ରାଜ୍ୟ ସ୍ୱାର୍ଥକୁ ଅଣଦେଖା ଜାତୀୟ ଦଳ ପାଇଁ କାଳ
Advertisement

ରାଜ୍ୟ ସ୍ୱାର୍ଥକୁ ଅଣଦେଖା ଜାତୀୟ ଦଳ ପାଇଁ କାଳ

ଦିଲ୍ଲୀ ନିର୍ବାଚନ ଫଳାଫଳ ଜାତୀୟ ରାଜନୈତିକ ଦଳ ଏବଂ ସେମାନଙ୍କ କାର୍ଯ୍ୟକଳାପ ପ୍ରତି ଏକ ବଡ ଚେତାବନୀ। ଏଠାରେ ଆମ ଆଦମୀ ପାର୍ଟି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏହା ତ ଭିନ୍ନ କଥା, କିନ୍ତୁ ଏଠାରେ ଆପର ବିପୁଳ ସଫଳତା ଜାତୀୟ ଦଳ ବିଜେପି ଏବଂ କଂଗ୍ରେସକୁ ଏକ ବଡ ଚେତାବନୀ ସଦୃଶ ହୋଇଛି। 

ରାଜ୍ୟ ସ୍ୱାର୍ଥକୁ ଅଣଦେଖା ଜାତୀୟ ଦଳ ପାଇଁ କାଳ

ମଳୟ ମହାନ୍ତି, ଭୁବନେଶ୍ୱର: ଦିଲ୍ଲୀ ନିର୍ବାଚନ ଫଳାଫଳ ଜାତୀୟ ରାଜନୈତିକ ଦଳ ଏବଂ ସେମାନଙ୍କ କାର୍ଯ୍ୟକଳାପ ପ୍ରତି ଏକ ବଡ ଚେତାବନୀ। ଏଠାରେ ଆମ ଆଦମୀ ପାର୍ଟି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏହା ତ ଭିନ୍ନ କଥା, କିନ୍ତୁ ଏଠାରେ ଆପର ବିପୁଳ ସଫଳତା ଜାତୀୟ ଦଳ ବିଜେପି ଏବଂ କଂଗ୍ରେସକୁ ଏକ ବଡ ଚେତାବନୀ ସଦୃଶ ହୋଇଛି। 

ଜାତୀୟତା ଏବଂ ରାଷ୍ଟ୍ରବାଦର କଥା କହି ସାରା ଦେଶରେ ସମର୍ଥନ ସୃଷ୍ଟି କରିପାରିଥିବା ବିଜେପି ୨୦୧୯ ନିର୍ବାଚନ ପରେ ବିଭିନ୍ନ ରାଜ୍ୟରେ ନିଜର ଲୋକପ୍ରିୟତା ହରାଇ ଚାଲିଛି। ଏପରିକି ଦିଲ୍ଲୀରେ ଅର୍ଦ୍ଧାଧିକ କେନ୍ଦ୍ରମନ୍ତ୍ରୀ, ବହୁ ମୁଖ୍ୟମନ୍ତ୍ରୀ ତଥା ହେଭିଓ୍ୱେଟଙ୍କ ପ୍ରଚାର ପରେ ମଧ୍ୟ ଦୁଇ ଅଙ୍କ ଛୁଇଁବାକୁ ଦଳ ସମର୍ଥ ହୋଇନି। ତେଣୁ ଲୋକମାନେ ବିଜେପିଠାରୁ ମୁହଁ ଫେରାଇଥିବା ସ୍ପଷ୍ଟ ହୋଇଛି। ଏପରିକି କେବଳ ଦିଲ୍ଲୀ ନୁହେଁ ଏହାର ପ୍ରଭାବ ଓଡିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ପଡିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଅସ୍ୱୀକାର କରିଛି ରାଜ୍ୟ ବିଜେପି। 

ଅଧିକ ପଢନ୍ତୁ: ଫଳାଫଳକୁ ନେଇ ବିଜେପି ସତରେ କ'ଣ ଦୁଃଖି ?

