ଭିନ୍ନକ୍ଷମଙ୍କ ଭିନ୍ନ ପ୍ରୟାସ, ବର୍ଜ୍ୟବସ୍ତୁରୁ ତିଆରି କଲେ ଭିନ୍ନ ଭିନ୍ନ ସାଜସଜ୍ଜା ସାମଗ୍ରୀ

ଛିଡା ଫଟା କମ୍ବଳକୁ ନେଇ ତିଆରି କରିଛନ୍ତି ସ୍ୱତନ୍ତ୍ର ଫୁଲକୁଣ୍ଡ

ଭିନ୍ନକ୍ଷମଙ୍କ ଭିନ୍ନ ପ୍ରୟାସ, ବର୍ଜ୍ୟବସ୍ତୁରୁ ତିଆରି କଲେ  ଭିନ୍ନ ଭିନ୍ନ ସାଜସଜ୍ଜା ସାମଗ୍ରୀ
ଦିବ୍ୟାଙ୍ଗଙ୍କ ଭିନ୍ନ ପ୍ରୟାସ, ବର୍ଜ୍ୟବସ୍ତୁରୁ ତିଆରି କଲେ ଭିନ୍ନ ଭିନ୍ନ ସାଜସଜ୍ଜା ସାମଗ୍ରୀ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କ ଭିନ୍ନ ପ୍ରୟାସ । ଡିସେମ୍ବର ୧ ତାରିଖ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ରାଜ୍ୟ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ବିଭାଗ ପକ୍ଷରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଦିବ୍ୟାଙ୍ଗ ମାନଙ୍କର ସକ୍ଷମତାର ପରିଚୟ । ସେମାନେ ବର୍ଜ୍ୟବସ୍ତୁକୁ ନେଇ ତିଆରି କରିଛନ୍ତି ଭିନ୍ନ ଭିନ୍ନ ସାଜସଜ୍ଜା ସାମଗ୍ରୀ, ପୁଣି ଭଳି ଭଳି କି କାଗଜ ବ୍ୟାଗ୍ ଏବଂ ମାଟି ପାତ୍ର ଆଉ ବାଉଁଶକୁ ବ୍ୟବହାର କରି ତିଆରି କରିଛନ୍ତି ଘରକରଣା ଜିନିଷ । ଯାହା ରାଜଧାନୀବାସୀଙ୍କ ମନ ମୋହୁଛି । ଏହାଦ୍ୱାରା ସେମାନେ ପ୍ରମାଣ କରି ଦେଖାଇ ଦେଇଛନ୍ତି ଦିବ୍ୟାଙ୍ଗ ହେଲେ ବି ସକ୍ଷମ ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ ।

ଗୋଟିଏ ପଟେ ଦେଶରେ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନର ନାରା ଆଉ ଏହି ଦିଗରେ ସଚେତନ ଓ ପରିବେଶ ସନ୍ତୁଳନ ଦିଗରେ ଅଗ୍ରସର କରାଇବା ପାଇଁ ଦିବ୍ୟାଙ୍ଗ ମାନେ ତିଆରି କରିଛନ୍ତି ସ୍ୱତନ୍ତ୍ର କାଗଜ ବ୍ୟାଗ । ଭଳି କି ଭଳି ରଙ୍ଗବେରଙ୍ଗର କାଗଜକୁ ବ୍ୟବହାର କରି ସୁନ୍ଦର ଆକୃତିର ବ୍ୟାଗ ସବୁ ତିଆରି କରି ପ୍ରଦର୍ଶନ କରିଛନ୍ତି । ସେହିପରି ବର୍ଜ୍ୟବସ୍ତୁକୁ ମଧ୍ୟ ବ୍ୟବହାର କରି ଅବ୍ୟବହୃତ ପ୍ଲାଷ୍ଟିକ ତେଲ ଡବା, ଚାମଚ, ଆଇସକ୍ରିମ୍ ଚାମଚ ଆଦିକୁ ନେଇ ପ୍ରସ୍ତୁତ କରିଛନ୍ତି ଆଡମ୍ବରପୂର୍ଣ୍ଣ ବସ୍ତୁ । ଏହାସହ ଛିଡା ଫଟା କମ୍ବଳକୁ ନେଇ ତିଆରି କରିଛନ୍ତି ସ୍ୱତନ୍ତ୍ର ଫୁଲକୁଣ୍ଡ । ତେବେ ବର୍ଷ ତମାମ ଏନେଇ ବିଭିନ୍ନ ତାଲିମ ନେବା ସହ ଏପରି ପ୍ରସ୍ତୁତ କରୁଥିବା ସେମାନେ କହିଛନ୍ତି ।

ଅନ୍ୟ ଏକ ପ୍ରୟାସରେ ବାଉଁଶ ଜାତ ସାମଗ୍ରୀର ପସରା ମେଲିଛନ୍ତି । ବାଉଁଶକୁ ବ୍ୟବହାର କରି ପେନ୍ ଷ୍ଟାଣ୍ଡ, ବ୍ରସ ଷ୍ଟାଣ୍ଡ, ଫୁଲ ତୋଡା, ଗହଣା ବାସ୍କେଟ, ଚା ଓ ଖାଦ୍ୟ ଟ୍ରେ, ପୂଜା ଖଟୁଲି ଆଦି ତିଆରି କରି ପ୍ରଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ବଧୂର, ଦୃଷ୍ଟିହୀନ ଆଦି ଦିବ୍ୟାଙ୍ଗ ମାନେ ଯୋଗ ଦେଇ ହାତରେ ସୁନ୍ଦର ସୁନ୍ଦର ଏପରି କଳାକୃତି ମାନ ପ୍ରଦର୍ଶନ କରିବା ସହ ଏଗୁଡିକୁ ବିପଣନ କରାଯାଉଛି । ଖାଲି ସେତିକି ନୁହେଁ କଳାକୃତି ସମେତ ନାଚଗୀତରେ ମଧ୍ୟ ସେମାନଙ୍କ ପାରଙ୍ଗମ ଦେଖାଇଛନ୍ତି । ଆୟୋଜିତ ସାଂସ୍କୃତିକ ମଞ୍ଚରେ ନାଚ ପରିବେଷଣ କରି ଦର୍ଶକ ମାନଙ୍କୁ ବିଭୋର କରିଛନ୍ତି । ଡିସେମ୍ବର ୧ ତାରିଖରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖରେ ଉଦଯାପିତ ହେବ ।