ବଦଳିବେ କି ନିରଞ୍ଜନ ? ପିସିସି ମୁଖିଆଙ୍କ ଉପରେ ଭରସା ନ ଥିବା ଚର୍ଚ୍ଚା

ପିସିସି ପକ୍ଷରୁ ନିଆଯାଉଥିବା ନିଷ୍ପତ୍ତିକୁ ସିଧାସଳଖ ଖାରଜ କରିଦେଉଛି ଏଆଇସିସି

ବଦଳିବେ କି ନିରଞ୍ଜନ ? ପିସିସି ମୁଖିଆଙ୍କ ଉପରେ ଭରସା ନ ଥିବା ଚର୍ଚ୍ଚା

ମଳୟ ମହାନ୍ତି, ଭୁବନେଶ୍ୱର: ପିସିସି ଏବଂ ଏଆଇସିସି ମଧ୍ଯରେ ସମନ୍ବୟ ନାହିଁ । ଯେଉଁଥିପାଇଁ ମତଭେଦ ହେଉଛି । ଏଠି ପିସିସି ସଭାପତି ଗୋଟିଏ ଗୋଷ୍ଠୀ ସହ ଆଲୋଚନା କରି ଗୋଟିଏ ନିୟମ କରୁଥିବାବେଳେ ସେପଟେ ଏଆଇସିସି ଅଲଗା ନିଷ୍ପତ୍ତି ଶୁଣାଉଛି । ଏଭଳି ଢଙ୍ଗରେ ପିସିସି ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ବିଧାୟ କ ସୁରେଶ ରାଉତରାୟ । 

ଯୁବ କଂଗ୍ରେସ ସଭାପତି ଚୟନ ପ୍ରସଙ୍ଗରେ ପିସିସିର ନିଷ୍ପତ୍ତିକୁ ଭାରତୀୟ ଯୁବ କଂଗ୍ରେସ ଖାରଜ କରିଦେବା ପରେ ଏହି ବିବାଦ ବାହାରକୁ ଆସିଛି। ଏପରିକି ପିସିସି ସଭାପତିଙ୍କ ଉପରେ ଯେ ଆଉ ଏଆଇସିସିର ଭରସା ନାହିଁ ବୋଲି ଖୋଦ କଂଗ୍ରେସ ନେତାମାନେ କହିବା ଆରମ୍ଭ କରିଛନ୍ତି ।ଏପରିକି ଯୁବ କଂଗ୍ରେସ ପ୍ରସଙ୍ଗରେ ଦିନ ଗୋଟିଏ ନ ପୁରୁଣୁ ଖୋଦ ଏଆଇସିସି ସାଧାରଣ ସଂପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଚାରିଦିନିଆ ଓଡିଶା ଗସ୍ତରେ ଆସି ତୃଣମୂଳ ନେତାଙ୍କୁ ସିଧାସଳଖ ଭେଟିବା ଆରମ୍ଭ କରିଛନ୍ତି । ଯାହା କି ପିସିସି ସଭାପତିଙ୍କ ଏଆଇସିସି ନିକଟରେ ବିଶ୍ବସନୀୟ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ରାହୁଲ ଗାନ୍ଧୀଙ୍କୁ ଏ ସଂପର୍କରେ ଅବଗତ କରାଇବାକୁ ସୁରେଶ ରାଉତରାୟ କହିଛନ୍ତି । ଦଳରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆବଶ୍ଯକ ଏବଂ ଯାହାକୁ ଏଆଇସିସି ସଭାପତି କରିବେ ତାଂକୁ ସମର୍ଥନ କରାଯିବ ବୋଲି କହିଛନ୍ତି ସୁର । ଅନ୍ଯପକ୍ଷରେ ପିସିସି ପକ୍ଷରୁ ନୂତନ ଜିଲ୍ଲା ସଭାପତିଙ୍କ ନାମ ଦୀର୍ଘ ଦିନ ହେବ ଏଆଇସିସି ଅନୁମୋଦନ ପାଇଁ ପଠା ସରିଥିବାବେଳେ ଏ ଯାଏ ଏଆଇସିସି ମୋହର ଲଗାଉ ନାହିଁ । ଏପରିକି ଜାନୁୟରୀ ପ୍ରଥମ ସପ୍ତାହରେ ଜିଲ୍ଲା ସଭାପତି ନାମଗୁଡିକରେ ମୋହର ଲାଗିବ ବୋଲି ଖୋଦ ପିସିସି ସଭାପତି କହିଥିବାବେଳେ ଏ ଯାଏ ଘୋଷଣା ତ ଦୂରର କଥା ଏଆଇସିସି ମୋହର ଲାଗୁନି । ଏପରିକି ବର୍ତ୍ତମାନ ରାଜ୍ଯର କଂଗ୍ରେସ ସଂଗଠନ ଏବଂ ନିରଞ୍ଜନ ବିରୋଧୀଙ୍କୁ ମନାଇବାକୁ ଖୋଦ ପ୍ରଭାରୀ ଜିତେନ୍ଦ୍ର ସିଂ ସାରା ରାଜ୍ଯ ବୁଲି ନିଜେ ନେତାଙ୍କ ସହ କଥା ହେବା ଆରମ୍ଭ କରିଛନ୍ତି ।ପୂର୍ବରୁ ଭୁବନେଶ୍ବରରେ ବୈଠକ କରୁଥିବା କେନ୍ଦ୍ରୀୟ ନେତା ଏବେ ନିଜେ ତୃଣମୂଳ ନେତାଙ୍କୁ ଭେଟିବା ଆରମ୍ଭ କରିଛନ୍ତି । ଯାହାକି ପିସିସି ସଭାପତିଙ୍କ ଉପରେ ଆଉ ଭରସା ନ ଥିବା କଥା ଚର୍ଚା ହେଉଛି ।

ଅନ୍ଯପକ୍ଷରେ ଏହାକୁ ପିସିସି ପକ୍ଷରୁ ଖଣ୍ଡନ କରାଯାଇଛି । ପିସିସି ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯିବାର ଅଧିକାର ରହିଛି ଏବଂ ଏଆଇସିସି ନିଷ୍ପତ୍ତି ହିଁ ଚୁଡାନ୍ତ । ତେଣୁ ଏଆଇସିସି ଏବଂ ପିସିସି ମଧ୍ଯରେ ସମନ୍ବୟ ଠିକ ଥିବାବେଳେ କିଛି ବିରୋଧୀ ଏହାକୁ ଭିନ୍ନ ଭାବେ ଚିତ୍ରଣ କରିବାକୁ ଉଦ୍ଯମ କରୁଛନ୍ତି ଏବଂ ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପିସିସି ପକ୍ଷରୁ କୁହାଯାଇଛି ।