)
ରାଜେଶ ସାମନ୍ତୟରାୟ, ଭୁବନେଶ୍ୱର: ଆସିଛି ଭୁବନେଶ୍ୱରର ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ରିପୋର୍ଟ । ଆଉ ରିପୋର୍ଟ କହୁଛି ଯେଉଁ ହାରରେ ରୋଗ ପ୍ରତିଷେଧକ ଶକ୍ତି ବଢିବା ତାହା ବଢୁ ନାହିଁ । 16 ଶହ ଜଣଙ୍କ ଟେଷ୍ଟରୁ ମାତ୍ର ୮୦ ଜଣଙ୍କ ମଧ୍ୟରେ ରହିଛି ଆଣ୍ଟିବଡି । ତେଣୁ ବର୍ତ୍ତମାନ ଯେଉଁ ହାରରେ ସଂକ୍ରମଣ ବଢୁଚି ସେହି ହାରରେ ଲୋକଙ୍କ ରୋଗ ବିରୋଧରେ ଲଢିବାର ଶକ୍ତି ନାହିଁ । ଫଳରେ ହାଇ ରିସ୍କ ଜୋନରେ ଭୁବନେଶ୍ୱର । ତେଣୁ ସମସ୍ତେ ସତର୍କ ରହିବା ନିହାତି ଦରକାର ।
ରାଜଧାନୀ ଭୁବନେଶ୍ୱର ଏବେ କୋରୋନା ହଟସ୍ପଷ୍ଟ । ରାଜ୍ୟର ସବୁଠାରୁ ଅଧିକ ହାଇ ରିସ୍କ ଜୋନ ହେଉଛି ରାଜଧାନୀ । ଏଠାରେ ଲୋକ ସଂଖ୍ୟା ତୁଳନାରେ ତୀବ୍ର ଗତିରେ ବଢୁନାହିଁ ରୋଗ ପ୍ରତିଶେଧକ ଶକ୍ତି । ଏପରି କିଛି ରିପୋର୍ଟ ଆସିଛି ଭୁବନେଶ୍ୱରର ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ରିପୋର୍ଟରେ । ଦ୍ୱିତୀୟ ପର୍ଯ୍ୟାୟରେ ପାଖାପାଖି ୧୬୦୦ କମ୍ୟୁନିଟିରୁ ସାମ୍ପଲ ସଂଗ୍ରହ ହୋଇ ଟେଷ୍ଟ ହୋଇଥିଲା । ସେଥି ମଧ୍ୟରୁ ଆଣ୍ଟିବଡି ପ୍ରିଭିଲାନ୍ସ ରହିଛି ମାତ୍ର ୫.୧୫ ପ୍ରତିଶତ । ଅର୍ଥାତ ୧୬୦୦ ଜଣଙ୍କ ମଧ୍ୟରୁ ମାତ୍ର ୮୦ ଜଣଙ୍କ ମଧ୍ୟରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଛି । ଯାହାକି ଅତି ନୈରାଶ୍ୟଜନକ । ପ୍ରଥମ ସେରୋ ସର୍ଭେରେ ରୋଗ ପ୍ରତିରୋଧକ ଶକ୍ତି ଥିଲା ଏକ ଦଶମିକ ୫ ପ୍ରତିଶତ । ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ରାଉଣ୍ଡ ସେତେଟା ଉତ୍ସାହ ଜନକ ନୁହେଁ । ଆଇସିଏମଆର ଏହି ସର୍ଭେ କରି ବିଏମସିକୁ ଆଜି ହସ୍ତାନ୍ତର କରିଛି ।
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲା WHO
ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇ ଥିବାରୁ ଏଠାରେ ସମସ୍ତ ପ୍ରକାରର ସରକାରୀ ମୁଖ୍ୟ କାର୍ଯ୍ୟାଳୟ, ଘରୋଇ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ଏହା ସହ ଏବେ ଲକଡାଉନ ଉଠି ଯାଇଥିବାରୁ ମାତ୍ରାଧିକ ଲୋକଙ୍କ ଚଳପ୍ରଚଳ ହେଉଛି । ଜନସଂଖ୍ୟା ବି ଅନ୍ୟ ସହର ତୁଳନାରେ ଢେର ଅଧିକ । ତେଣୁ ଏହାର ସଂକ୍ରମଣ ହାର ଅଧିକ । ତେଣୁ ଏଠାରେ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିଶେଧକ ଶକ୍ତି ବଢିବାରେ ବିଳମ୍ବ ହେବ । ଏଥି ପାଇଁ ସମସ୍ତଙ୍କୁ ସମାଜିକ ଦୁରତା, ମାସ୍କ ପିନ୍ଧିବା ଓ ହାତ ବାରମ୍ୱାର ଧୋଇବା ବାଧ୍ୟତାମୂଳକ ହେବା ନିହାତି ଦରକାର ।
ଭୁବନେଶ୍ୱରର ପ୍ରଥମ ସେରୋ ସର୍ଭେଲାନ୍ସ ରିପୋର୍ଟ ତୁଳନାରେ ଦ୍ୱିତୀୟ ସେରୋ ସର୍ଭେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ଯେଉଁ ମାତ୍ରାରେ ଗଂଜାମ ଜିଲ୍ଲାରେ ବୃଦ୍ଧି ପାଇଥିଲା ତାହା ରାଜଧାନୀରେ କ୍ଷେତ୍ରରେ ପରିଲକ୍ଷିତ ହୋଇ ନାହିଁ । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ।