କମିଶନରେଟ ପୋଲିସର ନୂଆ ଷ୍ଟ୍ରାଟେଜି: ଗାଡ଼ିକୁ ଗୋଡାଅ, ଅପରାଧୀଙ୍କୁ ଛାଡ଼!

'we care we dare', ୨୦୦୮ରେ କମିଶନରେଟ ପୋଲିସ ଆରମ୍ଭ ହେବା ପରଠାରୁ ଏହାଥିଲା ସ୍ଲୋଗାନ । ହେଲେ ଗତ କଛି ଦିନର ଅପରାଧ ଡାଏରୀ ଦେଖିଲେ ଏହି ସ୍ଲୋଗାନ କେବଳ ଲେଖାରେ ରହିଯାଇଥିବା ପରିଲକ୍ଷିତ ହେଉଛି । 

କମିଶନରେଟ ପୋଲିସର ନୂଆ ଷ୍ଟ୍ରାଟେଜି: ଗାଡ଼ିକୁ ଗୋଡାଅ, ଅପରାଧୀଙ୍କୁ ଛାଡ଼!
ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ନୂଆ କମିଶନରଙ୍କ ନୂଆ ତରିକା । ଗାଡିକୁ ଗୋଡାଅ ଅପରାଧୀକୁ ଛାଡ । ବଦଳିଛି କମିଶନରେଟ ପୋଲିସର ଟ୍ୟାଗ ଲାଇନ । ବଦଳିଛି କାମ କରିବାର ତରିକା । ଆଗ ଟ୍ରାଫିକ ମ୍ୟାନେଜମେଣ୍ଟ, ପଛେ କର ଅପରାଧ ନିୟନ୍ତ୍ରଣ । ଏହା ଆମେ କହୁନାହୁଁ ଗତ ଏକମାସ ମଧ୍ୟରେ ରାଜଧାନୀରେ ବୃଦ୍ଧି ପାଇଥିବା ଅପରାଧ ମାନଚିତ୍ର କହୁଛି । ଯେଉଁଠି ଭିଭିଆଇପି ଡ୍ୟୁଟ ସହ ଟ୍ରାଫିକ ମ୍ୟାନେଜେଣ୍ଟ କମିଶନରେଟ ପୋଲିସର ପ୍ରାୟରିଟି ହୋଇଛି । ସେଠି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡର ରହସ୍ୟ, କେବଳ ରହସ୍ୟ ହୋଇ ରହିଯାଉଛି ।

'we care we dare', ୨୦୦୮ରେ କମିଶନରେଟ ପୋଲିସ ଆରମ୍ଭ ହେବା ପରଠାରୁ ଏହାଥିଲା ସ୍ଲୋଗାନ । ହେଲେ ଗତ କଛି ଦିନର ଅପରାଧ ଡାଏରୀ ଦେଖିଲେ ଏହି ସ୍ଲୋଗାନ କେବଳ ଲେଖାରେ ରହିଯାଇଥିବା ପରିଲକ୍ଷିତ ହେଉଛି । ଏମିତିକି ସବୁ ପୋଲିସ ଠାରୁ ଭିନ୍ନ, ଆଉ ବେଶ କୁଶଳି କହୁଥିବା କମିଶନରେଟ ପୋଲିସର ଅପରାଧ ନିୟନ୍ତ୍ରଣର ସବୁ କୌଶଳ ଫେଲ ମାରିଛି । ଯେଉଁଠି ନିଶା ବେପାରୀ ଖୋଲା ଖୋଲି ଗୁଳିମାଡ କରୁଛନ୍ତି ସେଠି ପୋଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି ।

