିଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ରାଜଧାନୀବାସୀଙ୍କ ଆଶଙ୍କା ବଢିଛି । ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ଯଦିଓ ଅନେକ ପଦକ୍ଷେପ ନେଲେଣି ଏବଂ ବିଶେଷ କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୋଭିଡ଼-୧୯ ସଂକ୍ରମିତ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି, ହେଲେ ବି ଭୁବନେଶ୍ୱରବାସୀଙ୍କ ମନରେ ଅଜଣା ଭୟ ଘାରିଛି । ଗୋଟିଏ ପରେ ଗୋଟିଏ ସଂକ୍ରମିତ ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ ସିଲ୍ କରାଯିବା ସହ ଘର ଘର ବୁଲି ତଥ୍ୟ ସଂଗ୍ରହ ଚାଲିଛି । ଅନେକ ହୋମ୍ ଆଇସୋଲେସନ୍‌ରେ ଥିବା ବେଳେ ଆଉ କିଛି ସନ୍ଦିଗ୍ଧଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବା କାମରେ ଲାଗିଛି ଅଗ୍ନିଶମ ବିଭାଗ । ଏଭଳି ସ୍ଥିତିରେ ଘରେ ରହିବା ହିଁ ଏକମାତ୍ର ବାଟ . ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଅପିଲ୍ ପରେ ଏବେ ରାଜଧାନୀର ତିନି ବିଧାୟକ ବି ଲୋକଙ୍କୁ ଅପିଲ୍ କରିଛନ୍ତି ।

ବିନା ଟ୍ରାଭେଲ ହିଷ୍ଟ୍ରୀରେ ରାଜଧାନୀର ପ୍ରଥମ କୋରୋନା ପଜିଟିଭ୍ ମିଳିଲେ ସୂର୍ଯ୍ୟନଗର ଅଞ୍ଚଳରୁ । ତୁରନ୍ତ ଏହାକୁ ସିଲ୍ କଲା ବିଏମ୍‌ସି । ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ ବି କରାଗଲା । କାହାକୁ ଘରୁ ନ ବାହାରିବା ପାଇଁ କଟକଣା ଜାରି କରାଗଲା । ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କଲା ବିଏମ୍‌ସି । ଯଦିଓ ପରେ ଏହି ପିଜିଟିଭ୍ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରୀ ପଦାକୁ ଆସିଲା, କିନ୍ତୁ ସରକାର କୌଣସି ବି ରିସ୍କ ନେବାକୁ ଚାହିଁନଥିଲେ । ତାପରେ ରାଜଧାନୀର ବମିଖାଲ ଅଞ୍ଚଳରୁ ଗୋଟିଏ ପରିବାରର ଏକାବେଳେ ୩ ପଜିଟିଭ୍ ଆସିଲା । ତୁରନ୍ତ ବମିଖାଲ ଅଞ୍ଚଳକୁ ସିଲ୍ କରାଯିବା ସହ ସାନିଟାଇଜ୍ କରାଗଲା । ଘର ଘର ବୁଲି ଲୋକଙ୍କ ତଥ୍ୟ ସଂଗ୍ରହ ଏବଂ ଆବଶ୍ୟକ ସ୍ଥଳେ କ୍ୱାରେଣ୍ଟାଇନରେ ରହିବାର ବ୍ୟବସ୍ଥା କରାଗଲା । ଏହି ଅଞ୍ଚଳରୁ ଏକାବେଳେ ୧୫ ପଜିଟିଭ୍ ଥିବାର ଜଣାପଡ଼ିବା ପରେ ଅଧିକ ତତ୍ପର ହେଲା ବିଏମ୍‌ସି । ଏହି ଅଞ୍ଚଳ ହେଉଛି ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ । ସ୍ଥାନୀୟ ବିଧାୟକ ମଧ୍ୟ ଘରୁ ନ ବାହାରିବା ପାଇଁ ଏବେ ଅପିଲ୍ କରିବା ଆରମ୍ଭ କରିଛନ୍ତି ।

ଭୁବନେଶ୍ୱର-ଏକାମ୍ର ନିର୍ବାଚନମଣ୍ଡଳୀରେ ଥିବା ସୁନ୍ଦରପଦା, ଯଦୁପୁର, କପିଳପ୍ରସାଦ ଅଞ୍ଚଳକୁ କୋଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ବିଏମ୍‌ସି । ଏହି ଅଞ୍ଚଳ ଭିତରକୁ କିମ୍ବା ଏହି ଅଞ୍ଚଳରୁ ବାହାରକୁ ଯିବା ଆସିବା ଉପରେ ଲାଗିଲା ସମ୍ପୂର୍ଣ୍ଣ କଟକଣା । କେବଳ ସେତିକି ନୁହେଁ, ଏରିଆ ସିଲ୍ ସାଙ୍ଗକୁ ସାନିଟାଇଜ୍ କରାଯିବା ସହିତ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରିଛି ବିଏମ୍‌ସି । ସ୍ଥିତି ଯଦିଓ ନିୟନ୍ତ୍ରଣରେ ରହିଛି, ହେଲେ ଲୋକଙ୍କ ମନରୁ ଭୟ ଯାଇନି । ଏଠାକାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗରେ ରହିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିବେଦନ କରିଛନ୍ତି । ରାଜଧାନୀର ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀରେ ଯଦିଓ ଏବେ ସୁଦ୍ଧା କୌଣସି କୋରୋନା ପଜିଟିଭର ସୂଚନା ନାହିଁ, ତଥାପି ସରକାରଙ୍କ ଗାଇଡ଼୍ ଲାଇନ୍ ମାନିବା ସହିତ ନିହାତୀ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ଅପିଲ୍ କରିଛନ୍ତି ସ୍ଥାନୀୟ ବିଧାୟକ ।

ଧିରେ ଧିରେ ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଉଛି ମହାମାରୀ କୋଭିଡ଼୍‌-୧୯ । ରାଜ୍ୟରେ ମୋଟ ୩୯ ପଜିଟିଭ୍ ମଧ୍ୟରୁ ଭୁବନେଶ୍ୱରରେ ୩୨ । ଯଦିଓ ଏଥିରୁ ୨ ସୁସ୍ଥ ହୋଇ ଘରକୁ ଫେରିଲେଣି, ହେଲେ ସମସ୍ତଙ୍କ ମନରେ ଆଶଙ୍କା ଓ ଭୟ ରହିଛି । ଏହାର ମୁକାବିଲା ପାଇଁ ସମୟ ଅନୁସାରେ ସରକାର ଓ ସ୍ଥାନୀୟ ନିଗମ ପ୍ରଶାସନ ନେଉଥିବା ବିଭିନ୍ନ ପଦକ୍ଷେପ ସାଙ୍ଗକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ତଥାପି ମୂଳ ମନ୍ତ୍ରକୁ ଆମେ ଭୁଲିବା ନାହିଁ, ଷ୍ଟେ ହୋମ୍‌, ଷ୍ଟେ ସେଫ୍ ।

;