close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅନ୍ଧାର ଭିତରେ ଗମ୍ଭାରୀବନ୍ଧ, ବିକାଶ ଏମାନଙ୍କ ପାଇଁ ସାତ ସପନ

ଢେଙ୍କାନାଳରୁ ୧୭ କିମି ଦୂର ଘଞ୍ଚ ଜଙ୍ଗଲ ପରେ ଆସେ ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତର ଛୋଟ ଗାଁ 'ଗମ୍ଭାରୀବନ୍ଧ ଗାଁ'

ଅନ୍ଧାର ଭିତରେ ଗମ୍ଭାରୀବନ୍ଧ, ବିକାଶ ଏମାନଙ୍କ ପାଇଁ ସାତ ସପନ
ଅନ୍ଧାର ଭିତରେ ଗମ୍ଭାରୀବନ୍ଧ, ବିକାଶ ଏମାନଙ୍କ ପାଇଁ ସାତ ସପନ

ସୌମ୍ୟ ରଞ୍ଜନ ନାୟକ, ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦରମହକୁମାଠାରୁ ୧୭ କିଲୋମିଟର ଘଞ୍ଚ ଜଙ୍ଗଲ ପରେ ଆସେ ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତର ଛୋଟ ଗମ୍ଭାରୀବନ୍ଧ ଗାଁ ।
ପାହାଡ଼ ପାଦଦେଶରେ କିଛି ଝାଟିମାଟି କୁଡ଼ିଆ ଚାଳି ଦେଖିବାକୁ ମିଳେ । ଏଠି ବାସ କରନ୍ତି ଆଦିବାସୀ ପରିବାର । ସ୍ୱାଧୀନତାର ଏତେ ବର୍ଷ ପରେ ବି ଆଲୁଅ ଏମାନଙ୍କ ପାଇଁ ସାତସପନ । ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଏହି ଗମ୍ଭାରୀବନ୍ଧ ।
ଯାହା ଏଯାଏଁ ଜିଲ୍ଲା ପ୍ରଶାସନର ଆଖି ଆଢୁଆଳରେ ରହିଯାଇଛି । 

ଗମ୍ଭାରୀ ବନ୍ଧ ଗାଁରେ ବାସ କରନ୍ତି ପ୍ରାୟ ୧୫ଟି ପରିବାର । ଏମାନେ ଆଦିମ ଜନଜାତିର ହୋଇଥିବାରୁ ବଣରୁ କାଠ ସଂଗ୍ରହ କରି ପରିବାର ଭରଣ ପୋଷଣ କରନ୍ତି । ଆଉ କେହିକେହି ଚାଷ ଓ ମୂଲଖଟି କରି ଚଳନ୍ତି । ଏହି ଗାଁଟି ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ମକା, ଧାନ, ଆଖୁ, ମାଣ୍ଡିଆ ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କରନ୍ତି । କିନ୍ତୁ ଅମଳ ହେଲା ବେଳକୁ ହାତୀପଲ ଆସି ଫସଲ ନଷ୍ଟ କରି ଦିଅନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହି ଗମ୍ଭାରୀବନ୍ଧ ଗାଁରେ ଆଜି ବି ବିଦ୍ୟୁତ୍ ପହଞ୍ଚି ପାରିନି । ଗାଁରେ ବିଦ୍ୟୁତଖୁଣ୍ଟ ପଡ଼ିଛି ହେଲେ ଆଲୋକ ଆସିନି । ଭୋଟ ବେଳେ ମିଳେ ନେତାଙ୍କର ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି । ହେଲେ ଭୋଟ ପରେ କେହି ଆସନ୍ତି ନାହିଁ । ଯେମିତି ଅଲୋଡା ଏମାନେ !

ଫଳରେ ଅନ୍ଧାରରେ ଜୀବନ ବିତାଉଛନ୍ତି ଆଦିମ ଆଦିବାସୀ । ସଂନ୍ଧ୍ୟା ହେଲେ ଗାଁରେ ତାଟି କବାଟ ପଡ଼ିଯାଏ । ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ ପିଲାମାନେ ପାଠପଢ଼ିବାକୁ ବାଧ୍ୟ ହେଉଛନ୍ତି । ସବୁଠାରୁ ଦୁଃଖର କଥା ଗମ୍ଭାରୀବନ୍ଧ ଗାଁରେ ଆଜି ଯାଏଁ କେହି ୧୦ମ ଶ୍ରେଣୀ ପାସ୍ କରିପାରି ନାହାନ୍ତି। ପିଲାଙ୍କ ପାଠ ପଢ଼ା କଥା ନ କହିଲେ ଭଲ । ଏହି ଗାଁର ସବୁପିଲା ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି ।

ଏସବୁ ବାଦ ଗାଁକୁ ଗମନାଗମନ ପାଇଁ ସବୁଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନାହିଁ । ମାଟି କାଦୁଅର ଅଣଓସାରିଆ ରାସ୍ତା ଏମାନଙ୍କ ସବୁଦିନିଆ ଯାତାୟତ ପଥ । ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଏମାନଙ୍କ ପାଇଁ ଦିବା ସ୍ୱପ୍ନ । ଆଉ ବିପିଏଲ୍ କାର୍ଡ କଥା ନ କହିବା ଭଲ । ଶୋଷ ମେଣ୍ଟାଇବା ପାଇଁ ପାଣି ଟୋପାଏ ବି ସହଜରେ ମିଳି ପାରେ ନାହିଁ ଏମାନଙ୍କୁ । କୂଅ ଓ ଜୂର ଏକମାତ୍ର ଭରଷା । ସବୁ ଗ୍ରାମବାସୀ ମିଶି ଗୋଟିଏ ସୌର ଚାଳିତ ଲାଇଟ୍ କିଣିଛନ୍ତି । ଆଉ ଏହି ଲାଇଟ୍ ଉପରେ ନିର୍ଭର ଗ୍ରାମବାସୀ । 

 ଏ ସବୁ ସମସ୍ୟା ନେଇ ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ପଚାରିବାରୁ ଘଟଣାକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ବର୍ଷେ ପୂର୍ବରୁ ଏହି ଗାଁର ସମସ୍ୟାର ସମାଧାନ ପାଇଁ  ସେତେବେଳେର ଉପଜିଲ୍ଲାପାଳ ପିତାମ୍ବର ସାମଲ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଉପଜିଲ୍ଲାପାଳଙ୍କ ପରେ  ଉପଜିଲ୍ଲାପାଳ ବଦଳିଛନ୍ତି । କିନ୍ତୁ ବଦଳିନି ଗମ୍ଭାରୀବନ୍ଧର ଚିତ୍ର । ଏବେ କେବଳ ଏହାହିଁ ଦେଖିବା ବାକି ରହିଲା କେବେ ପ୍ରତିଶ୍ରୁତି ପାଳନ ହେବ ଓ ଗମ୍ଭାରୀବନ୍ଧ ଗାଁରେ ଆଲୁଅ ଜଳିବ ।