ଖଣ୍ଡଗିରି ଥାନା ସରକନ୍ତରା ଗାଁରେ ଗତ ମାସକ ତଳେ ଡ୍ରଗ୍ସ ବେପାରୀ ଗାଁ ମୁଣ୍ଡରେ ବାପପୁଅଙ୍କୁ ଗୁଳି କରିବା ଏହାର ସଦ୍ୟ ଉଦାହରଣ । ଯେଉଁଥିରେ ପୁଅ ଘଟଣା ସ୍ଥଳରେ ଟଳି ପଡିଥିଲା ଆଉ ବାପା ଦେହରେ ଗୁଳି ଏପଟୁ ସେପଟ ପାର ହୋଇ ଯାଇଥିଲା । ଘଟଣାକୁ ଏକ ମାସ ବିତିବାକୁ ବସିଲାଣି ହେଲେ ପୋଲିସ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଅପରାଧୀକୁ ଧରିବାରେ ସଫଳ ହୋଇପାରିନାହିଁ । ରାଜଧାନୀରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି ହେଲେ ପୋଲିସ ମାମଲା ରୁଜୁ କରି ଭୁଲି ଯାଉଛି । ପୋଲିସ ଥାନା ଉପରେ ନିର୍ଭର କରୁଥିବା ଅସହାୟ ଜନସାଧାରଣ କେବଳ ଭଗବାନଙ୍କ ଭରଷାରେ ରହିଛନ୍ତି ।  ହତ୍ୟାକାରୀଙ୍କୁ ଫାଶୀ ନ ମିଳିଲେ ସେମାନଙ୍କ ଆତ୍ମା ଶାନ୍ତି ପାଇବ ନାହିଁ ବୋଲି କହିଛନ୍ତି ପରିବାର ଲୋକେ ।

କମିଶନରେଟ ପୋଲିସ ଏବେ ଟ୍ରାଫିକ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ ଯେଭଳି ଭୁଲି ଯାଇଛି । ଅପରାଧ ଓ ଅପରାଧୀକୁ ଜଗିବାରେ ଫେଲ ମାରିଥିବା କମିଶନରେଟ ପୋଲିସ ଖାଲି ଭିଭିଆଇପି ଡ୍ୟୁଟିରେ ମାତିଛି । ଭିଭିଆଇପିଙ୍କୁ ଖୁସି କରି ବାହା ବାହା ନେବାରେ ସଫଳ ହେଉଛି । ଟ୍ରାଫିକ ମ୍ୟାନେଜମେଣ୍ଟ ଆଉ ମେଗା ଇଭେଣ୍ଟରୁ ବାହାରି ପାରୁନି କମିଶନରେଟ ପୋଲିସ । ଭୁଲି ଗଲାଣି ଅପରାଧ ତଦନ୍ତର ଦିଗ । ଶବ ଗଦାରେ ରହିଛି କମିଶନରେଟ ପୋଲିସ ।

ରାଜଧାନୀରେ ଗୋଟାଏ ପରେ ଗୋଟାଏ ମର୍ଡର । ରକ୍ତ ରଞ୍ଜିତ ହେଉଛି ସ୍ମାର୍ଟସିଟି । ମାସକରେ ଗଡି ଗଲାଣି ୫ ମୁଣ୍ଡ ।  ହେଲେ ଗୋଟିଏ ଘଟଣାରେ ହତ୍ୟାକାରୀକୁ ଖୋଜି ପାଉନି ପୋଲିସ । ଗଣ ମାଧ୍ୟମକୁ ଦେଖିଲେ ଲୁଚୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଗାଁରେ କିଛି ପୋଲିସ କନଷ୍ଟେବଳଙ୍କୁ ଦେଇ ପୀଡିତଙ୍କ ପରିବାର ଓ ଗାଁ ଲୋକଙ୍କୁ ଆଶ୍ୱାସନା ଦେଇ ଚାଲିଛି ପୋଲିସ । ହେଲେ ଏହା ଆଉ କେତେ ଦିନ । ଲୋକଙ୍କ ଧର୍ଯ୍ୟ ଯେବେ ଭାଙ୍ଗିବ ସେତେ ବେଳେ ପୋଲିସ ପାଇଁ ପରିସ୍ଥିତି ସମ୍ଭାଳିବା କାଠିକର ପାଠ ହୋଇଯିବ ।