Advertisement
Article Detail0/zeeodisha/odisha672224
Zee OdishaBhubneshwarବାହାର ରାଜ୍ୟରେ କେତେ ଓଡ଼ିଆ ଅଛନ୍ତି ? ଆସନ୍ତୁ ଜାଣିବା

ବାହାର ରାଜ୍ୟରେ କେତେ ଓଡ଼ିଆ ଅଛନ୍ତି ? ଆସନ୍ତୁ ଜାଣିବା

କେଉଁ ରାଜ୍ୟରେ କେତେ ଓଡ଼ିଆ ? 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଶୁକ୍ରବାରଠୁ ଆରମ୍ଭ ହୋଇଛି ରାଜ୍ୟ ବାହାର ଫେରନ୍ତାଙ୍କ ପଞ୍ଜିକରଣ । ରାଜ୍ୟ ବାହାରେ ଥିବା ଓଡ଼ିଶାର ଲୋକ ନିଜ ନିଜ ଗାଁକୁ ଫେରିବା ବେଳେ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତେ ଯେପରି ପଞ୍ଜିକରଣ କରିବେ, ଏହାର ତଦାରଖ ଦାୟିତ୍ୱ ସରପଞ୍ଚଙ୍କ ହାତରେ । ସମ୍ପୃକ୍ତ ବ୍ଲକର ବିଡ଼ିଓ ଏହାର ଅନୁଧ୍ୟାନ କରିବେ । ପଞ୍ଜିକରଣ କରିବା ପରେ ସେମାନଙ୍କୁ ନିଜ ନିଜ ଗାଁରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରଖାଯିବ, ଯେଉଁଠି ଖାଇବା, ରହିବା ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ଉପଲବ୍ଧ କରାଯିବ । ଏହି ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ପାଇଁ ସବୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ସଚିବ । ତେବେ ଆସନ୍ତୁ ଦେଖିବା କେଉଁ ରାଜ୍ୟ ଓ ରାଜ୍ୟ ବାହାରର କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ଓଡ଼ିଆ ଅଛନ୍ତି ?  

ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ଏବେ କେବଳ ଗୋଟିଏ ଚିନ୍ତା, ଘରକୁ ଫେରିବାର ଚିନ୍ତା । ଖାଇବା, ରହିବା ଯେନତେଣ ପ୍ରକାରର ମେଣ୍ଟିଯାଉଛି । ରାଜ୍ୟ ସରକାରଙ୍କ ସହାୟତା ଜରିଆରେ ସ୍ଥାନୀୟ ପ୍ରଶାସନ ଏହା ଯୋଗାଇଛି । ହେଲେ ମାସରେ ଅଧିକ ସମୟ ହେଲାଣି କାମଧନ୍ଦା ନ ଥିବାରୁ ସମସ୍ତଙ୍କୁ ଘରକୁ ଫେରିବା ଚିନ୍ତା ବଢ଼ିଯାଇଛି । WWW.COVID19.ODISHA.GOV.IN । ଏହା ହେଉଛି ବାହାର ରାଜ୍ୟରୁ ନିଜ ଗାଁକୁ ଫେରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ପଞ୍ଜିକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ୱେବସାଇଟ୍ । ବାହାର ରାଜ୍ୟରେ ଫସି ରହିଥିବା ହେଉ କିମ୍ବା ନିଜ ଗାଁକୁ ଫେରିବାକୁ ଚାହୁଁଥିବା ପ୍ରତ୍ୟେକ ଓଡ଼ିଆ ଏଥିରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ । ନିଜେ ପଞ୍ଜିକରଣ କରିବା ହେଉ କିମ୍ବା ନିଜ ପରିବାର କିମ୍ବା ପଡ଼ୋଶୀଙ୍କ ଦ୍ୱାରା ପଞ୍ଜିକରଣ କି ଗ୍ରାମ ପଞ୍ଚାୟତ ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ପଞ୍ଜିକରଣ କରିହେବ । ଏଥିପାଇଁ ପଞ୍ଚାୟତ ସ୍ତରରେ ୧୦ ଜଣିଆ କମିଟି ଗଢ଼ାହୋଇଛି । ଏହି ୧୦ଜଣଙ୍କୁ ମଧ୍ୟରୁ ବିଡ଼ିଓ ୫ ଜଣିଆ କୋର୍ କମିଟି ଗଠନ କରିବେ ଯେଉଁଥିରେ ସରପଞ୍ଚ ନୋଡ଼ାଲ ଅଫିସର ଭାବେ ଏବଂ ଆଇସିଡ଼ିଏସ୍ ସୁପରଭାଇଜର୍‌, ଗ୍ରାମ ରୋଜଗାର ସେବକ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ସଦସ୍ୟଭାବେ କାମ କରିବେ । ଅନ୍ୟ ୫ଜଣଙ୍କୁ ବ୍ୟାକ୍‌ଅପ୍ ଟିମ୍ ଭାବେ ଷ୍ଟାଣ୍ଡ ବାଏରେ ରଖାଯିବ । ସମସ୍ତ ୧୦ ଜଣଙ୍କୁ ବିଡ଼ିଓ ପ୍ରଶିକ୍ଷଣ ଦେଇଛନ୍ତି । ଏହି କମିଟି ପଞ୍ଜିକରଣର ସମସ୍ତ ଦାୟିତ୍ୱ ତୁଲାଇବେ । କମିଟି ପାଖରେ ପର୍ଯ୍ୟନ୍ତ ପରିମାଣର ପଞ୍ଜିକରଣ ଫର୍ମ ଥିବା ଏମାନେ ଫର୍ମ ପୂରଣରେ ମଧ୍ୟ ସାହାଯ୍ୟ କରିବେ । ଫର୍ମ ପୂରଣ ପରେ ସ୍ଥାନୀୟ ସ୍ତରରେ ଏହାର ଜାଞ୍ଚ କରି ବିଡିଓଙ୍କୁ ପଠାଇବେ । ଆସନ୍ତୁ ନଜର ପକାଇବା ଏହି ଫର୍ମ ଉପରେ ।

