ସେସୁ ଅଧିନରେ ଫ୍ରାଞ୍ଚାଇଜ କମ୍ପାନୀ ଭାବେ ୨୦୧୩ରୁ କାର୍ଯ୍ୟ କରୁଥିବା ଏନଜେନ, ଫେଡକୋ ଆଦିର ୮୬୦୦ କର୍ମଚାରୀଙ୍କୁ ଟାଟା ପାୱାର ଛଟେଇ କରିବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି।
Trending Photos
)
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ସାଧାରଣ ଲୋକଙ୍କ ପରେ ଏବେ କର୍ମଚାରୀଙ୍କୁ ବିଦ୍ୟୁତ (Electricity) ଝଟକା । ପ୍ରଥମେ ବିଦ୍ୟୁତ ଦରବୃଦ୍ଧି କରି ସାଧାରଣ ଲୋକଙ୍କ ଉପରେ ବେଡି ଉପରେ କୋରଡା ମାଡ କରାଯାଇଥିବାବେଳେ ଏବେ ଖୋଦ ଦୀର୍ଘବର୍ଷ ଧରି ଶ୍ରମଦାନ କରି ସେସୁ (CESU-Central Electricity Supply Utility) କୁ ବଳିଷ୍ଠ କରିଥିବା ଅସ୍ଥାୟୀ କର୍ମଚାରୀଙ୍କ ଉପରେ ପ୍ରହାର କରାଯାଇଛି।
ସେସୁ ଅଧିନରେ ଫ୍ରାଞ୍ଚାଇଜ କମ୍ପାନୀ (Franchise company) ଭାବେ ୨୦୧୩ରୁ କାର୍ଯ୍ୟ କରୁଥିବା ଏନଜେନ (N-Gen), ଫେଡକୋ (Fedco) ଆଦିର ୮୬୦୦ କର୍ମଚାରୀଙ୍କୁ ଟାଟା ପାୱାର (Tata Power) ଛଟେଇ କରିବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏହି କର୍ମଚାରୀଙ୍କ ପ୍ରଚେଷ୍ଟା ବଳରେ ବିଦ୍ୟୁତ କ୍ଷତି ୨୦ ପ୍ରତିଶତ କମିବା ସହ ରାଜସ୍ୟ ଆଦାୟ ମଧ୍ୟ ବଢିଥିଲା। ଏଭଳି ସ୍ଥିତିରେ ସେମାନଙ୍କୁ ଛଟେଇ କରିଥିବାରୁ ଏହାର ବିରୋଧ କରି କର୍ମଚାରୀ ଇଡକୋ ଟାୱାର (IDCO Tower) ସମ୍ମୁଖରେ ବିକ୍ଷୋଭ କରିବା ସହ ଅନଶନ କରିଥିଲେ।
ଇଡକୋ ସମ୍ମୁଖରେ ଟାୟାରରେ ନିଆଁ ଲଗାଇ ପ୍ରତିବାଦ କରିବା ସହ ଗେଟ ଡେଇଁ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଛଟେଇ କର୍ମଚାରୀ । ସେମାନଙ୍କୁ ସମର୍ଥନ ଜଣାଇ ଯୁବ କଂଗ୍ରେସ ସାମିଲ ହେବା ସହ ଇଡକୋ ଟାୱାର ସମ୍ମୁଖରେ ଜୋରଦାର ଆନ୍ଦୋଳନ କରିଛନ୍ତି । ଯୁବ କଂଗ୍ରେସ (Youth Congress) ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନ କରିବା ସହ ତୁରନ୍ତ ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର କରିବା ସହ ତୁରନ୍ତ ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛି ଦଳ।
ପ୍ରଥମେ ବିଦ୍ୟୁତ ଦର ବୃଦ୍ଧି କରି କୋରୋନା ସଂକଟ (Corona Crisis) ସମୟରେ ଲୋକଙ୍କୁ ମାଡ ମାରିଥିବା ସରକାର ଏବେ ପୁଣି କର୍ମଚାରୀଙ୍କୁ ମାଡ ମାରିବାକୁ ଯେଉଁ ଯୋଜନା କରିଛନ୍ତି ତାର ଜୋରଦାର ପ୍ରତିବାଦ କରାଯିବ ବୋଲି କହିଛି ଯୁବ କଂଗ୍ରେସ। ଅନ୍ୟପକ୍ଷେ ଏ ସମ୍ପର୍କରେ ଟାଟା ପାୱାରର କହିବା କଥା କଂପାନୀ ଆବଶ୍ୟକତା ଏବଂ ସ୍ଥିତିକୁ ଦେଖି ଅସ୍ଥାୟୀ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଉଛି। ହେଲେ ଏ ବାବଦରେ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କିଛି କହିବାକୁ ମନା କରି ଦେଇଛନ୍ତି।
ଅନ୍ୟପକ୍ଷେ ଶାସକ ଦଳର କହିବା କଥା ଏ ସମସ୍ତ କର୍ମଚାରୀ ସେସୁ ନୁହେଁ ବରଂ ଫ୍ରାଞ୍ଚାଇଜ କମ୍ପାନୀ ଦ୍ୱାରା ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ। ସେମାନଙ୍କୁ ସେସୁ ନିଯୁକ୍ତି ଦେଇନ ଥିଲା । ତେଣୁ ନୂଆ କମ୍ପାନୀ ଟାଟା ପାୱାର ନେବା ପରେ ତାର ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଦେବ। ହେଲେ ବର୍ତ୍ତମାନ କରୋନା ମହାମାରୀ ସମୟରେ ଛଟେଇ କର୍ମଚାରୀଙ୍କ ସମ୍ପର୍କରେ ବିଚାର କରାଯିବାର ଆବଶ୍ୟକତା ବୋଲି କହିଛି ଶାସକ ଦଳ ବିଧାୟକ ଅମର ପ୍ରସାଦ ଶତପଥୀ।
ବର୍ତ୍ତମାନ ଛଟେଇ ହୋଇଥିବା ୮୬୦୦ କର୍ମଚାରୀଙ୍କ ମଧ୍ୟରୁ ୬୦୦ ଇଞ୍ଜିନିୟର ହୋଇଥିବା ବେଳେ ଅନ୍ୟମାନେ ବିଭିନ୍ନ ବର୍ଗର କର୍ମଚାରୀ ରହିଛନ୍ତି। ସେମାନେ ୮ ବର୍ଷ ଧରି ସେବା ଯୋଗାଇ ଆସୁଥିବାବେଳେ ହଠାତ ସେମାନଙ୍କୁ ଚାକିରି ହରାଇବାକୁ ପଡୁଥିବାରୁ ସେମାନଙ୍କ ପରିବାର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡିଛନ୍ତି। ଅନ୍ୟପକ୍ଷେ ବିଦ୍ୟୁତ ଦରବୃଦ୍ଧି ହୋଇଥିବାରୁ ସାଧାରଣ ଲୋକେ ମଧ୍ୟ ଅତିଷ୍ଠ ହୋଇ ପଡିଲେଣି।