ଦିଲ୍ଲୀ ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ। ଏହାର କୌଣସି ପ୍ରଭାବ ଅନ୍ୟ ରାଜ୍ୟ ଉପରେ ପଡିବନି ବୋଲି ବିଜେପି କହିଛି। ଏପରିକି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଭଲ କାମକୁ ଭୁଲ ଭାବେ ଲୋକଙ୍କୁ ଅବତାରଣା କରି ବିଭ୍ରାନ୍ତ କରାଗଲା ବୋଲି ବିଜେପି ଅଭିଯୋଗ କରିଛି। କିନ୍ତୁ ଆଗାମୀ ଦିନରେ ବିଜେପି ପୁଣି ତାର ବିଜୟବାନା ଉଡାଇବ ବୋଲି ବିଜେପି ନେତା କହିଛନ୍ତି। ଏପରିକି ଓଡିଶାରେ ବିଜେପି ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ଦମ୍ଭର ସହ କହିଛି।

ଅନ୍ୟପକ୍ଷରେ ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଦିଲ୍ଲୀରେ ମାଟି କାମୁଡିବା ପରେ ଲୋକମାନେ ଦଳକୁ ପ୍ରତ୍ୟାଖ୍ୟାନ କରିଥିବା କଂଗ୍ରେସ ସ୍ୱିକାର କରିଛି। ଏପରିକି ଏଥିପାଇଁ ଆଞ୍ଚଳିକ ଦଳଗୁଡିକର ଲୋଭନୀୟ ଯୋଜନାକୁ ଦାୟୀ କରିଛନ୍ତି ପିସିସି ସଭାପତି। କଂଗ୍ରେସ ରାଜ୍ୟ ତଥା ଦେଶର ସ୍ୱାର୍ଥ ପାଇଁ ଦୀର୍ଘମିଆଦି ଯୋଜନାକୁ ଗୁରୁତ୍ୱ ଦେଉଥିବା ବେଳେ ଆଞ୍ଚଳିକ ଦଳ ଭୋଟ ପାଇଁ ଶସ୍ତା ଯୋଜନା କରି ଭୋଟ ପାଉଛନ୍ତି। କିନ୍ତୁ ଲୋକମାନେ ଏହାକୁ ବୁଝିଲେଣି ଏବଂ ସେଥିପାଇଁ ବିଭିନ୍ନ ରାଜ୍ୟରେ କଂଗ୍ରେସକୁ ସମର୍ଥନ ଦେଉଛନ୍ତି। ଆଗକୁ ହେବାକୁ ଥିବା ରାଜ୍ୟରେ ନିର୍ବାଚନରେ ମଧ୍ୟ ଦଳ ଭଲ କରିବା ସହ ଓଡିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ତଥା ଅନ୍ୟାନ୍ୟ ନିର୍ବାଚନରେ ଦଳ ଭଲ କରିବ ବୋଲି ପିସିସି ସଭାପତି କହିଛନ୍ତି। 

ଅଧିକ ପଢନ୍ତୁ: ପରାଜୟର ୫ କାରଣ

ଅନ୍ୟପକ୍ଷରେ ବିଜେଡି କିନ୍ତୁ ଜାତୀୟ ଦଳକୁ ଦିଲ୍ଲୀ ନିର୍ବାଚନରୁ କିଛି  ଶିଖିବା ସହ ଚେତିବାକୁ ଚେତାବନୀ ଦେଇଛି। ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ନ ଦେଇ କେନ୍ଦ୍ରରେ ଶାସନ କରୁଥିବା ଜାତୀୟ ଦଳଗୁଡିକ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଥିବାରୁ ଦିଲ୍ଲୀ ଜନତା ଏହାର ଜବାବ ଦେଲେ। ଏପରିକି ପୂର୍ବରୁ ଓଡିଶାବାସୀ ମଧ୍ୟ ବିଜେପିକୁ ଏହାର ଜବାବ ଦେଇ ସାରିଛନ୍ତି। ତେଣୁ ପ୍ରତ୍ୟେକ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ସଂଘୀୟ ବ୍ୟବସ୍ଥାରେ ସମସ୍ତ ରାଜ୍ୟକୁ ଆବଶ୍ୟକତା ଅନୁଯାୟୀ ଅନୁଦାନ ଏବଂ ସହଯୋଗ ଦେବା ସହ ପ୍ରତିଶୃତି ଅନୁଯାୟୀ କାର୍ଯ୍ୟ ନକଲେ ଆଗକୁ ଜାତୀୟ ଦଳଗୁଡିକ ଆହୁରି ଭୋଗିବେ ବୋଲି ବିଜେଡି କହିଛି।