କାହା ଦ୍ୱାରା ଫର୍ମ ପୂରଣ ହେଉଛି ? ବାହାରେ ରହିଥିବା ଲୋକ କେଉଁ ଶ୍ରେଣୀର ? ଦାଦନ ଶ୍ରମିକ/ ଛାତ୍ରଛାତ୍ରୀ / ପ୍ରଫେସନାଲ/ ତୀର୍ଥ ଯାତ୍ରୀ । ବାହାର ରାଜ୍ୟରେ ଥିବା ଲୋକଙ୍କ ନାମ, ବୟସ, ଲିଙ୍ଗ, ମୋବାଇଲ୍ ନମ୍ବର, ଆଧାର ନମ୍ବର ସହ ଏବେ କେଉଁଠି ଅଛନ୍ତି ? ସହର, ଜିଲ୍ଲା, ରାଜ୍ୟର ତଥ୍ୟ ସାଙ୍ଗକୁ ନିଜ ପରିବାର ସଦସ୍ୟଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ସହ ଓଡ଼ିଶାରେ ନିଜର ବିସ୍ତୃତ ଠିକଣା ଦେବାକୁ ପଡ଼ିବ ।

Add Zee News as a Preferred Source

୨୦୧୧ ଜନଗଣନା ରିପୋର୍ଟକୁ ଦେଖିଲେ ରାଜ୍ୟ ବାହାରେ ଓଡ଼ିଶାର ୧୨ଲକ୍ଷ ୭୧ହଜାର ୨୨୧ଜଣ ଥିବା ବେଳେ ଓଡ଼ିଶାରେ ବାହାର ରାଜ୍ୟର ୮ଲକ୍ଷ ୫୫ ହଜାରରୁ ଅଧିକ ଲୋକେ ଅଛନ୍ତି । ବିହାରରେ ସର୍ବାଧିକ ୧ଲକ୍ଷ ୧୯ ହଜାର ୨୩୧, ପଶ୍ଚିମବଙ୍ଗରେ ୧ଲକ୍ଷ ୬୪ ହଜାର ୬୯୯, ଝାଡ଼ଖଣ୍ଡରେ ୧ଲକ୍ଷ ୬୭ହଜାର ୩୭୭, ଛତିଶଗଡ଼ରେ ୧ଲକ୍ଷ ୨୯ହଜାର ୩୭୧, ଆନ୍ଧ୍ରପ୍ରଦେଶରେ ୧ଲକ୍ଷ ୨୨ହଜାର ୪୯୧ ଜଣ ଓଡ଼ିଆ ଅଛନ୍ତି । ହେଲେ ୧୦ବର୍ଷ ପରେ ଏହି ସଂଖ୍ୟା ଅନେକ ବଢିଛି । ଗୁଜୁରାଟର ସୁରଟ ଜିଲ୍ଲାରେ ପ୍ରାୟ ତିନି ଲକ୍ଷରୁ ଅଧିକ ଓଡ଼ିଆ ଅଛନ୍ତି । ଗୁଜୁରାଟ ସୁରତ ପଛକୁ ଛତିଶଗଡ଼ର ରାୟପୁର, ଆନ୍ଧ୍ର ପ୍ରଦେଶର ସିକାକୁଲମ୍ ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁ ଜିଲ୍ଲା ରହିଛି । ଶ୍ରମ ବିଭାଗ ଦ୍ୱାରା ଖୋଲାଯାଇଥିବା ୨୪ ଘଣ୍ଟିଆ ସହାୟତା ନମ୍ବରରେ ଦିନକୁ ପ୍ରାୟ ୨୦୦ରୁ ୩୦୦ ଶହ କଲ୍‌ ଆସୁଛି । ୨୪ଘଣ୍ଟିଆ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ପ୍ରଥମେ ଖାଦ୍ୟ, ପାନୀୟର ଅଭିଯୋଗ ଆସୁଥିଲା । ହେଲେ ଏବେ ସମସ୍ତଙ୍କୁ ଘରବାହୁଡ଼ା ଚିନ୍ତା ଘାରିଛି । ଗୃହ ବିଭାଗ ଦ୍ୱାରା ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ଖବର ରଖାଯାଉଛି, ଯାହାର ଦାୟିତ୍ୱ ଯୁବ ଆଇପିଏସ୍ ଅଫିସରଙ୍କ ଉପରେ ନ୍ୟସ୍ତ କରାଯାଇଛି । ଶ୍ରମ ସଚିବ ଅନୁ ଗର୍ଗ ପ୍ରତି ମୁହୂର୍ତ୍ତରେ ଖବର ରଖିବା ସହ ଏହାର ନିୟମିତ ସମୀକ୍ଷା କରୁଛନ୍ତି ।

ବାହାର ରାଜ୍ୟରୁ ନିଜ ଗାଁକୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ୧୪ ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଘରକୁ ଯିବା ପାଇଁ ଅନୁମତି ମିଳିବ ଏବଂ ସରକାର ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ବି ଦେବେ ।

About the Author