କଂଗ୍ରେସର ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ଶୋଭାଯାତ୍ରା
ଏନଆରସି, ସିଏଏ, ଏନପିଆର ଏବଂ ଦେଶର ଅର୍ଥନୈତିକ ଦୂରବସ୍ଥା ପ୍ରସଙ୍ଗରେ ରାଜରାସ୍ତାରେ କଂଗ୍ରେସର ଗର୍ଜନ । ଦେଶର ଅର୍ଥନୀତିକୁ ତଳି ତଳାନ୍ତ କରି ଧର୍ମ ଆଧାରରେ ଦେଶକୁ ବିଭାଜନ କରୁଥିବା ଅଭିଯୋଗ କରିବା ସହ ବିଜେପି ବିରୋଧରେ ବିକ୍ଷୋଭ କରିଛି କଂଗ୍ରେସ ।
Trending Photos
)
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଏନଆରସି, ସିଏଏ, ଏନପିଆର ଏବଂ ଦେଶର ଅର୍ଥନୈତିକ ଦୂରବସ୍ଥା ପ୍ରସଙ୍ଗରେ ରାଜରାସ୍ତାରେ କଂଗ୍ରେସର ଗର୍ଜନ । ଦେଶର ଅର୍ଥନୀତିକୁ ତଳି ତଳାନ୍ତ କରି ଧର୍ମ ଆଧାରରେ ଦେଶକୁ ବିଭାଜନ କରୁଥିବା ଅଭିଯୋଗ କରିବା ସହ ବିଜେପି ବିରୋଧରେ ବିକ୍ଷୋଭ କରିଛି କଂଗ୍ରେସ ।
ଶନିବାର ଦଳର ୧୩୪ତମ ପ୍ରତିଷ୍ଠା ଦିବସରେ କଂଗ୍ରେସ ଭବନରୁ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ଶୋଭାଯାତ୍ରାରେ ରାଜମହଲ ଛକ ପର୍ଯ୍ୟନ୍ତ ଯିବା ସହ ବିଜେପିକୁ ବିରୋଧ କରିଛି ଦଳ । ପିସିସି ସଭାପତିଙ୍କ ସମେତ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅଖିଳେଶ ପ୍ରତାପ ସିଂ, ଏଆଇସିସି ସମ୍ପାଦକ, ଦଳର ବହୁ ବିଧାୟକ, ପୂର୍ବତନ ଏଆଇସିସି ସଭାପତି ତଥା ବରିଷ୍ଠ ନେତାମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜେପି ଧର୍ମୀୟ ଆଧାରରେ ରାଜନୀତି କରିଥିବା ଅଭିଯୋଗ କରି ଏହାକୁ ଜୋରଦାର ବିରୋଧ କରିଥିଲେ କଂଗ୍ରେସ ନେତା ।
ଗାଁ ଗାଁରେ କଂଗ୍ରେସର ପ୍ରତ୍ୟେକ ନେତା ଏବଂ କର୍ମୀ ବିଜେପିର ଏହି କାର୍ଯ୍ୟକ୍ରମ ବିରୋଧରେ ଲୋକଙ୍କୁ ଅବଗତ କରିବା ସହ ତୀବ୍ର ଆନ୍ଦୋଳନ କରିବାକୁ ଯୋଜନା ହୋଇଛି । ବିଜେପିର ମୁଖା ଖୋଲିବାକୁ ରାଜ୍ୟ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ଦଳକୁ ସୁଦୃଢ କରିବା ପାଇଁ ବିଜେପିର କାର୍ଯ୍ୟକଳାପକୁ ଅସ୍ତ୍ର କରିଛି କଂଗ୍ରେସ । ଏପରିକି ବିଜେପି ସହ ବିଜେଡିର ସମ୍ପର୍କକୁ ମଧ୍ୟ ଅନ୍ୟ ଏକ ଅସ୍ତ୍ର କରି ଲୋକଙ୍କୁ ନିଜ ଆଡକୁ ଟାଣିବାକୁ କଂଗ୍ରେସ ଯୋଜନା କରିଛି ।
ଅନ୍ୟପକ୍ଷରେ ରାଷ୍ଟ୍ରର ହିତ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ କାର୍ଯ୍ୟ କରୁଥିବା ବେଳେ କଂଗ୍ରେସର ଏଭଳି ଅଭିଯୋଗ ଏବଂ କାର୍ଯ୍ୟକ୍ରମ ଗ୍ରହଣୀୟ ନୁହେଁ ବୋଲି ବିଜେପି କହିଛି । କଂଗ୍ରେସ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥିବା ବେଳେ ଏସବୁ ପ୍ରସଙ୍ଗକୁ ଲୋକ ଗ୍ରହଣ କରିବେନି ବୋଲି ଦଳ କହିଛି ।