close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଓଡ଼ିଶା ଛାଡିଲା ବୁଲବୁଲ୍, ଟଳିଲା ବିପଦ

ଦେଢ଼ ଦିନ ଧରି ଉପକୂଳ ଓଡ଼ିଶା ଦେଇ ଚକ୍କର କାଟିବା ପରେ ଶେଷରେ ସମ୍ପୂର୍ଣ୍ଣ ଉପକୂଳ ଅତିକ୍ରମ କରିଛି ବାତ୍ୟା ବୁଲବୁଲ୍

ଓଡ଼ିଶା ଛାଡିଲା ବୁଲବୁଲ୍, ଟଳିଲା ବିପଦ
file photo

ଶାନ୍ତ ସ୍ୱରୂପ, ଭୁବନେଶ୍ୱର: ଓଡ଼ିଶା ଛାଡିଲା ବୁଲବୁଲ୍ । ଦେଢ଼ ଦିନ ଧରି ଉପକୂଳ ଓଡ଼ିଶା ଦେଇ ଚକ୍କର କାଟିବା ପରେ ଶେଷରେ ସଂପୂର୍ଣ୍ଣ ଉପକୂଳ ଅତିକ୍ରମ କରିଛି ବାତ୍ୟା ବୁଲବୁଲ୍ । ପୂର୍ବ ଆକଳନ ଅନୁଯାଇ ବାତ୍ୟା ଶନିବାର ସଂଧ୍ୟା ୭ ଟାରୁ ରାତି ୧୦ଟା ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବୁଲବୁଲ୍ । ତେବେ ଆଂଶିକ ପ୍ରଭାବରେ ଦିନ ତମାମ ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହେତୁ ପ୍ରଭାବିତ ମୋଟ ୨୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଜନହାନୀ ହୋଇନଥିବା ବେଳେ ଜଳମଗ୍ନ ସ୍ଥିତି ଉପୁଜିଲେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଉଛି ।  

ବଙ୍ଗୋପସାଗରରେ ସୃଷ୍ଟ ଭେରି ସିଭିୟରି ସାଇକ୍ଲୋନିକ ଷ୍ଟର୍ମ ବୁଲବୁଲ୍ ବାଙ୍ଗଲାଦେଶ ମୁହାଁ ହେଉଥିବା ବେଳେ ରାଜ୍ୟରେ ଧିରେ ଧିରେ ପାଗ ପରିବର୍ତ୍ତନ ହେଉଛି । ଆକଳନ ଅନୁଯାୟୀ ଶନିବାର ସକାଳ ପର୍ଯ୍ୟନ୍ତ ଉଗ୍ରରୂପ ନେଇ ରିକର୍ଭ କରି ଦୁର୍ବଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସର୍ବନିମ୍ନ ପାରାଦୀପ ଠାରୁ ୯୫ କିଲୋମିଟର ଦୂରରେ ଗତି କରି ଯାହା ଓଡ଼ିଶା ଉପକୂଳ ସଂପୂର୍ଣ ଭାବେ ଅତିକ୍ରମ କରିଛି । ଏବଂ ତାଜା ଆକଳନ ମୁତାବକ ବିଳମ୍ବିତ ସଂଧ୍ୟା ସୁଦ୍ଧା ଦୂର୍ବଳ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ଏବଂ ସ୍ଥଳଭାଗ ଛୁଇଁବ । ତେବେ ସଂଧ୍ୟା ପରେ ରାଜ୍ୟରେ ବିଶେଷ ପ୍ରଭାବ ନଥିବା ସହ ରବିବାର ଠାରୁ ପାଗରେ ସୁଧାର ଆସିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସେପେଟେ ଗତ ୨୪ ଘଣ୍ଟାରେ ସର୍ବାଧିକ ରାଜନଗରରେ ୧୮୦ ମିଲିମିଟର ଓ ଚାନ୍ଦବାଲିରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାସହ ସୁରକ୍ଷା ଦୃଷ୍ଟିରୁ ୨୫ଶହ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଉଥିବା ସହ ଯୋଗାଯୋଗ ବିଚ୍ଛିନ୍ନ, ବିଦ୍ୟୁତ ଖୁଣ୍ଟ ଏବଂ ଘର ଭାଙ୍ଗିଥିବା ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି । ଭଦ୍ରକରେ ଏକ ଡଙ୍ଗା ବୁଡିଥିବା ବେଳେ ଏଥିରେ ଥିବା ୯ ଜଣଙ୍କୁ ଉଦ୍ଧାର କରାଯାଇଛି । କୌଣସି ସ୍ଥାନରେ ଜନହାନୀ ହୋଇନଥିବା ବେଳେ କୃଷି କ୍ଷୟକ୍ଷତି ନେଇ ରିପୋର୍ଟ ମଗାଯାଇଥିବା ସେ କହିଛନ୍ତି । ଏହାସହ ଉପକୂଳ ଓଡ଼ିଶା ବାଦ ବାକି ଜିଲ୍ଲାରେ ବିଶେଷ ପ୍ରଭାବ ପଡିନଥିବା ଏସଆରସି କହିଛନ୍ତି ।
ତେବେ ରବିବାର ଠାରୁ ପାଗ ପ୍ରାୟତଃ ଶୁଖିଲା ରହିବା ସହ କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିନ୍ତୁ ସମୁଦ୍ର ଅଶାନ୍ତ ହେତୁ ମସ୍ତ୍ରଜୀବୀଙ୍କୁ ୧୦ ତାରିଖ ଯାଏଁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ଏବଂ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ମଧ୍ୟ ବଳବତ୍ତର ରଖାଯାଇଛି ।