)
ଭୁବନେଶ୍ୱର: ଓଡ଼ିଶାରେ କେମିତି ରହିବ ମହାବାତ୍ୟା ପ୍ରଭାବ ? ରାଜ୍ୟରେ ଆଜି ରାତିରୁ ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ୫ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବ । ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ଵର ଓ ଯାଜପୁରରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।
ଆସନ୍ତାକାଲି (ମେ ୨୦) ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ଏବଂ ଯାଜପୁର ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ଆଜି ପବନର ବେଗ ସର୍ବାଧିକ ୬୫ କିଲୋମିଟର ରହିବ । ଆସନ୍ତାକାଲି ଉତ୍ତର ଓଡ଼ିଶା ମୁହାଁ ହୋଇ ପବନର ବେଗ ବଢ଼ିବ। ଉପକୂଳ ଓଡ଼ିଶାରେ ୭୫ରୁ ୮୫ ବେଗରେ ପବନ ବହିବ । ୫ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜରେ ପବନର ବେଗ ଅଧିକ ରହିବ ।
ତେବେ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୨୧ ଯାଏଁ ସମୁଦ୍ର ମନା । ଗୋପାଳପୁର ଓ ପୁରୀରେ ତିନି ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଠିକ୍ ସେମିତି ଜଗତସିଂହପୁର, ପାରାଦୀପ ଓ ଧାମରାରେ ଚାରି ନମ୍ବର ବିପଦ ସଂକେତ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।